ଜ୍ୟେଷ୍ଠ ମାସର ମଙ୍ଗଳବାରକୁ କାହିଁକି କୁହାଯାଏ ବଡ ମଙ୍ଗଳବାର

ହିନ୍ଦୁ ଧର୍ମରେ ଜ୍ୟେଷ୍ଠ ମାସର ବହୁତ ବଡ ମହତ୍ତ୍ୱ ରହିଛି। ଚଳିତ ବର୍ଷ ମେ ୧୭ ତାରିଖ ଅର୍ଥାତ ଆଜି ଠାରୁ ଆରମ୍ଭ ହେଉଛି ଜ୍ୟେଷ୍ଠ ମାସ । ସାଧାରଣରେ ଏହି ମାସକୁ ଜେଠ ମାସ ବି କୁହାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ମାସ ହେଉଛି ବର୍ଷର ଦ୍ଵିତୀୟ ମାସ । ଏହି ଦିନ ମାନଙ୍କରେ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ଅନୁଭୂତ ହୁଏ । ଲୁ ପ୍ରଭାବରେ ଦେଶର ଉତ୍ତରରେ ଥିବା ରାଜ୍ୟ ମାନଙ୍କରେ ପ୍ରବଳ ଗରମ ପବନ ବୋହିଥାଏ ।
ଶାସ୍ତ୍ର ଅନୁସାରେ ବି ଏହି ମାସର ଅନେକ ମହତ୍ତ୍ୱ ରହିଛି । କୁହାଯାଏ, ଏହି ମାସ ବ୍ରହ୍ମାଙ୍କର ଅତି ପ୍ରିୟ ମାସ। ଆଜି ଜ୍ୟେଷ୍ଠ ମାସର ପ୍ରଥମ ମଙ୍ଗଳବାର। ଏମିତିରେ ମଙ୍ଗଳବାର ହନୁମାନଙ୍କୁ ସମର୍ପିତ ହୋଇଥାଏ ଏବଂ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରାଯାଏ, ଯାହାଦ୍ୱାରା ଶୁଭ ଲାଭ ମିଳିଥାଏ। କିନ୍ତୁ ଜ୍ୟେଷ୍ଠ ମାସ ମଙ୍ଗଳବାର ହନୁମାନଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଥାଏ। ଏହି ମାସରେ ପଡୁଥିବା ମଙ୍ଗଳବାରକୁ ବଡ ମଙ୍ଗଳବାର କୁହାଯାଏ। ଏହାକୁ ବୁଢା ମଙ୍ଗଳ ମଧ୍ୟ କୁହାଯାଏ। ମାନ୍ୟତା ଅନୁସାରେ ଜ୍ୟେଷ୍ଠ ମାସରେ ପଡୁଥିବା ମଙ୍ଗଳବାରେ ବିଧି ବିଧାନ ଅନୁସାରେ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ପ୍ରତ୍ୟେକ କଷ୍ଟ ଓ ବାଧାରୁ ମୁକ୍ତି ମିଳିଥାଏ।
ଆଜି ଜ୍ୟେଷ୍ଠ ମାସର ପ୍ରଥମ ମଙ୍ଗଳବାର। ତେଣୁ ଏହି ମାସରେ ୫ଟି ମଙ୍ଗଳବାର ପଡିବ। ୧୭ ମଇ, ୨୪ ମଇ, ୩୧ ମଇ, ୭ ଜୁନ ଏବଂ ୧୪ ଜୁନ୍।
ଏହାବୁ ବଡ ମଙ୍ଗଳବାର ବା ବୁଢା ମଙ୍ଗଳବାର ବୋଲି କହିବାର ପୌରାଣିକ କଥା ପ୍ରଚଳିତ ରହିଛି। ପୌରାଣିକ କଥା ଅନୁଯାୟୀ, ମହାଭାରତ କାଳରେ ଯେତେବେଳେ ଭୀମଙ୍କୁ ନିଜ ଶକ୍ତି ନେଇ ଆତ୍ମଗର୍ବ ହୋଇଯାଇଥିଲା, ସେତେବେଳେ ହନୁମାନ ବୁଢା ବାନର ରୂପ ଧାରଣ କରି ଭୀମଙ୍କ ଆତ୍ମଗର୍ବକୁ ମଙ୍ଗଳବାର ଦିନ ଭାଙ୍ଗିଥିଲେ।
ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ, ଜଙ୍ଗଲରେ ଭଗବାନ ଶ୍ରୀରାମ ବୁଲୁଥିବା ବେଳେ ହନୁମାନଙ୍କ ସାକ୍ଷାତ ପୁରୋହିତ ରୂପରେ ହୋଇଥିଲା।, ତେଣୁ ଜ୍ୟେଷ୍ଠ ମାସ ମଙ୍ଗଳବାରକୁ ବୁଢା ମଙ୍ଗଳ କିମ୍ବା ବଡ ମଙ୍ଗଳ ନାମରେ ଜଣାଯାଏ।