ଏକ ବିଶେଷ ପର୍ଯ୍ଯଟନ ସ୍ଥଳୀ ପିରଯାହାନିଆ, ଥରେ ଗଲେ ବାରମ୍ବାର ଯିବାକୁ ହେବ ମନ

କାକଟପୁର (କେନ୍ୟୁଜ) : ଦୈନନ୍ଦିନ କର୍ମମୟ ଜୀବନରୁ ଟିକିଏ ଫୁରସତ୍‌ ପାଇବା ପାଇଁ ଲୋକେ ବୁଲିଯିବାକୁ ବାହାରନ୍ତି। ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ବଣଭୋଜିର ମଜା ନେବାକୁ ପସନ୍ଦ କରନ୍ତି ଲୋକେ। ଆମ ରାଜ୍ୟ ଓଡିଶାରେ ବି ପ୍ରକୃତିର ଭରପୁର ଅବଦାନ ରହିଛି। ଅନେକ ନଦ ନଦୀ , ପାହାଡ ,ଝରଣା ଏବଂ ସମୁଦ୍ର ଜଙ୍ଗଲ ଉପହାର ସ୍ୱରୂପ ପ୍ରକୃତିରାଣୀ ଆମକୁ ଦେଇଛି | ଆଉ ଏହି ପ୍ରାକୃତିକ ପରିବେଶକୁ ନେଇ ଅନେକ ପର୍ଯ୍ଯଟନ କ୍ଷେତ୍ର ସୃଷ୍ଟିହୋଇଛି | ସେଥିମଧ୍ୟରୁ ପୁରିଜିଲ୍ଲାର ଅସ୍ତରଙ୍ଗ ନିକଟରେ ଥିବା ପିରଯାହାନିଆ ଏକ ବିଶେଷ ପର୍ଯ୍ଯଟନ ସ୍ଥଳୀ|

ପ୍ରାକୃତିକ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ପର୍ଯ୍ଯଟନ ମାନଚିତ୍ରରେ ପିରଯାହାନିଆ ପର୍ଯ୍ଯଟନ ସ୍ଥଳୀଟି ପୁରୀ ଜିଲ୍ଲାରେ ବେଶ ଗୁରୁତ୍ୱ ବହନ କରେ| ଏଠାରେ ପିରଯାହାନିଆ ବାବାଙ୍କ ପୀଠ ରହିଥିବା ହେତୁ ବାବାଙ୍କ ନାମ ଅନୁସାରେ ଏହାର ନାମ ଯାହାନିଆ ପର୍ଯ୍ଯଟନ ସ୍ଥଳୀ ନାମକରଣ ହୋଇଛି | ପିର ବାବା ଏଠାରେ ହିନ୍ଦୁ ଓ ମୁସଲମାନ ଦୁଇ ସମ୍ପ୍ରଦାୟର ସମୋନୟ ଭାବରେ ପ୍ରତିନିଧିତ୍ୱ କରୁଛନ୍ତି | ବିଭିନ୍ନ ସ୍ଥାନରେ ଧର୍ମକୁ ନେଇ ମନାନ୍ତର ଓ ମତାନ୍ତର ଚାଲୁଥିବାର ନଜିର ରହିଥିବା ପିରଯାହାନିଆ ବାବା ଏଠି ସର୍ବଧର୍ମ ସମନ୍ଵୟର ବାର୍ତ୍ତା ବହନ କରି ହିନ୍ଦୁ ଓ ମୁସଲମାନ ଦୁଇସମ୍ପ୍ରଦାୟକୁ ଗୋଟିଏ ସୂତାରେ ବାନ୍ଧିରଖି ଭାଇଚାରାର ବାର୍ତା ଦେଉଛି| ପିରଯାହାନିଆ ପର୍ଯ୍ଯଟନ କ୍ଷେତ୍ରଟି ପ୍ରାକୃତିକ ପରିବେରେ ଭରିରହିଥିବା ହେତୁ ଏହା ପର୍ଯ୍ଯଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ |

ଏଠାରେ ସବୁଜିମା ଝାଉଁବଣ ସହ ବିସ୍ତିନ ସ୍ୱଚ୍ଛ ବେଳାଭୂମି ପର୍ଯ୍ଯଟକ ମାନଙ୍କୁ ଏଠାକୁ ଆସିବାପାଇଁ ବାଧ୍ୟ କରିଥାଏ | ଏଠାରେ ପିକନିକ କରିବାପାଇଁ ପ୍ରତିବର୍ଷ ପର୍ଯ୍ଯଟନ ଋତୁରେ ଲକ୍ଷାଧିକ ପର୍ଯ୍ଯଟକଙ୍କ ଆଗମନ ଦେଖିବାକୁ ମିଳେ | ପର୍ଯ୍ଯଟକ ମାନଙ୍କ ପାଇଁ ସୁଦୀର୍ଘ ଝାଉଁବଣ ବଣଭୋଜିକରିବାର ଏକ ଉତ୍ତମ ମାଧ୍ୟମ ରହିଥିବା ବେଳେ ସମୁଦ୍ରର ନୀଳଜଳରାଶିରେ ସମୁଦ୍ର ସ୍ନାନର ମଜା ନେଇଥାନ୍ତି ପର୍ଯ୍ଯଟକ | ଏଠାକୁ ଆସୁଥିବା ପର୍ଯ୍ଯଟକ ମାନେ ପିରବାବାଙ୍କୁ ଦର୍ଶନ କରିବା ସହ ବଣଭୋଜି ଓ ସମୁଦ୍ରରେ ସ୍ନାନ କରି ବେଶ ଆନନ୍ଦ ଉପଭୋଗ କରିଥାନ୍ତି | କିନ୍ତୁ ଏଠାକୁ ଆସୁଥିବା ପର୍ଯ୍ଯଟକମାନଙ୍କ ପାଇଁ କୌଣସି ବ୍ୟବସ୍ଥା ଏହି ପର୍ଯ୍ଯଟନ ସ୍ଥଳୀରେ ନାହିଁ | ଯାହାଫଳରେ ଏଠାକୁ ଆସୁଥିବା ପର୍ଯ୍ଯଟକ ମାନେ କିଛି ମୌଳିକ ଅସୁବିଧାକୁ ସାମ୍ନା କରନ୍ତି।

pirjahaniaନିକଟ ଅତୀତରେ ରାଜ୍ଯ ପର୍ଯ୍ଯଟନ ବିଭାଗ ପିରଯାହାନିଆ ପର୍ଯ୍ଯଟନ ସ୍ଥାନକୁ ପର୍ଯ୍ଯଟନକ୍ଷେତ୍ରର ମାନ୍ଯତା ଦେଇଛନ୍ତି। ହେଲେ ଏଠାକୁ ଆସୁଥିବା ପର୍ଯ୍ଯଟକଙ୍କ ପାଇଁ କୌଣସି ସୁବନ୍ଦେବସ୍ତ ରହିନଥିବା ଦେଖିବାକୁ ମିଳିଛି | ଏହି ପର୍ଯ୍ଯଟନ ସ୍ଥଳୀଟି ସମୁଦ୍ର କୂଳରେ ରହିଥିବା ହେତୁ ଏହାର ଭୂତଳ ଜଳ ଲୁଣିଆହୋଇଥାଏ | ଏଠାରେ ମୁଖ୍ଯସମସ୍ୟା ହେଉଛି ପାନୀୟଜଳ | କିଛିଦିନ ତଳେ ଏଠାରେ ଏକ ପାନୀୟଜଳ ପ୍ରକଳ୍ପ ଅସ୍ତରଙ୍ଗ ପଞ୍ଚାୟତସମିତି ପକ୍ଷରୁ ପ୍ରତିଷ୍ଠା ହୋଇଥିଲା କିନ୍ତୁ ତାହା ସଂପୂର୍ଣ୍ଣ ଅଚଳଅବସ୍ଥାରେ ରହିଛି | ସେହିଭଳି କେତେକ ନଳକୂପ ବସାଯାଇଥିଲା ବେଳେ ସେଥିମଧ୍ୟରୁ କେତେକ ନଳକୂପ ଏବେ ଅଚଳ ଅବସ୍ଥାରେ ପଡିରହିଛି। ଯାହାଦ୍ୱାରା ଏଠାକୁ ଆସୁଥିବା ପର୍ଯ୍ଯଟକ ମାନେ ବଣଭୋଜି କଲେ ସ୍ଥାନୀୟ ଦୋକାନରୁ ପାଣିକିଣି କରି ସେଥିରେ ରୋଷେଇ କରିବାକୁ ବାଧ୍ୟହେଉଛନ୍ତି |ସେହିଭଳି ଏଠାରେ ଏକ ଶୌଚାଳୟ ରହିଥିଲାବେଳେ ତାହା ଏବେ ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ଖତଖାଉଛି | ସୌଚାଳୟର ଛାତଉପରେ ଅନାବନା ଗଛ ଉଠିଯାଇଥିଲା ବେଳେ ସୌଚାଳୟ ଟି ଭାଙ୍ଗିରୁଜି ଗଲାଣି | ଯାହାଦ୍ୱାରା ଏଠାକୁ ଆସୁଥିବା ମହିଳା ପର୍ଯ୍ଯଟକ ମାନେ ଶୌଚପାଇଁ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି | ସେହିଭଳି ସମୁଦ୍ରରେ ସ୍ନାନକରିବା ବେଳେ ଏଠାରେ କୌଣଶୀ ଲାଇଫଗାର୍ଡ ଙ୍କୁ ଦେଖିବାକୁ ମିଳେନାହିଁ |

ଏଠାରେ ରାତ୍ରି ସମୟରେ କୌଣସି ଆଲୋକକରଣର ବ୍ୟବସ୍ଥା ନାହିଁ | ସ୍ଥାନୀୟ ପଞ୍ଚାୟତ ପକ୍ଷରୁ କିଛିବର୍ଷ ତଳେ ଆଲୋକକରଣ ପାଇଁ ଯେଉଁ କେତୋଟି ଷ୍ଟ୍ରିଟଲାଇଟ ଲାଗିଥିଲା ତାହା ଦୀର୍ଘବର୍ଷ ଧରି ଅଚଳ ହୋଇ ପଡିଥିବା ବେଳେ ଏବେ ସନ୍ଧ୍ୟା ହେଲେ ପିରଯାହାନିଆ ପର୍ଯ୍ଯଟନ କ୍ଷେତ୍ରଟି ସମ୍ପୂର୍ଣ ଅନ୍ଧାର ରହୁଛି | ଏଠାକୁ ଲକ୍ଷ ଲକ୍ଷ ପର୍ଯ୍ଯଟକ ପ୍ରତିବର୍ଷ ଆସୁଥିଲେ ମଧ୍ୟ ଏଠାର ସୁରକ୍ଷା ବ୍ୟବସ୍ଥା ପାଇଁ ପୁରି ଜିଲ୍ଲା ପୁଲିସ ପକ୍ଷରୁ କୌଣସି ସୁବିଧା ନାହିଁ | ସୁରକ୍ଷା ଦୃଷ୍ଟିରୁ ଏଠାରେ ଏକ ପୁଲିସ ଫାଣ୍ଡିର ଆବଶ୍ୟକତା ରହିଛି | ସେହିଭଳି ଗମନାଗମନ ପାଇଁ କଣମଣ ସେତୁ ଠାରୁ ପିରଯାହାନିଆ ରାସ୍ତାଟି ସଙ୍କୁଚିତ ରହିଥିବା ହେତୁ ଅନେକ ସମୟରେ ଏହି ରାସ୍ତାରେ ଟ୍ରାଫିକଜାମ ଭଳି ସମସ୍ୟା ମଧ୍ୟ ଲାଗିରହୁଛି | ଆଗକୁ ପର୍ଯ୍ଯଟନ ଋତୁ ଆସୁଛି ତେଣୁ ପୁରିଜିଲ୍ଲା ପର୍ଯ୍ଯଟନ ବିଭାଗ ପିରଯାହାନିଆ ପୀଠର ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏହାର ସୁବ୍ୟବସ୍ଥା କରିବା ପାଇଁ ପର୍ଯ୍ଯଟକ ଓ ସ୍ଥାନୀୟ ବାସିନ୍ଦା ଦାବିକରିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.