ମୃତ ସାଗରର ରହସ୍ୟ, ଏଭଳି ଏକ ସମୁଦ୍ର ଯେଉଁଠି ମଣିଷ ଚାହିଁଲେ ବି ବୁଡେ ନାହିଁ

ପୃଥିବୀରେ ଏତେ ଅଜବ ସ୍ଥାନ ରହିଛି ଯାହା ବିଷୟରେ ଯେତେ ଜାଣିଲେ ବି କମ୍ ଲାଗିବ। ଆପଣ ଜାଣିଛନ୍ତି ଇସ୍ରାଏଲର ମରୁଭୂମିରେ ଏଭଳି ଏକ ବିଶାଳ ସମୁଦ୍ର ଅଛି ଯେଉଁଠି ମଣିଷ ଚାହିଁଲେ ବି ବୁଡିବ ନାହିଁ। ଏହାର ଆଉ ଏକ ଆଶ୍ଚର୍ୟ୍ଯ କଥା ହେଲା ସମୁଦ୍ର କୂଳରେ ରହିଛି ଲୁଣର ବନ୍ଧ । ଯେବେଠୁ ପୃଥିବୀର ସୃଷ୍ଟି ହୋଇଛି ସେବେଠାରୁ ଏହି ଲୁଣ ପାହାଡ ଠିଆ ହୋଇଛି। ଏଠାରେ ବର୍ଷା ହୁଏ ନାହିଁ ତେଣୁ ଏହି ପାହାଡ଼ ବି ଭାଙ୍ଗୁ ନାହିଁ। ଏହି ସମୁଦ୍ରରେ ୩୫ ପ୍ରତିଶତ ମିନେରାଲ ଏବଂ ବାକି ଲୁଣର ମାତ୍ରା ଅଧିକ ରହିଛି । ଏହି ସମୁଦ୍ରର ପାଣି ସବୁଠୁ ଅଧିକ ଲୁଣିଆ। ଏତେ ଲୁଣିଆ ଯେ, ଏହି ସମୁଦ୍ର ଭିତରେ କୌଣସି ପ୍ରକାରର ମାଛ କି ସମୁଦ୍ରଗଛ ଆପଣ ଦେଖିବେ ନାହିଁ । କିଛି ଜୀବାଣୁ ଏହି ସମୁଦ୍ର ଭିତରେ ଅଛନ୍ତି ଯାହା ଖାଲି ଆଖିରେ ଦେଖାଯାଆନ୍ତି ନାହିଁ । ଏହି କାରଣରୁ ଏହି ସମୁଦ୍ର ର ନାଁ Dead Sea ବା ମୃତ ସମୁଦ୍ର କୁହାଯାଏ ।

ପୃଥିବୀର ମଧ୍ଯପୂର୍ବ ଭାଗରୁ ଏକ ନଦୀ ବହି ଆସିଛି ଯାହା ସିଧା ସମୁଦ୍ର ମୁହଁରେ ବାଜୁଛି ହେଲେ ଆଶ୍ଚର୍ୟ୍ଯ କଥା ହେଲା ଏହା ସମୁଦ୍ର ଭିତରେ ମିଶୁନାହିଁ। ଆପେ ଆପେ ବାଟ କାଟି ବହି ଯାଉଛି । ଅନ୍ୟ ଛୋଟ ଛୋଟ ନଦୀର ଶାଖା ଏହି ମୃତ ସାଗରରେ ମିଶିଯାଇଛି, ହେଲେ ସେହି ନଦୀ ସହ ଭାସି ଆସିଥିବା ଛୋଟ ଛୋଟ ମାଛ ମୃତ ସାଗରରେ ପଡିବା କ୍ଷଣି ମରି ଯାଆନ୍ତି। ଏହି ସମୁଦ୍ରରେ ଛୋଟ ଛୋଟ ନଦୀ ମିଶିଛି ହେଲେ ଏହି ସମୁଦ୍ରରୁ କୌଣସି ନଦୀ ବାହାରିନି । ଏହି ସମୁଦ୍ରରୁ ପାଣି ସିଧା ସୂର୍ଯ୍ୟ କିରଣରେ ବାଷ୍ପ ହୋଇ ଉପରକୁ ଉଠେ।

ଜୀବଜନ୍ତୁଙ୍କ ପାଇଁ ନର୍କ ସାବ୍ୟସ୍ତ ହୋଇଛି ଏହି ମୃତ ସାଗର। ହେଲେ ମଣିଷଙ୍କ ପାଇଁ ଏକ ପ୍ରକାର ବରଦାନ ହୋଇଛି। ମୃତ ସାଗରର ମାଟିରେ ମାଗ୍ନେସିୟମ, କ୍ୟାଲସିୟମ, ପୋଟାସିୟମ, ସୋଡ଼ିୟମ, ସଲ୍ଫର୍ ଏବଂ ଅନ୍ୟ ପଦାର୍ଥ ମିଶିଥିବାରୁ ଏହାର ମାଟି ଏବଂ ପାଣିରେ ରୋଗ ପ୍ରତିଶୋଧକ ଶକ୍ତି ବଢିଯାଏ। ଯାହା ମଣିଷଙ୍କ ଚର୍ମ ପାଇଁ ବହୁ ଲାଭଦାୟକ ହୋଇଥାଏ। ଏହି ସମୁଦ୍ର କୂଳରେ ଥିବା ଓଦା ମାଟି ରୋଗ ମୁକ୍ତ କରୁଥିବାରୁ, ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଭିଡ ଜମେ । ଏବଂ ସମୁଦ୍ର ଭିତରେ ପାଣିରେ ଭାସିବାର ମଜା ଉଠାନ୍ତି। ଯେହେତୁ ଏହି ସମୁଦ୍ର ପାଣି ଓଜନିଆ ତେଣୁ ଏଥିରେ କେହି ମଣିଷ ବୁଡ଼ନ୍ତି ନାହିଁ, ତେଣୁ ପର୍ଯ୍ୟଟକ ପାଣି ଉପରେ ଭସିବାର ମଜା ନିଅନ୍ତି।

dead sea 1
Photo credit: Visit Israel

କେବଳ ସେତିକି ନୁହେଁ, ଆପଣ ତ ଜାଣିଛନ୍ତି ଆମ ମଣିଷଙ୍କ ସ୍ବାର୍ଥରେ ଆସିଲେ ସେ କିଛି ଛାଡିବେନି। ଏହି ମାଟିରେ ଏତେ ଗୁଣ ଥିବା ଜାଣିବା ପରେ ଅନେକ ମଲ୍ଟି ନ୍ୟାସନାଲ କମ୍ପାନୀ, ଏହି ମାଟିକୁ ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି। ସମଗ୍ର ବିଶ୍ବରୁ ରୋଗ ମୁକ୍ତ ହେବାପାଇଁ ଲୋକ ଏହି ସମୁଦ୍ର ପାଖକୁ ଟାଣି ହୋଇ ଆସୁଛନ୍ତି । ଯାହା ପାଇଁ ଏହି ଅଞ୍ଚଳରେ ଲୋକ ମନେ ବ୍ୟବସାୟ ବଢ଼ାଇବା ସହିତ, ଅର୍ଥନୀତି ମଧ୍ୟ ସୁଦୃଢ଼ ହୋଇ ପାରୁଛି। ମୃତ ସାଗର ପାଣିରେ ବହୁତ୍ ଲୁଣ ଥିବାରୁ ଏହାର ଘନତ୍ଵ ମାନେ ଓଜନ ସମୁଦ୍ର ପାଣି ଠାରୁ ବହୁତ୍ ଅଧିକ ବଢିଯାଏ, ଯାହା ଫଳରେ ଲୋକ ଘଣ୍ଟା ଘଣ୍ଟା ପାଣି ଉପରେ ଶୋଇ ରୁହନ୍ତି। ପାଣିରେ ନବୁଡ଼ି ଏଭଳି ଭସିବା ହିଁ ଏହି ସମୁଦ୍ରକୁ ଆସିବା ପାଇଁ ଲୋକଙ୍କୁ ଆକର୍ଷିତ କରେ । ଆଉ ପର୍ଯ୍ୟଟକ ଟାଣି ହୋଇ ଆସନ୍ତି । ଏବେ ଏହି ମୃତ ସାଗରର ପାଣିକୁ ଶୁଖାଇ, ଲୁଣ ବାହାର କରି ଚଢ଼ା ଦାମରେ ବିକ୍ରି କରାଯାଉଛି। କୁହାଯାଉଛି ଏଥିରେ ଔଷଧୀୟ ଗୁଣ ପ୍ରଚୁର ଅଛି । ଏବେ ଅନୁମାନ କରାଯାଉଛି ମଣିଷର ଲୋଭ ପାଇଁ ଏହି ମୃତ ସମୁଦ୍ର ଆଉଥରେ ମରିଯିବ।