ଚଳନ୍ତା ଇଲେକ୍ଟ୍ରିକ୍ ସ୍କୁଟରରେ ହଠାତ୍ ଲାଗିଗଲା ନିଆଁ; ଗାଡ଼ିରୁ ଡେଇଁ ଏମିତି ଜୀବନ ବଞ୍ଚାଇଲେ ଡେଲିଭରି ବୟ…

ଉତ୍ତର ପ୍ରଦେଶର ନୋଏଡାରେ ଏକ ଇ-ସ୍କୁଟରରେ ନିଆଁ ଲାଗିଯିବାର ଖବର ସାମ୍ନାକୁ ଆସିଛି। କୋତଓ୍ଵାଲି ସେକ୍ଟର-୧୧୩ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ମୁତାବକ, ସେକ୍ଟର-୭୮ର ମୁଖ୍ୟ ରାସ୍ତାରେ ଜିନିଷ ଡେଲିଭରି କରିବାକୁ ଯାଉଥିବା ବିଗ୍ ବାସ୍କେଟ୍ର ଜଣେ ଡେଲିଭରି ବୟ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଇଲେକ୍ଟ୍ରିକ୍ ସ୍କୁଟରରେ ହଠାତ୍ ନିଆଁ ଲାଗିଯାଇଥିଲା। ଗାଡ଼ି ଚଲାଉଥିବା ବେଳେ ଏହି ଦୁର୍ଘଟଣା ଘଟିବାରୁ ସେ ନିଜ ଜୀବନ ବଞ୍ଚାଇବା ପାଇଁ ସ୍କୁଟରରୁ ଡେଇଁ ପଡ଼ିଥିଲେ।
ପଥଚାରୀଙ୍କଠାରୁ ସୂଚନା ପାଇଁ ଅଗ୍ନିଶମ ବାହିନୀ ଗାଡ଼ି ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଇଲେକ୍ଟ୍ରିକ୍ ସ୍କୁଟରରେ ଲାଗିଥିବା ନିଆଁକୁ କାବୁ କରି ନେଇଥିଲା। କିନ୍ତୁ ସେତେବେଳକୁ ଗାଡ଼ି ଜଳିପୋଡ଼ି ପାଉଁଶ ହୋଇ ସାରିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ବିଗ୍ ବାସ୍କେଟ୍ ଡେଲିଭରି ବୟଙ୍କ ନାଁ ଚନ୍ଦ୍ର ପ୍ରକାଶ ବୋଲି ଜଣାପଡ଼ିଛି। ପୋଲିସ କହିଛି କି, ଚନ୍ଦ୍ର ପ୍ରକାଶଙ୍କ ଅନୁସାରେ, ସେ ବିଗ୍ ବାସ୍କେଟ୍ର ଷ୍ଟୋରରୁ ଜିନିଷର ଅର୍ଡର ଡେଲିଭରି କରିବାକୁ ଯାଉଥିଲେ। ଯେତେବେଳେ ସିଭିକ୍ ସୋସାଇଟି ସାମ୍ନାରେ ପହଞ୍ଚିଥିଲେ, ତ ହଠାତ୍ ତାଙ୍କ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏହାପରେ ସେ ସ୍କୁଟରରୁ ଡେଇଁ ନିଜ ଜୀବନ ରକ୍ଷା କରିଥିଲେ। ଏହାରି ଭିତରେ ନିଆଁର ତେଜ ବଢ଼ି ଯାଇଥିଲା ଏବଂ ଦେଖୁ ଦେଖୁ ପୂରା ସ୍କୁଟରକୁ ନିଆଁ ବ୍ୟାପି ଯାଇଥିଲା।
ଇ-ସ୍କୁଟରରେ ନିଆଁ ଲାଗି ଯିବାର ଖବର ପ୍ରଥମେ ଜଣେ ପଥଚାରୀ ସୂଚନା କଣ୍ଟ୍ରୋଲ ରୁମ୍କୁ ଦେଇଥିଲେ। ସୂଚନା ମିଳିବା କ୍ଷଣି ପୋଲିସ ଓ ଅଗ୍ନିଶମ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ମିଳିତ ପ୍ରୟାସରେ ନିଆଁକୁ କାବୁ କରାଯାଇଥିଲା। କିନ୍ତୁ ସେତେବେଳକୁ ସ୍କୁଟର ଏବଂ ସେଥିରେ ରଖା ହୋଇଥିବା ସମସ୍ତ ଜିନିଷ ଜଳିପୋଡ଼ି ପାଉଁଶ ହୋଇ ସାରିଥିଲା।
ତେବେ ଇଲେକ୍ଟ୍ରିକ୍ ସ୍କୁଟରରେ ନିଆଁ କ’ଣ ପାଇଁ ଏବଂ କିପରି ଭାବେ ଲାଗିଲା, ସେ ନେଇ କୌଣସି ସୂଚନା ନାହିଁ। ଏହି ଘଟଣାରେ କେହି ମୃତାହତ ହୋଇଥିବା ନେଇ ମଧ୍ୟ ଖବର ନାହିଁ। ପୋଲିସ ସେଠାରେ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛି।