ଶ୍ରାବଣ ମାସର ପ୍ରଥମ ଶନିବାରରେ ଶନିଦେବଙ୍କୁ କରନ୍ତୁ ପ୍ରସନ୍ନ, ଶାନ୍ତ କରିବାକୁ ଆପଣାନ୍ତୁ ଏହି ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟ ଦେବତା କୁହାଯାଏ। ଭଗବାନ ଶିବ ଶନିଦେବଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ। ଶନିଦେବ ଭଗବାନ ଶିବଙ୍କର ଭକ୍ତ। ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଶନିଦେବ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଶନିଦେବଙ୍କୁ ସବୁ ଗ୍ରହର ନ୍ୟାୟାଧୀଶ କରିଥିଲେ। ଭଗବାନ ଶିବଙ୍କ ବରଦାନ ହେତୁ ମଣିଷ, ଦେବତା ଏବଂ ପିଶାଚ ମଧ୍ୟ ଶନିଦେବଙ୍କ ଦୃଷ୍ଟିରୁ ରକ୍ଷା ପାଇପାରନ୍ତି ନାହିଁ। ଏହି କାରଣରୁ ସମସ୍ତେ ଶନିଦେବଙ୍କୁ ଭୟ କରନ୍ତି, ଶନିଦେବଙ୍କ ବକ୍ରଦୃଷ୍ଟିରୁ ସମସ୍ତେ ରକ୍ଷା ପାଇବାକୁ ଚେଷ୍ଟା କରନ୍ତି।

ଶନିଦେବ ଯେତେବେଳେ ନିଜର ବକ୍ରଦୃଷ୍ଟି ପକାଇଥାନ୍ତି ସେତେବେଳେ ବ୍ୟକ୍ତିଙ୍କ ଜୀବନରେ ବାଧା, ସଙ୍କଟ ଓ ନାନା ସମସ୍ୟା ଉଭା ହୋଇଥାଏ। ଶନି ଦଶା ଲାଗିଥିଲେ ଶନିଦେବ ଦଣ୍ଡ ମଧ୍ୟ ଦେଇଥାନ୍ତି। ଯଦି ଆପଣ ଶନିଙ୍କ କ୍ରୋଧରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ତେବେ ଜୀବନରେ ଭୁଲ କାମ କରିବା ଠାରୁ ଦୂରେଇ ରହିବା ଉଚିତ୍। କାରଣ ବିଶ୍ୱାସ କରାଯାଏ ଯେ ଶନିଦେବ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆଧାରରେ ଶୁଭ ଏବଂ ଅଶୁଭ ଫଳାଫଳ ଦେଇଥାନ୍ତି।

ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କଲେ ବିଶେଷ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଶ୍ରାବଣ ମାସରେ ଶନିଦେବଙ୍କୁ ପୂଜା କଲେ ଶନି ଶାନ୍ତ ହୋଇଥାନ୍ତି। ପାଞ୍ଜି ଅନୁଯାୟୀ, ଜୁଲାଇ ୩୧ ତାରିଖ ଶନିବାର। ଏହା ଶ୍ରାବଣ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି। ଏହି ଦିନ ଶୁଭ ମୁହୂର୍ତ୍ତ ମଧ୍ୟାହ୍ନ ୧୨ ଟାରୁ ୧୨:୫୪ ପର୍ଯ୍ୟନ୍ତ ରହିଛି।

ମିଥୁନ ତୁଳା, ମକର ଓ କୁମ୍ଭ ରାଶିରେ ଶନିଙ୍କ ଦୃଷ୍ଟି ରହିଛି। ଯେଉଁମାନଙ୍କ ଜନ୍ମ କୁଣ୍ଡଳୀରେ ଶନି ଦଶା ଚାଲିଛି ସେମାନଙ୍କୁ ସତର୍କ ରହିବା ଆବଶ୍ୟକ। ଶନିଙ୍କୁ ଶାନ୍ତ କରିବାକୁ ଜୁଲାଇ ୩୧ ତାରିଖ ଶନିବାର ଦିନ ଶନି ମନ୍ଦିର ଯାଇ ଶନିଦେବଙ୍କୁ ପୂଜା କରନ୍ତୁ। ମନ୍ଦିରରେ ସୋରିଷ ତେଲ ଅର୍ପଣ କରନ୍ତୁ।

ଏହି ଦିନ ଶନି ମନ୍ତ୍ର ଓ ଶନି ଚାଳିଶା ପାଠ କରିବା ଉଚିତ। ଏହାସହ ଶନିଙ୍କ ସହ ଜଡିତ ଜିନିଷ ଦାନ କରିବା ଉଚିତ। ଏହାଦ୍ୱାରା ଶନିଦେବ ଶାନ୍ତ ହେବା ସହିତ ନିଜର ବକ୍ରଦୃଷ୍ଟିରୁ ନିବୃତ୍ତ ରହିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.