ଭାରତୀୟ ସେନାର ସାହସ ବଢ଼ାଇଛି ରାଫେଲ, ଜାଣନ୍ତୁ ରାଫେଲ ବିଷୟରେ କିଛି ଅଜଣା କଥା
ନୂଆଦିଲ୍ଲୀ : ଭାରତ ଏକ ଶାନ୍ତି ପ୍ରିୟ ଦେଶ । କାହା ସହିତ ଶତ୍ରୁତା କରିବାକୁ ଚାହେଁ ନାହିଁ । ହେଲେ ତାକୁ ଆକ୍ରମଣ କଲେ ସେ ଛାଡ଼ିବ ନାହିଁ । ଏକା ତାର ଶତ୍ରୁ ଦେଶମାନେ ଭଲ କରି ଜାଣି ରଖିବା ଉଚିତ । ଇଏ ହେଉଛି ଭାରତୀୟ ନେତାଙ୍କ ଶତ୍ରୁ ଦେଶକୁ ଚେତାବନୀ । ଆଉ ଏ ଚେତାବନୀ ଖାଲି ଶୁଖିଲା ଧମକ ନୁହେଁ । ନିଜକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜେଇ ରଖିଛି ଭାରତୀୟ ସେନା । ଆଉ ଏବେ ୭ ହଜାର କିଲୋମିଟର ପାର୍ କରି ସୁଦୂର ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଛି ୫ଟି ରାଫେଲ ଯୁଦ୍ଧ ବିମାନ । ହରିଆଣାର ଅମ୍ବାଲାରେ ସଗୌରବେ ଓହ୍ଲାଇଛି ଏହି ଜେଟ୍ । ଆଉ ସାମିଲ ହୋଇଛି ଭାରତୀୟ ବାୟୁ ସେନାରେ । ଯାହା ଭାରତୀୟ ସେନାର ଶକ୍ତିକୁ ବହୁଗୁଣରେ ବଢ଼ାଇଛି ।
ସାରା ଭାରତକୁ ଅପେକ୍ଷା ରହିଥିଲା ଏହି ରାଫେଲ ଜେଟ୍ । ପ୍ରଥମ ବ୍ୟାଚ ଫ୍ରାନ୍ସରୁ ଆସି ପହଞ୍ଚି ସାରିଛି । ଫ୍ରାନ୍ସର ବୋର୍ଡଏକ୍ସ ସ୍ଥିତ ମରିନାକ ବାୟୁସେନା ଆଡ୍ଡାରୁ ଭାରତ ଅଭିମୁଖେ ବାହାରିଥିଲା ପ୍ରଥମ ୫ଟି ରାଫେଲ ଜେଟ । ଭାରତୀୟ ବାୟୁସେନା ଏୟାର ବେସ୍ରେ ପହଞ୍ଚିଛି ଏହି ଯୁଦ୍ଧ ବିମାନ ।
ଗତ ଚାରି ବର୍ଷ ତଳେ ଭାରତୀୟ ବାୟୁସେନା ୩୬ଟି ରାଫେଲ ବିମାନ କିଣିବାକୁ ଫ୍ରାନ୍ସ ସହିତ ପ୍ରାୟ ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା। ଏହି ପାଞ୍ଚଟି ବିମାନ ମଧ୍ୟରୁ ତିନିଟି ସିଙ୍ଗଲ ସିଟର ହୋଇଥିବା ବେଳେ ଅନ୍ୟ ଦୁଇଟି ଡବଲ ସିଟର ବିମାନ ରହିଛି । ଆସନ୍ତୁ ଜାଣିବା ଏହି ରାଫେଲ ବିମାନ ବିଷୟରେ କିଛି ଖାସ କଥା ।
ରାଫେଲ ବିମାନର ଲମ୍ବ ୧୦.୩ ମିଟର ଏବଂ ଓସାର ୫.୩ ମିଟର। ଓଜନ ୧୦ ଟନ୍ । ଏହା ସହିତ ଏଥିରେ M-8882 ର ଦୁଇଟି ଇଞିନ ଲାଗିଛି । ରାଫେଲର ବିଶେଷତ୍ୱ ହେଉଛି,ଏହି ବିମାନ ଘଣ୍ଟା ପ୍ରତି ୧୩୮୯ କିଲୋମିଟର ବେଗରେ ଉଡ଼ିପାରେ । ପୁଣି ପ୍ରାୟ ୩୭୦୦ କିଲାମିଟର ଦୂରକୁ ଲକ୍ଷ୍ୟ ଭେଦ କରିପାରିବ । ଆହୁରି ମଧ୍ୟ ଏହା ଆକାଶରେ ଉଡୁଥିବା ବେଳେତେଲ ସରି ଆସିଲେ ନିଜେ ନିଜେ ତେଲ ଭରି ପାରିବ ।ଏହି ଫାଇଟର ଜେଟର MBDA MICA, MBDA METER, ଓ MBDA APACHI STORM SHADOW SCAALP ନାମକ ତିନିଟି ଶକ୍ତିଶାଳୀ ମିସାଇଲ ଲାଗିଛି ଯାହା ଦେଶର ବାୟୁସେନାକୁ ବହୁଗୁଣରେ ଶକ୍ତିଶାଳୀ କରିବ । ନିକଟରେ ଭାରତ ଓ ଚୀନ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ପରେ ଦୁଇ ଦେଶ ଭିତରେ ଉପୁଜିଥିଲା ଯୁଦ୍ଧ ପରିସ୍ଥିତି । ଏହି ପରିପ୍ରେକ୍ଷୀରେ ରାଫେଲ ପହଞ୍ଚିବା ଘଟଣା ଭାରତୀୟ ସେନାର ସାହସ ବଢ଼ାଇଛି । ପରୋକ୍ଷରେ ଚୀନ୍ ଓ ପାକିସ୍ତାନକୁ ଏହା ଚେତାବନୀ କହିଲେ ଭୁଲ ହେବ ନାହିଁ ।