Below header

ମଣିଷ ଜୀବନ ଭଗବାନଙ୍କ ଦାନ; ଏହାକୁ ଏଭଳି ଭାବେ ଶେଷ କର ନାହିଁ

ଆତ୍ମହତ୍ୟା । ଈଶ୍ୱର ଦେଇଥିବା ଅମୂଲ୍ୟ ଜୀବନକୁ ନିଜ ହାତରେ ଶେଷ କରି ଦେବାର ଏକ ଉପାୟ । ଏକ ରିପୋର୍ଟ ଅନୁଯାୟୀ ସାରା ବିଶ୍ୱରେ ପ୍ରତି ବର୍ଷ ପ୍ରାୟ ୮ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଭାରତରେ ଏହି ସଂଖ୍ୟା ୧ ଲକ୍ଷ ୩୫ ହଜାର । ଯାହା ସାରା ବିଶ୍ୱର ସଂଖ୍ୟାକୁ ହିସାବକୁ ନେଲେ ହେଉଛି ୧୭ ପ୍ରତିଶତ । ଏଥିରେ ୧୫ରୁ ୨୯ ବର୍ଷ ବୟସ ବର୍ଗର ଯୁବକ ଯୁବତୀ ମାନଙ୍କ ସଂଖ୍ୟା ସର୍ବାଧିକ । ତେବେ ଆତ୍ମହତ୍ୟା ପ୍ରବଣତା ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ଦେଖା ଯାଇଛି । ଅବଶ୍ୟ ବର୍ତ୍ତମାନ ପ୍ରାୟ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ଦେଖା ଦେଉଛି । ସେ ଋଣ ଭାରରେ ହେଉ ବା ପାରିବାରିକ କଳହ ଜନିତ ହେଉ କିମ୍ବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଜନିତ ଚାପ ଏମିତି ଅନେକ କାରଣରୁ ଆତ୍ମହତ୍ୟା କରିଥାନ୍ତି ଲୋକେ । ବ୍ୟକ୍ତି ଏକ ଦୁର୍ବଳ ମୁହୂର୍ତ୍ତରେ ମାନସିକ ଭାରସ୍ୟାମ ହରାଇ ଏହି ନିଷ୍ପତ୍ତି ନେଇଥାନ୍ତି । କେଉଁ କେଉଁ କାରଣ ଯୋଗୁଁ ମଣିଷ ଏହି ଭୟଙ୍କର ପଦକ୍ଷେପ ନେଇଥାଏ ଆସନ୍ତୁ ଜାଣିବା ।

SUICIDE-1

ସମୟ ଅନୁସାରେ ବଢୁଥିବା ଚିନ୍ତା :

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ସବୁ ବର୍ଗର ଲୋକ ମାତ୍ରାଧିକ ଚାପରେ ରହୁଛନ୍ତି । କେହି କେହି ଏହି ଚାପରୁ ବର୍ତ୍ତିବାକୁ ସକ୍ଷମ ହୋଇପାରୁଥିବା ବେଳେ ଆଉ କେହି ଜୀବନ ଜଞ୍ଜାଳରେ ଫେଲ୍‌ ହୋଇଯାଉଛନ୍ତି । ଏବେକାର ଧାଁ ଦୌଡ଼ ଜୀବନ ଶୈଳୀ, ଭୌତିକ ପଦାର୍ଥ ପ୍ରତି ଅହେତୁକ ଆକର୍ଷଣ, ପ୍ରତିଯୋଗିତା ପରାୟଣ ମାନସିକତା ବା କମ୍ପିଟିସନ୍‌ ମାଇଣ୍ଡ ଆମକୁ ପ୍ରବଳ ମାନସିକ ଚାପରେ ପକାଇ ଦେଉଛି । ଯେଉଁଥି ପାଇଁ ଲୋକେ ଏପରି ଚରମ ପଦକ୍ଷେପ ନେଉଛନ୍ତି । ଆତ୍ମହତ୍ୟାର ଏହା ହେଉଛି ଏକ ପ୍ରମୁଖ କାରଣ । ବେକାରୀ ସଂଖ୍ୟା ବୃଦ୍ଧି, ଅର୍ଥ ପ୍ରତି ମାତ୍ରାଧିକ ଆକର୍ଷଣ, ମଉଜ ମଜଲିସ୍‌ ଜୀବନ ଜୀଇବାର ସ୍ୱପ୍ନ ମଧ୍ୟ ଆତ୍ମହତ୍ୟାର ଅନ୍ୟତମ କାରଣ ।

SUICIDE-2

ଚାପ କେତେ ପ୍ରକାରର :

ଦେଖିବାକୁ ଗଲେ ମାନସିକ ଚାପ ଦୁଇ ପ୍ରକାର ହୋଇଥାଏ । ସକାରାତ୍ମକ ଓ ନକାରାତ୍ମକ । ସକାରାତ୍ମକ ମାନସିକ ଚାପରେ ବ୍ୟକ୍ତି ସବୁବେଳେ ଜୀବନରେ ଆଗକୁ ବଢିବାକୁ ଚେଷ୍ଟା କରିଥାଏ । ନିଜ କ୍ୟାରିୟରରେ କିପରି ଉନ୍ନତ ପ୍ରଦର୍ଶନ କରିବ ସେ ଚିନ୍ତାରେ ରହିଥାଏ । କିନ୍ତୁ ନକାରାତ୍ମକ ଚିନ୍ତାରେ ପଡିଲେ ମନୁଷ୍ୟ ନିଜ ଶରୀରର ହିଁ କ୍ଷତି କରିବସେ । ଉଭୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ଅବନତି ଦେଖାଦେଇଥାଏ ।

ଚାପ ଗ୍ରସ୍ତ ଲୋକଙ୍କ ଲକ୍ଷଣ :

ମାତ୍ରାଧିକ ଚାପରେ ଥିବା ବ୍ୟକ୍ତି ଠାରେ କୌଣସି ପ୍ରକାରର ଆଗ୍ରହ ଦେଖାଯାଏ ନାହିଁ । କାମ କରିବାର ଇଛାଶକ୍ତି ହିଁ ମରିଯାଏ । ଏହି ଧରଣର ବ୍ୟକ୍ତି ନିଜକୁ ଅସହାୟ ମନେ କରିବା ସହ ଜୀବନର ପ୍ରକୃତ ଅର୍ଥ ମଧ୍ୟ ଭୁଲିଯାନ୍ତି । ବଂଚିବାର କୌଣସି ଲକ୍ଷ୍ୟ ସେମାନଙ୍କ ପାଖରେ ନଥଏ । ହତାଶାରେ ଲୋକମାନେ ଆତ୍ମହତ୍ୟା ଉଦ୍ୟମ କରିଥାନ୍ତି ।

ବ୍ୟସ୍ତବହୁଳ ଜୀବନଶୈଳୀ :

ଅତ୍ୟଧିକ କାମର ଚାପ ଯୋଗୁଁ ଆଜିକାଲିର ଚାକିରିଆମାନେ ଆଉ ନିଜ ପାଇଁ ସମୟ ବାହାର କରି ପାରୁନାହାନ୍ତି । ନିଜ ସ୍ୱାସ୍ଥ୍ୟର ଯତ୍ନ ଠିକ ଭାବେ ନେଇ ପାରୁନାହାନ୍ତି । ଆବଶ୍ୟକ ବିଶ୍ରାମ ଅଭାବରୁ ମାନସିକ ଚାପ ମଧ୍ୟ ବଢିଥାଏ । କାମରେ ବ୍ୟସ୍ତତା ଯୋଗୁଁ ପରିବାର, ଜ୍ଞାତିପରିଜନ, ସାହିପଡିଶା ସମସ୍ତଙ୍କ ସହ ଧୀରେ ଧୀରେ ସମ୍ପର୍କ ଛିନ୍ନ ହେବାରେ ଲାଗିଛି । ସାମାଜିକ ସମ୍ପର୍କ କ୍ଷୀଣ ହେବା ଯୋଗୁଁ ବ୍ୟକ୍ତ ତାର ଦୁଃଖ କଷ୍ଟ ଆଉ କାହା ସହିତ ଭାଗ କରି ପାରୁ ନାହିଁ । ଯାହା ମଣିଷକୁ ଏକଲା ଓ ନିଃସଙ୍ଗ କରିଦିଏ । ଫଳରେ ବ୍ୟକ୍ତି ନିଜକୁ ଶେଷ କରିଦେବା ଭଳି ନିଷ୍ପତ୍ତି ନିଏ ।

ସାମାଜିକ ଗଣମାଧ୍ୟମର ର ପ୍ରଭାବ :

ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ପ୍ରଭାବ ପ୍ରତ୍ୟକ ପିଢ଼ିକୁ ଆକର୍ଷିତ କରିଥିଲେ ମଧ୍ୟ ଯୁବକ ଯୁବତୀଙ୍କ କ୍ଷେତ୍ରରେ ଏହା ସର୍ବାଧିକ । ଦିନର ଅଧିକାଂଶ ସମୟ ଏମାନେ ଏହି ଗଣମାଧ୍ୟମରେ ହିଁ କାଟିଥାନ୍ତି । ଏଥିରେ ରହିଥିବା ବିଭିନ୍ନ ଘଟଣାକୁ ନିଜ ଜୀବନ ଶୈଳୀରେ ସାମିଲ କରିବାକୁ ମଧ୍ୟ ପଛାନ୍ତି ନାହିଁ । ନିକଟରେ ପବ୍‌ଜି ଭଳି କିଛି ଖେଳ ଦ୍ୱାରା ପ୍ରଭାବିତ ହୋଇ ସ୍କୁଲ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି ।

SUICIDE-3ସୋସିଆଲ ମିଡିଆ ଦ୍ୱାରା ଲୋକେ ବାସ୍ତବ ଦୁନିଆଠୁ ବାହାରେ ଅନ୍ୟ ଏକ ସ୍ୱପ୍ନର ଦୁନିଆକୁ ଚାଲି ଯାଆନ୍ତି । ଚିତ୍ରରେ ପ୍ରଦର୍ଶିତ ପ୍ରତ୍ୟକ ଘଟଣାକୁ ସତ ବୋଲି ଭାବି ବସନ୍ତି । ସେସବୁ ପୂରଣ ନହେଲେ ଏକ ବିକୃତ ମାନସିକତା ଜନ୍ମ ନେଇଥାଏ । ନିକଟରେ ପ୍ରକାଶିତ ଏକ ସର୍ଭେ ରିପୋର୍ଟ ଅନୁସାରେ ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷ ୫୩ ହଜାର ଲୋକ ବିଶେଷ ଭାବେ ଏହି କାରଣ ଯୋଗୁଁ ଆତ୍ମହତ୍ୟା କରିପାରନ୍ତି ।

ବର୍ତ୍ତିବା ପାଇଁ କି ପଦକ୍ଷେପ ନେବେ

କଥାରେ ଅଛି ମଣିଷ ଜୀବନ ଅମୂଲ୍ୟ । ଏହା ସ୍ୱତଃ ଭାବେ ଆମକୁ ମିଳି ନାହିଁ । ଈଶ୍ୱରଙ୍କ ଆଶୀର୍ବାଦରୁ ମଣିଷ ଜନ୍ମ ମିଳିଥାଏ । କେବଳ ଭୀରୁମାନେ ହିଁ ନିଜେ ନିଜର ଜୀବନକୁ ଶେଷ କରିବା ଭଳି ନିଷ୍ପତ୍ତି ନିଅନ୍ତି । କାରଣ ସେମାନେ ଭାବନ୍ତି ଯେ ଏହା ଆଗକୁ ଆଉ ସେମାନଙ୍କ ପାଖରେ କୌଣସି ରାସ୍ତା ନାହିଁ । ହେଲେଏକଥା ମଧ୍ୟ ସତ ପ୍ରକୃତରେ ବାଟ ଖୋଜୁଥିବା ଲୋକକୁ ବାଟ ମିଳିଯାଏ । ତେଣୁ ଏଭଳି ପରିସ୍ଥିତିରୁ ନିଜକୁ ରକ୍ଷା କରିବା ପାଇଁ ସାବଧାନ ହେବାକୁ ପଡ଼ିବ । କି କି ପଦକ୍ଷେପ ନେଲେ ଆମେ ଏଥିରୁ ବର୍ତି ପାରିବା ଆସନ୍ତୁ ଜାଣିବା ।..

SUICIDE-5

ଶରୀର ପ୍ରତି ଧ୍ୟାନ ଦେବା :

କଥାରେ ଅଛି ସ୍ୱାସ୍ଥ୍ୟ ହିଁ ସମ୍ପଦ । ନିଜ ଶରୀର ପ୍ରତି ଧ୍ୟାନ ଦେବା ସମସ୍ତଙ୍କର ପ୍ରମୁଖ କାମ ହେବ ଉଚିତ । ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ନିଜ ଦୈନନ୍ଦିନ କାର୍ଯ୍ୟକୁ ସୁଚାରୁ ରୂପେ କରିବା ଦରକାର । ସଠିକ ସମୟରେ ଖାଇବା, ସଠିକ ସମୟରେ ଶୋଇବା ଏବଂ ଠିକ ସମୟରେ ଶଯ୍ୟା ତ୍ୟାଗ କରିବ ନିତାନ୍ତ ଆବଶ୍ୟକ । କିଛି ଚାପ ନିୟନ୍ତ୍ରଣକାରୀ ଖାଦ୍ୟ ଖାଇବା ଉଚିତ । କାରଣ ଶରୀର ଯଦି ସୁସ୍ଥ ରହେ ତେବେ ମନ ମଧ୍ୟ ଭଲ ରହିବ ।

SUICIDE-9

ପରିବାରକୁ ସମୟ ଦେବା :

ଜଣେ ବ୍ୟକ୍ତିକୁ ନିଜ ପରିବା ପାଇଁ ସମୟ ଦେବା ନିହାତି ଜରୁରୀ । ପରିବାରକୁ ସମୟ ଦେଲେ ନିଜ ମଧ୍ୟରେ ବୁଝାମଣା ଠିକ ରହିବ । ଏହା ସହ ପରିବାର ମଧ୍ୟରେ ଶାନ୍ତି ଶୃଙ୍ଖଳା ବଜାୟ ରହିଥାଏ। ବିଭିନ୍ନ ପ୍ରକାର ଉତ୍ତେଜକ ଜିନିଷ ଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖିବା ଉଚିତ । ନିଜର ଅତି ବିଶ୍ୱସ୍ତ ଲୋକଙ୍କ ସହ କଥା ବାଣ୍ଟିବା ନିହାତି ଆବଶ୍ୟକ । ଯାହା ଦ୍ୱାରା ଆତ୍ମହତ୍ୟା ପ୍ରବଣତା ମନରୁ ଧୀରେ ଧୀରେ ଦୂରେଇଯିବ ।
ଏପରିକି କୌଣସି ବ୍ୟକ୍ତିଙ୍କ ଠାରେ କିଛି ଅସ୍ୱାଭାବିକ ଆଚରଣ ଦେଖାଦେଲେ ବା ସନ୍ଦେହ ହେଲେ ତାଙ୍କୁ ସାନ୍ତ୍ୱନା ମାଧ୍ୟମରେ ବୁଝାଇଦେବା ଆବଶ୍ୟକ । ଯଦି ପରିସ୍ଥିତି ଅତି ଜଟିଳ ହୋଇପଡେ ତେବେ ମାନସିକ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ସକାରାତ୍ମକ ଚିନ୍ତା ଧାରା :

ସେ ଛୋଟ ହେଉ କି ବଡ଼, ସମସ୍ୟାର ସମାଧାନ ପାଇଁ ଯଦି ଆମେ ସକାରାତ୍ମକ ଚିନ୍ତା କରିବା ତେବେ ନିଶ୍ଚିତ ଭାବେ ଆମକୁ ସମାଧାନର ସୂତ୍ର ମିଳିବ । ଆଉ ଯଦି କିଛି ହୋଇ ପାରିବନି ବୋଲି ଭାବିବା ତେବେ ବାଟି ଦେଖାଯିବ ନାହିଁ । ପ୍ରତ୍ୟେକ ସମୟରେ ଚିନ୍ତାଧାରାକୁ ସକାରାତ୍ମକ ରଖିଲେ ଆପେ ଆପେ ଆମର ଅନେକ ସମସ୍ୟା ଦୂରେଇଯିବ ।

SUICIDE-4

ଉଦାହରଣ ସ୍ୱରୂପ, ଆପଣ ଯଦି ଘରୋଇ କଳି ବେଳେ ପତ୍ନୀଙ୍କ ସହ ଯୁକ୍ତିତର୍କ କରୁଛନ୍ତି ତେବେ ବିବାଦ ଆହୁରି ବଢ଼ିଯିବ । ଆଉ ଯଦି ଦୁଇ ଜଣଙ୍କ ଭିତରୁ ଜଣେ ନିରବ ରହି କେବଳ କଥାକୁ ଶୁଣିଯିବ ତେବେ ଦେଖିବେ ଅପରପକ୍ଷ ନିଜେ ହିଁ କିଛି ସମୟ ଭିତରେ ଚୁପ୍‌ ହୋଇଯିବେ । ଏଭଳି ସାକାରାତ୍ମକ ମନୋଭାବ ଆପଣଙ୍‌କୁ ଅନେକ ବିପଦରୁ ରକ୍ଷା କରିବ । ଆଉ ଆତ୍ମହତ୍ୟା ଭଳି ଭୟଙ୍କର କାର୍ଯ୍ୟରୁ ଦୂରେଇ ନେବ ।

ବ୍ୟୁରୋ ରିପୋର୍ଟ, କେ ନ୍ୟୁଜ୍‌ ଓଡ଼ିଶା
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.