କଚୁଡ଼ି ଖାଇବାକୁ ଇଚ୍ଛା ହେଲା ବୋଲି… ମଝି ରାସ୍ତାରେ ଟ୍ରେନ୍‌ ଅଟକାଇ ଜଳଖିଆ ଆଣିବାକୁ ଗଲେ ଲୋକୋ ପାଇଲଟ୍‌, ଦେଖନ୍ତୁ ଭିଡିଓ

ମନ ପସନ୍ଦର ଖାଦ୍ୟ ଖାଇବାକୁ ଆମେ ରାସ୍ତାରେ ଅନେକ ଥର ଅଟକିଥିବା। ଗାଡ଼ି ଅଟକାଇ ପ୍ରିୟ ଖାଦ୍ୟ ଖାଇ ବି ଥିବା। କିନ୍ତୁ କେବେ କୌଣସି ଟ୍ରେନ୍‌ରେ ଯିବା ବେଳେ ଏମିତି କରି ହୁଏନି। କାରଣ ପବ୍ଲିକ୍‌ ଟ୍ରାନ୍ସପୋର୍ଟର କିଛି ନିୟମ ରହିଛି। ଟ୍ରେନ୍‌କୁ ମନ ଇଚ୍ଛା ଅଟକାଇ ହୁଏନି। ଏଣୁ ଟ୍ରେନ୍‌କୁ ରାସ୍ତାରେ ଅଟକାଇ ଖାଦ୍ୟ କିଣିବା ବୋଧେ ପୂର୍ବରୁ କେହି ଶୁଣିନଥିବେ। କିନ୍ତୁ ସତରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ଏଠାରେ ଜଣେ ଲୋକୋ ପାଇଲଟ୍‌ ଜଳଖିଆରେ କଚୁଡ଼ି ଖାଇବା ପାଇଁ ଯାତ୍ରୀବାହୀ ଟ୍ରେନ୍‌କୁ ରୋକିଦେଇଛନ୍ତି।

ଜଳଖିଆ ପାଇଁ ଟ୍ରେନ୍‌କୁ ଅଟକାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ଟ୍ଵିଟର ୟୁଜର ଏହି ଭିଡିଓ କ୍ଲିପ୍‌ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ଜଣେ ବ୍ୟକ୍ତି ଟ୍ରେନ୍‌ ଧାରଣା ମଝିରେ ଅପେକ୍ଷା କରିଛନ୍ତି। କିଛି ସେକେଣ୍ଡ ପରେ ତାଙ୍କ ପାଖରେ ଏକ ଟ୍ରେନ୍‌ ଆସି ରହୁଛି। ଏହା ପରେ ଉକ୍ତ ବ୍ୟକ୍ତି ଜଣକ ଲୋକୋ ପାଇଲଟ୍‌ଙ୍କୁ କଚୁଡ଼ି ଥିବା ଏକ ପ୍ୟାକେଟ୍‌ ଦେଉଛନ୍ତି। ପ୍ୟାକେଟ୍‌ ପାଇବାପରେ ଲୋକୋ ପାଇଲଟ୍‌ ଟ୍ରେନ୍‌କୁ ଆଗକୁ ନେଉଥିବା ଦେଖାଯାଇଛି।

ଏହି ସମୟରେ ସେଠାରେ ଉପସ୍ଥିତ କେହି ଜଣେ ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ବେଆଇନ୍‌ ବୋଲି କହୁଥିବା ବେଳେ ଆଉ କିଛି ମଜା ନେଉଥିବା ଦେଖାଯାଇଛି।

ଅନ୍ୟପଟେ ଏହି ଭିଡିଓ ଭାଇରାଲ ହେବା ପରେ ଉତ୍ତର-ପଶ୍ଚିମ ରେଲେଓ୍ଵ ଏଥିରେ ସାମିଲ ଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଲୋକୋ ପାଇଲଟ୍‌, ସହାୟକ ଲୋକୋ ପାଇଲଟ୍‌, ୨ ଗେଟ୍‌ ମ୍ୟାନ୍‌ ଓ ଜଣେ ଷ୍ଟେସନ୍‌ ମାଷ୍ଟର ସମେତ ୫ ଜଣଙ୍କୁ ନିଲମ୍ବିତ କରିଛନ୍ତି। ଷ୍ଟେସନ୍‌ ମାଷ୍ଟରଙ୍କ ବ୍ୟତୀତ ବାକି ୪ ଜଣଙ୍କୁ ରେଲେଓ୍ଵ ପକ୍ଷରୁ ଚାର୍ଜ ସିଟ୍‌ ମଧ୍ୟ ଜାରି କରାଯାଇଛି।