ଭଗବାନ ଶିବଙ୍କ ରୂପ ଅନ୍ୟ ଦେବତାଙ୍କ ଠାରୁ ଭିନ୍ନ କାହିଁକି, ଜାଣନ୍ତୁ

ସନାତନ ଧର୍ମରେ ଭଗବାନ ଶିବଙ୍କୁ ବହୁତ ମାନ୍ୟତା ଦିଆଯାଇଛି । ଦେଶର ବିଭିନ୍ନ ସ୍ଥାନରେ ଭଗବାନ ଶିବଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ଶିବ ଭକ୍ତମାନେ ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବାକୁ ପ୍ରୟାସ କରିଥାନ୍ତି । ସୋମବାର ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି। ବିଶେଷ କରି ଯଦି ତାଙ୍କୁ ଏହି ଦିନ ପୂର୍ଣ୍ଣ ବିଶ୍ୱାସ ସହିତ ପୂଜା କରାଯାଏ, ତେବେ ସେ ନିଶ୍ଚିତ ଭାବରେ ଭକ୍ତଙ୍କ କଷ୍ଟକୁ ଶୁଣିଥାନ୍ତି । ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଶିବ ନିଜ ଭକ୍ତଙ୍କ ଦ୍ୱାରା ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବଙ୍କ ଶରଣରେ ଯିଏବି ଆସନ୍ତି ସେ ତାଙ୍କର ସାନିଧ୍ୟ ପ୍ରାପ୍ତ କରିଥାଏ ।

ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ ସ୍ଥାନ ଖୁବ ସ୍ୱତନ୍ତ୍ର। ବ୍ରହ୍ମା ସୃଷ୍ଟି କର୍ତ୍ତା ହେଲେ ବିଷ୍ଣୁ ପାଳନ କର୍ତ୍ତା ଓ ସ୍ୱୟଂ ମହଦେବ ସୃଷ୍ଟିର ସଂହାର କର୍ତ୍ତା। ସହସ୍ରନାମରେ ମହାଦେବ ଏ ଧରାପୃଷ୍ଠରେ ପୂଜା ପାଆନ୍ତି।

ତେବେ ସବୁ ଦେବ ଦେବୀଙ୍କ ତୁଳନାରେ ଭଗବାନ ଶିବଙ୍କ ସ୍ୱରୂପ ଟିକିଏ ଭିନ୍ନ । ସନାତନ ଧର୍ମରେ ଭଗବାନ ଶିବଙ୍କୁ ସଂହାର ଦେବତା ବୋଲି କୁହାଯାଏ । ଅତ୍ୟନ୍ତ ଭୋଳା ହେବା କାରଣରୁ ତାଙ୍କର ନାମ ଭୋଳାନାଥ । ଅନ୍ୟ ଦେବତା ନିଜର ଆଭୂଷଣ ଓ ବସ୍ତ୍ରରେ ବେଶ୍‌ ଚାକଚକ୍ୟ ଥିଲାବେଳେ ଭୋଳାନାଥ କିନ୍ତୁ ନା ଆଭୂଷଣ ପିନ୍ଧନ୍ତି ନା ବସ୍ତ୍ର । ପୁରା ଶରୀରରେ ବୋଳନ୍ତି ଭଷ୍ମ ଓ ଗଳାରେ ଧାରଣ କରନ୍ତି ସର୍ପ । ଏହାର କାରଣ ବିଷୟରେ ହୁଏତ ଆପଣ ଜାଣି ନଥିବେ । ଆସନ୍ତୁ ଜାଣିବା ଭଗବାନ ଶିବଙ୍କ ବେଶ ସମ୍ପର୍କରେ ଏହି ରହସ୍ୟ ।

shiva

ଭସ୍ମ:
ପୂରାଣ ତଥ୍ୟ ଅନୁଯାୟୀ ଭଗବାନ ଶିବ ସବୁ ଆକର୍ଷଣର ଉର୍ଦ୍ଧ୍ୱରେ । ତାଙ୍କୁ ସଂସାରର ସବୁ ମୋହ ମାୟା ଯେମିତି ପାଉଁଶ ସଦୃଶ ଲାଗିଥାଏ । ସେଥିପାଇଁ ସେ ଶରୀରରେ ଭସ୍ମ ଲଗାଇଥାନ୍ତି । କୁହାଯାଏ ଭସ୍ମ ଅଭିଷେକ ଦ୍ୱାରା ବୈରାଗ ଓ ଜ୍ଞାନ ପ୍ରାପ୍ତ ହୋଇଥାଏ ।

ଗଳାରେ ସର୍ପ :
ଭଗବାନ ଶିବ ଗଳାରେ ସର୍ପ ଧାରଣ କରିଥାନ୍ତି । ଗଳାରେ ଧାରଣ କରୁଥିବା ନାଗ ହେଉଛନ୍ତି ନାଗରାଜ ବାସୁକୀ ଯେ କି ଋଷି କଶ୍ୟପଙ୍କ ଦ୍ୱିତୀୟ ପୁତ୍ର । ସେ ମଧ୍ୟ ଭଗବାନ ଶିବଙ୍କ ପରମ ଭକ୍ତ ।

ମଥାରେ ଚନ୍ଦ୍ରମା :
କୁହାଯାଏ ମହାରାଜ ଦକ୍ଷ ଚନ୍ଦ୍ରମାଙ୍କୁ କ୍ଷୟ ରୋଗରେ ଗ୍ରାସିତ ହେବାକୁ ଅଭିଶାପ ଦେଲେ, ଚନ୍ଦ୍ରମା ଏଥିରୁ ବଞ୍ଚିବା ପାଇଁ ଭଗବାନ ଶିବଙ୍କ ଶରାଣାପନ୍ନ ହେଲେ । ଚନ୍ଦ୍ରମାଙ୍କ ପୂଜା ପାଠରେ ଶିବ ସନ୍ତୋଷ ହୋଇ ଚନ୍ଦ୍ରମାଙ୍କୁ ମସ୍ତକରେ ଧାରଣ କଲେ ଓ ତାଙ୍କର ପ୍ରାଣ ରକ୍ଷା କଲେ । ଚନ୍ଦ୍ରମାଙ୍କର ପ୍ରାଣ ରକ୍ଷା ସିନା ହେଲା ହେଲେ ଆଜି ବି ତାଙ୍କର କ୍ଷୟ ହେବା ଓ ବଢ଼ିବା ମହାରାଜ ଦକ୍ଷଙ୍କ ଅଭିଶାପ ବୋଲି ମନାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.