ଭାରତର ଏପରି ଏକ ମନ୍ଦିର ଯେଉଁଠାରେ ଭକ୍ତଙ୍କୁ ପ୍ରସାଦରେ ମିଳେ ସୁନା

ଭାରତୀୟ ପରମ୍ପରାରେ ମନ୍ଦିର ଏବଂ ଏନେଇ ଲୋକଙ୍କ ମନରେ ଭରି ରହିଛି ଅନେକ ଆସ୍ଥା। ଭକ୍ତଗଣ ମନ୍ଦିରରେ ପୂଜା କରି ପ୍ରସାଦ ଚଢ଼ାଇ ଭଗବାନଙ୍କ ନିକଟରେ ଆର୍ଶିବାଦ ମାଗିବା ସହ କିଛି ଭୋଗ ଧରି ଘରକୁ ଫେରିଥାନ୍ତି। କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଭକ୍ତଙ୍କୁ ମନ୍ଦିରରେ ପ୍ରସାଦ ବା ଭୋଗ ଭାବେ ମିଳିଥାଏ ସୁନା। ଆଜ୍ଞା ଆପଣ ଠିକ୍ ଶୁଣିଛନ୍ତି, ମଧ୍ୟପ୍ରଦେଶର ରତଲାମ ସହରର ମାଣକ ଅଞ୍ଚଳରେ ମାତା ଲକ୍ଷ୍ମୀଙ୍କର ଏକ ପ୍ରାଚୀନ ମନ୍ଦିର ରହିଛି। ଏଠାରେ ପୂଜା ପାଇଁ ଆସିଥିବା ଭକ୍ତଙ୍କୁ ଭୋଗ ହିସାବରେ ଦିଆଯାଇଥାଏ ସୁନା।
ଲକ୍ଷ୍ମୀଙ୍କ ଏହି ମନ୍ଦିରକୁ ପ୍ରତି ବର୍ଷ ବହୁ ସଂଖ୍ଯାକ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। କିନ୍ତୁ ଦୀପାବଳିର ଧନତେରସ ସମୟରେ ଏଠାରେ ୫ ଦିନ ପର୍ଯ୍ଯନ୍ତ ପାଳନ କରାଯାଇଥାଏ ଉତ୍ସବ। ଏହି ସମୟରେ ଫୁଲରେ ନୁହଁ ବରଂ ମନ୍ଦିରକୁ ଟଙ୍କା ଏବଂ ଗହଣାରେ ସଜ୍ଜା ଯାଇଥାଏ।
ପାଞ୍ଚଦିନର ଏହି ଉତ୍ସବରେ କୁବେରର ଦରବାରର ମଧ୍ୟ ଆୟୋଜନ କରାଯାଇଥାଏ। ବର୍ଷ ଯାକ ଭକ୍ତଙ୍କ ଦାନ କରାଯାଇଥିବା ଟଙ୍କା ଏବଂ ଗହଣାରେ ମାଁଙ୍କ ମନ୍ଦିରକୁ ସଜ୍ଜା ଯାଇଥାଏ ପରେ ପ୍ରସାଦ ଭାବେ ତାହାକୁ ଭକ୍ତଙ୍କୁ ପ୍ରଦାନ କରାଯାଇଥାଏ।
ଦୀପାବଳି ସମୟରେ ମନ୍ଦିରର କବାଟ ୨୪ ଘଣ୍ଟା ଖୋଲା ରଖାଯାଇଥାଏ। ଏପରିକି ଧନତେରସ ଅବସରରେ ମହିଳାଙ୍କୁ କୁବେର ପୋଟଲି ମଧ୍ୟ ଦିଆଯାଇଥାଏ। ଏହି ମନ୍ଦିରକୁ ଆସିଥିବା ଭକ୍ତଙ୍କୁ ଖାଲି ହାତରେ ପଠାଯାଇନଥାଏ।
ମାନ୍ଯତା ଅନୁଯାୟୀ, ମହାଲକ୍ଷ୍ମୀଙ୍କ ମନ୍ଦିରରୁ ନେଇଥିବା ସେହି ଟଙ୍କା ବା ସୁନାକୁ ଘରେ ରଖିବା ଦ୍ବାରା ଘରେ ଧନର କୌଣସି ଅଭାବ ହୋଇନଥାଏ। ଏଠାରେ ମିଳିଥିବା ସୁନା ବା ଟଙ୍କାକୁ ଶୁଭ ଭାବି ଭକ୍ତ ନିଜ ପାଖରେ ରଖିଥାନ୍ତି, ତାହାକୁ ଖର୍ଚ୍ଚ କରନ୍ତି ନାହିଁ।
ମନ୍ଦିରରେ ଗହଣା ଏବଂ ଟଙ୍କା ଚଢ଼ାଇବା ବହୁ ପୁରୁଣା ପରମ୍ପରା। ବର୍ଷ ଯାକ ଭକ୍ତ ଏହି ମନ୍ଦିରରେ ଚଢ଼ାଇଥାନ୍ତି ଟଙ୍କା ଏବଂ ଗହଣା ଯାହା ସେଠାରେ ରେଜିଷ୍ଟର ମାଧ୍ୟମରେ ତାହାର ସମସ୍ତ ସୂଚନା ରଖାଯାଇଥାଏ। ପରେ ଦୀପାବଳି ସମୟରେ ସେହି ରେଜିଷ୍ଟର ହିସାବରେ ଭକ୍ତଙ୍କ ସୁନା ଏବଂ ଟଙ୍କା ତାଙ୍କୁ ଭୋଗ ଭାବେ ଫେରସ୍ତ କରାଯାଏ।