Below header

ଗର୍ଭବତୀ ବୋହୂକୁ ମାରି ଶୁଆଇଦେଲେ ରାସ୍ତାରେ, ବାରମ୍ବାର ହେଉଥିଲା ଯୌତୁକ ନିର୍ଯ୍ୟାତନା

୮ ମାସ ତଳେ ବିବାହିତ ପୁରୁଷଙ୍କୁ ପ୍ରେମ ବିବାହ କରିଥିଲେ ଯୁବତୀ, ଆଜି ମିଳିଲା ମୃତଦେହ

ଭଦ୍ରକ (କେନ୍ୟୁଜ) : ବାପା ତୁମର ଅଝଟ ଝିଅଟାକୁ କ୍ଷମା କରିଦେବ । ତୁମ କଥା ମାନିଲିନି ବୋଲି ଆଜି ମୋତେ ମାରିଦେଲେ । ମାରିକି ମୋତେ ପକାଇ ଦେଇଛନ୍ତି ରାସ୍ତାରେ । ବାପା ବୋଉ ତୁମେ କାନ୍ଦନା । ତୁମର ଏ ଝିଅ ତୁମ କଥା ନମାନି ଆଜି ମୃତ୍ୟୁ ଶେକ୍ଷରେ ଶୋଇଯାଇଛି ବାପା । ମୋତେ ଜିଇଁଇବାକୁ ଭାରି ଇଚ୍ଛା ଥିଲା ବାପା । କାହିଁକି ଜାଣିଛ ତୁମେ ଅଜା ହେବାକୁ ଯାଉଥିଲ । ହଁ ବାପା ମୁଁ ଗର୍ଭବତୀ ଥିଲି, ନିଜ ସନ୍ତାନ ପାଇଁ ଭାରି ଖୁସି ଥିଲି । ଭାବିଲି ପିଲାଟିଏ ପରେ ସବୁ ଠିକ ହେଇଯିବ, କିନ୍ତୁ ପିଲା ଜନ୍ମ ହେବା ପୂର୍ବରୁ ତାକୁ ପେଟରେ ମାରିଦେଲେ ବାପା । ତୁମ ଝିଅଟା ଭାରି କଷ୍ଟ ପାଇଛି । ମୁଁ ତୁମ କଥା ନମାନି ନିଜ ଇଚ୍ଛାରେ ଗୋଟେ ବିବାହିତ ପୁଅକୁ ବାହା ହେଇଗଲି । ତୁମକୁ ଦୁଃଖ ଦେଇଥିଲି ବୋଲି ବାପା ଆଜି ମୁଁ ଏଇ ମଲା ଅବସ୍ଥାରେ ପଡିଛି । ତୁମେ ଏ ଝିଅକୁ ତୁମର କ୍ଷମା କରିଦେବ ବାପା ।

ଏ ହେଉଛି ଯୌତୁକ ପାଇଁ ମରି ଶୋଇଥିବା ଏ ଝିଅର କଥା । ବାହାଘର ଠାରୁ ହେଉଥିଲା ନିର୍ଯାତନା । ବାହାଘରକୁ ମାତ୍ର ୮ କି ୯ ମାସ ହୋଇନଥିଲା । କିନ୍ତୁ ସବୁଦିନ ସେ ଅନୁଭବ କରୁଥିଲା ଯୌତୁକ ନିର୍ଯ୍ୟାତନାର ଯନ୍ତ୍ରଣା । ଭଲ ପାଇ ପଳି ଆସିଲା ପ୍ରେମିକ ସହ, କିନ୍ତୁ ଜାଣିନଥିଲା ପ୍ରେମିକ ତାର ବିବାହିତ ବୋଲି । ସେସବୁକୁ ବି ସହି ରହିଥିଲା । କିନ୍ତୁ ବାରମ୍ବାର ତାଉପରେ ଲଦି ଦିଆଯାଉଥିଲା ଯୌତୁକର ବୋଝ । ମାଡ ମାରିବା ସହିତ ଶାରୀରିକ ମାନସିକ କଷ୍ଟ ଦେଉଥିଲେ । ଏଥିପାଇଁ ବାରମ୍ବାର ଝିଅ ପକ୍ଷରୁ ଝିଅ ବାପଘର ପକ୍ଷରୁ ଅଭିଯୋଗ ବି ହୋଇଛି । ଆଉ କେତେ ଥର ଥାନାରେ ବୁଝାସୁଝା ବି ହୋଇଛି । କିନ୍ତୁ ଏଥର ଝିଅକୁ ଦେଉଥିବା ନିର୍ଯ୍ୟାତନା ଘରୁ ଆରମ୍ଭ ହୋଇ ପଦାରେ ସରିଗଲା । ଆଉ ସେଇ ରାସ୍ତା କଡରେ ହିଁ ମରି ଶୋଇଗଲା ଝିଅ ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ କବିସାହି ରାସ୍ତା ପାର୍ଶ୍ୱରୁ ଆଜି ସକାଳେ ଜଣେ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ ମାଳଦା ଗାଁର ଜଣେ ମହିଳା ନପଙ୍ଗ ଗ୍ରାମର ଜଣେ ବିବାହିତ ପୁରୁଷଙ୍କୁ ପ୍ରେମ ବିବାହ କରିଥିଲେ। ଆଜି ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏବେ ଚହଳ ସୃଷ୍ଟି କରିଛି ।

ମୃତ ମହିଳା ହେଲେ ମାଳଦା ଗାଁର ପ୍ରଫୁଲ୍ଲ ଦାସଙ୍କ ଝିଅ ତପସ୍ବିନୀ ଦାସ, ଯାହାଙ୍କ ବୟସ ମାତ୍ର ୨୩ ବର୍ଷ । ସେ ଗତ ଆଠ ନଅ ମାସ ତଳେ ନପଙ୍ଗ କବିସାହିର ବିବାହିତ ପୁରୁଷ ସିପୁନ ଦାସଙ୍କୁ ବିବାହ କରିଥିଲେ। ସିପୁନ ଦାସ ପୂର୍ବରୁ ଜଣଙ୍କୁ ବିବାହ କରିଥିଲା ବେଳେ ତପସ୍ୱିନୀ ଙ୍କୁ ଭଲ ପାଇ ବିବାହ କରିଥିଲେ । ତାଙ୍କ ମୃତଦେହ ନିକଟରେ ଏକ ଗାମୁଛା ପଡ଼ିଥିବାରୁ ତାଙ୍କୁ ଗାମୁଛା ସହାୟତାରେ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ବାପ ଘରଲୋକେ ତପସ୍ବିନୀଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ସବୁଠୁ ଦୁଃଖର ବିଷୟ ହେଉଛି ତବସ୍ୱିନୀ ଗର୍ଭବତୀ ଥିଲେ । ଜନ୍ମ ହେବା ପୂର୍ବରୁ ହିଁ ମାଆ ସହ ମରିଗଲା ସେ । ସେପଟେ ମହିଳାଙ୍କ ଶାଶୂଘର ଲୋକ ଫେରାର ହୋଇଯାଇଥିବା ଜଣାପଡ଼ିଛି । କିନ୍ତୁ ପୋଲିସ ସନ୍ଧାନୀ କୁକୁର ତପସ୍ୱିନୀଙ୍କ ପାଖରେ ପଡିଥିବା ଗାମୁଛାକୁ ସୁଙ୍ଘି ସିଧା ଦୌଡିଥିଲା ତପସ୍ୱିନୀଙ୍କ ସ୍ୱାମୀଙ୍କ ଘର ଆଡକୁ । ପୋଲିସ ସ୍ୱାମୀର ନମ୍ବର ଟ୍ରାକ୍‌ କରି ସ୍ୱାମୀକୁ ଧରିଥିବା ସୂଚନା ରହିଛି । ଯାହାପରେ ପୋଲିସର ଯାଞ୍ଚରେ ସତ ଓଗଳିବ ମୃତ ତପସ୍ୱିନୀଙ୍କ ସ୍ୱାମୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.