ଅଦ୍ଭୁତ ଜିନିଷ ଖାଇବାକୁ ଭଲ ପାଉଥିଲେ ଏହି ବ୍ୟକ୍ତି, ଖାଉ ଖାଉ ଖାଇଦେଲେ ଏରୋପ୍ଲେନ

ପୃଥିବୀରେ ଅନେକ ପ୍ରକାରର ଲୋକ ଅଛନ୍ତି ଯିଏ ଖାଇବାକୁ ବହୁତ ଭଲ ପାଇଥାନ୍ତି । କେହି ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରିଥାନ୍ତି ତ ଆଉ କାହାକୁ ଘର ତିଆରି ହେଲଦି ଖାଇବା ଭଲ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଖାଇବା ପ୍ରେମୀ କଥା କହିବାକୁ ଯାଉଛୁ ଯାହାଙ୍କର ଖାଇବା ପ୍ରତି ପ୍ରେମ ସମସ୍ତଙ୍କଠାରୁ ଅଲଗା । ଏହି ବ୍ୟକ୍ତି ଜଣକ ଏମିତି ଖାଇବା ସବୁ ଖାଇଥାନ୍ତି ଯାହାକୁ ଖାଇବା ସାଧାରଣ ବ୍ୟକ୍ତିଙ୍କ ପକ୍ଷରେ ଅସମ୍ଭବ ହୋଇଥିବା ବେଳେ ଏହାକୁ ଖାଇବା ବିଷୟରେ ସାଧାରଣ ମଣିଷ କେବେ ବି କଳ୍ପନା କରିନଥିବ। ଫ୍ରାନ୍ସରେ ରହୁଥିବା ମିଶୋଲ ଲେଟିଟୋ ନାମକ ବ୍ୟକ୍ତି ଏହିଭଳି ଅଦ୍ଭୁତ ଜିନିଷକୁ ଖାଇବାକୁ ପସନ୍ଦ କରୁଥିଲେ । ସେ ଏକ ସମ୍ପୂର୍ଣ୍ଣ ଏରୋପ୍ଲେନକୁ ଖାଇଦେଇଥିଲେ ଯାହା ହେଉଛି ତାଙ୍କର ଏହି ଅଦ୍ଭୁତ ଖାଇବାର ସବୁଠାରୁ ବଡ ଉଦାହରଣ ।
୧୫ ଜୁନ ୧୯୫୦ ମସିହାରେ ଫ୍ରାନ୍ସର ଗ୍ରେନୋଓ୍ଵାଲରେ ମିଶୋଲ ଲେଟିଟ ଜନ୍ମ ଗ୍ରହଣ କରିଥିଲେ । ମିଶାଲୋଙ୍କୁ ୧୬ ବର୍ଷ ବୟସରେ ଏହିଭଳି ଅଦ୍ଭୁତ ଜିନିଷ ଖାଇବାକୁ ଭଲ ପାଇବାକୁ ଲାଗିଲେ । ତାଙ୍କର ଏହି ରୋଗକୁ ମେଡିକାଲ ଭାଷାରେ ପିକା ରୋଗ କୁହାଯାଏ , ଯେଉଁ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ପକ୍ଷରେ ସାଧାରଣ ମଣିଷର ଖାଦ୍ୟକୁ ଖାଇ ହଜମ କରିବା ସମ୍ଭବ ହୋଇନଥାଏ କିନ୍ତୁ ଏଭଳି ଅସାମାନ୍ୟ ଜିନିଷ ଖାଇ ବହୁତ ସହଜରେ ହଜମ କରିଦେଇଥାନ୍ତି । ପ୍ରଥମେ ମିଶୋଲ ନିଜ ନଖ ଠାରୁ ଆରମ୍ଭ କରି ଭଙ୍ଗା କାଚ ଖାଇ ତାହାକୁ ବହୁତ ସହଜରେ ହଜମ କରିଦେଉଥଲେ। ମଣିଷ ଖାଉଥିବା ସାଧାରଣ ଖାଦ୍ୟ ତଥା କଦଳି, ବ୍ରେଡ ଓ ସିଝା ଅଣ୍ଡା ଖାଇ ହଜମ କରି ପାରୁନଥିଲେ କିନ୍ତୁ କୌଣସି ଧାତୁରେ ତିଆରି ଜିନିଷକୁ ଖାଇ ଖୁବ ଶୀଘ୍ର ହଜମ କରିନେଉଥିଲେ । ଲୋକଙ୍କ ନଜରରେ ଏହା ଅସାଧାରଣ ହୋଇଥିବା ବେଳେ ମିଶୋଲ ନିଜକୁ ସାଧାରଣ ମନେ କରୁଥିଲେ ଓ ଏହି ସବୁ ଖାଇବା ଖାଇ ମଜା ନେଉଥିଲେ । ଏହିପରି ଖାଇବା ଖାଇ ୧୯୬୬ ମସିହାରେ ସେ ପ୍ରଦର୍ଶନ ମଧ୍ୟ ଆରମ୍ଭ କରିଥିଲେ , ଯାହାକୁ ଦେଖିବା ପାଇଁ ଲୋକେ ଟିକେଟ କିଣି ଆସୁଥିଲେ ।
ଲୋକଙ୍କ ପାଖରେ ବସି ସେ ଖଟ ଠାରୁ ଆରମ୍ଭ କରି ଟିଭି, କମ୍ପ୍ୟୁଟର, ସାଇକେଲ,ଧାତୁ ଭଳି ଅନେକ ଜିନିଷ ଖାଉଥିଲେ । ଧାତୁ ଦ୍ୱାରା ନିର୍ମିତ ପଦାର୍ଥକୁ ପ୍ରଥମେ ସେ ଛୋଟ ଛୋଟ ଖଣ୍ଡରେ କାମୁଡି ସେଥିରେ ସମାନ ମାତ୍ରାରେ ପାଣି ଏବଂ ମିନେରାଲ ଅଏଲ ପକାଇ ଖାଉଥିଲେ । ଏହା ବ୍ୟତୀତ ସେ ପେଟ୍ରୋଲ ମଧ୍ୟ ପିଜାଉଥିଲେ ଏବଂ ପେଟ୍ରୋଲ ପିବା ଦ୍ୱାରା ତାଙ୍କ ଗଳା ଚିକ୍କଣ ହୋଇଥାଏ ଯାହା ଫଳରେ ତାଙ୍କୁ ଧାତୁ ପଦାର୍ଥ ଖାଇବାରେ ସୁବିଧା ହୋଇଥାଏ ବୋଲି ସେ କହୁଥିଲେ । ଡାକ୍ତରଙ୍କ କହିବାନୁସାରେ ଲୋଟିଟୋଙ୍କ ପେଟର ଅନ୍ତରେ ଏକ ମୋଟା ସଂରକ୍ଷଣ ପରଦା ରହିଥିଲା ଯାହା ସାଧାରଣ ମଣିଷଙ୍କ ପେଟରେ ରହି ନଥାଏ । ଏହି ମୋଟା ପରଦା ଯୋଗୁଁ ସେ ଧାତୁ ପଦାର୍ଥ ଖାଇ ହଜମ କରିପାରୁଥିଲେ ।
୧୯୭୮ ମସିହାରେ ମିଶୋଲ ସେସନା ଉଡାଜାହାଜକୁ ଖାଇବା ଆରମ୍ଭ କରିଥିଲେ ଏବଂ ମାତ୍ର ଦୁଇ ବର୍ଷ ଅର୍ଥାତ ୧୯୮୦ ମସିହା ବେଳକୁ ସେ ସମ୍ପୂର୍ଣ୍ଣ ଉଡାଜାହାଜକୁ ଖାଇ ଦେଇଥିଲେ । ଏକ ଅନୁମାନନୁସାରେ ମିଶୋଲ ୧୯୫୯ ମସିହାରୁ ୧୯୯୭ ମଧ୍ୟରେ ପାଖାପାଖି ନଅ ଟନ ଅର୍ଥାତ ୮୧୬୪ କିଲୋର ଧାତୁ ସେ ଖାଇଥିଲେ । ଏହିଭଳି ଅଦ୍ଭୁତ ଖାଇବା ଦ୍ୱାରା ତାଙ୍କ ନାମ ଗିନିଜ ଓ୍ଵାର୍ଲ୍ଡ ରେକୋର୍ଡରେ ଦାଖଲ ହୋଇଥିଲା । ତେବେ ୨୦୦୭ ମସିହା ଜୁନ ୨୫ରେ ଅର୍ଥାତ ୫୭ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା ।