ଏଭଳି ପୋଲିସକୁ ସଲାମ୍, ଏକାକୀ ବୋଲି ଦୀର୍ଘ ବର୍ଷ ଧରି ଏହି ବରିଷ୍ଠ ମହିଳାଙ୍କ ପାଳନ କରିଆସୁଛି ଜନ୍ମଦିନ

ଅନେକ ସମୟରେ ଆମେ ପୋଲିସ୍ ବିଷୟରେ ନେଗେଟିଭ୍ ଖବର ଶୁଣିଥାଉ । କିନ୍ତୁ ନୂଆ ବର୍ଷରେ ପୋଲିସକର୍ମୀଙ୍କୁ ନେଇ ଏମିତି ଏକ ଖବର ଆସିଛି ଯାହା ଆପଣଙ୍କ ମନ ଖୁସି କରିଦେବ । ମାମଲାଟି ହେଉଛି ମୁମ୍ବାଇର, ଯେଉଁଠି ୮୫ ବର୍ଷୀୟା ମହିଳାଙ୍କର ଭଗବାନଙ୍କ ପରେ କେବଳ ମୁମ୍ବାଇ ପୋଲିସ୍ ହିଁ ସାହାରା । ଲଲିତା ସୁବମଣ୍ୟମ୍, ମାଟୁଙ୍ଗା ପୋଲିସ୍ ପାଇଁ କେବଳ ଜଣେ ସାଧାରଣ ମହିଳା ନୁହଁନ୍ତି ବରଂ ମା’ ସମାନ । ଆଉ ଏହି କାରଣ ପାଇଁ ୨୦୧୬ରୁ ଆଜିଯାଏଁ ଲଲିତାଙ୍କ ଜନ୍ମଦିନରେ ମାଟୁଙ୍ଗା ପୋଲିସ୍ ତାଙ୍କୁ କେବେ ବି ଏକୁଟିଆ ରହିବାକୁ ଦେଉନି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲଲିତାଙ୍କୁ ସରପ୍ରାଇଜ୍ ଦେଇ ଜନ୍ମ ଦିନ ପାଳନ କରିଥିଲା ପୋଲିସ୍ ।

ଏକ ରିପୋର୍ଟ ଅନୁସାରେ, ପ୍ରାୟ ୨୫ ବର୍ଷ ହେବ ଏକାକୀ ରହୁଛନ୍ତି ଲଲିତା । ଆଉ ତାଙ୍କ ନାମ ସ୍ଥାନୀୟ ପୋଲିସର ସିନିୟର୍ ସିଟିଜେନ୍ ଆଣ୍ଡ ପ୍ରୋଟେକ୍ସନ୍ ତାଲିକାରେ ସାମିଲ୍ ଅଛି । ଲଲିତାଙ୍କର ତିନିଟି ପିଲାଙ୍କ ମଧ୍ୟରୁ ଦୁଇ ଜଣ ଆମେରିକାରେ ଏବଂ ଜଣେ ବେଙ୍ଗାଲୁରୁରେ ଅଛନ୍ତି । ଆଉ ଏକାକୀ ରହୁଥିବା କାରଣରୁ ଲଲିତାଙ୍କ ଦେଖାଶୁଣାର ସମସ୍ତ ଦାୟିତ୍ବ ସ୍ଥାନୀୟ ପୋଲିସ ନିକଟରେ ଅଛି । କେବଳ ସେତିକି ନୁହେଁ ତାଙ୍କର ଔଷଧଠୁ ଆରମ୍ଭ କରି ବ୍ୟାଙ୍କର ନେଣଦେଣ ପର୍ଯ୍ୟନ୍ତ ସମସ୍ତ କାମରେ ସାହାଯ୍ୟ କରିଥାଏ ପୋଲିସ୍ ।

ଚଳିତ ବର୍ଷ ଡିସିପିଙ୍କ ଉପସ୍ଥିତିରେ କେକ୍ କାଟି ନିଜ ଜନ୍ମଦିନ ପାଳନ କରିଥିଲେ ଲଲିତା । କେବଳ ଲଲିତା ନୁହଁନ୍ତି ମୁମ୍ବାଇ ପୋଲିସ୍ ପୂର୍ବରୁ ମଧ୍ୟ ଲୋକମାନଙ୍କ ଏଭଳି ସରପ୍ରାଇଜ୍ ଦେଇ ଖୁସି କରିଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.