ଏମିତି ମନ୍ଦିର ଯେଉଁଠାରେ ଦେବାଦେବୀ ନୁହଁନ୍ତି ବରଂ ପୂଜା ପାଉଛନ୍ତି ହାତୀ, ଜାଣନ୍ତୁ ଏହାର କିମ୍ବଦନ୍ତୀ ବିଷୟରେ

ଭଗବାନଙ୍କୁ ନେଇ ଏମିତି ଅନେକ କଥା ରହିଛି, ଯାହାକୁ ଜାଣିବା ପାଇଁ ଆମର ଇଚ୍ଛା ରହିଥାଏ। ହିନ୍ଦୁ ଧର୍ମରେ କିମ୍ବଦନ୍ତୀଙ୍କୁ ନେଇ ଲୋକଙ୍କ ମନରେ ରହିଛି ଅନେକ ପ୍ରଶ୍ନ। ଭାରତରେ ଏମିତି ଅନେକ ସ୍ଥାନ ରହିଛି ଯାହାକୁ ନେଇ ଅନେକ ରହସ୍ୟ ଲୁଚି ରହିଛି। ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ର ପାଲଟିଛି। କେବଳ ଭାରତ ନୁହେଁ ଆମ ଦେଶ ବାହାରେ ମଧ୍ୟ ଅନେକ ହିନ୍ଦୁ ଦେବାଦେବୀଙ୍କ ପ୍ରତିମା ରହିଛି । ଯାହା ସହିତ ଅନେକ ରହସ୍ୟ ମଧ୍ୟ ଜଡିତ ହୋଇ ରହିଛି । ସେହିପରି ଆପଣ ବିଭିନ୍ନ ଦେବାଦେବୀଙ୍କ ବିଷୟରେ ଆପଣ ଶୁଣିଥିବେ ନିଶ୍ଚୟ। କିନ୍ତୁ ଏମିତି ବି ମନ୍ଦିର ରହିଛି ଯେଉଁଠି କୌଣସି ଦେବାଦେବୀ ପୂଜା ପାଆନ୍ତିନି। ତଥାପି ଝାଡ଼ଖଣ୍ଡରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି କୌଣସି ଦେବାଦେବୀ ପୂଜା ପାଆନ୍ତିନି। ହେଲେ ଶ୍ରଦ୍ଧାଳୁଙ୍କ ମାନସିକ ପୂରଣ ହେଉଥିବା ବିଶ୍ୱାସ ରହିଛି।
ଏହି ମନ୍ଦିର ନାମ ଶୁଣିଲେ ମନରେ ଜାଗ୍ରତ ହୁଏ ଆସ୍ଥା ଭାବ। ଆପଣ ହନୁମାନ, ଶିବ, ଶକ୍ତିଙ୍କ ଭଳି ବହୁ ଦେବାଦେବୀଙ୍କ ନିଆରା ମନ୍ଦିର ବିଷୟରେ ଶୁଣିଥିବେ। କିନ୍ତୁ ଆମେ ଆପଣଙ୍କୁ ଆଜି ଏମତି ଏକ ମନ୍ଦିର ବିଷୟରେ କହିବୁ ଯେଉଁଠି କୌଣସି ଦେବାଦେବୀ ପୂଜା ପାଆନ୍ତିନି। କଥାଟି ଆପଣଙ୍କୁ ଟିକିଏ ଅଜବ ଲାଗୁଥିଲେ ବି ସତ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଝାଡଖଣ୍ଡର ପୂର୍ବ ସିଂହଭୂମି ଜିଲ୍ଲାରୁ ପ୍ରାୟ ୫୦ କିମି ଦୂରରେ ଥିବା ବୋଡାମ ଉପଖଣ୍ଡରେ ରହିଛି ଏହି ହାତୀ ଖେଡ଼ା ମନ୍ଦିର। ହାତୀଖେଡ଼ା ଅଞ୍ଚଳ ଦଲମା ରେଞ୍ଜରେ ରହିଛି।
କୌଣସି ଦେବାଦେବୀଙ୍କ ବଦଳରେ ହାତୀ ଖେଡ଼ାରେ ହାତୀଙ୍କୁ ପୂଜା କରାଯାଏ। ମନ୍ଦିର ପରିସରରେ ରହିଛି ହାତୀଙ୍କ ଅନେକ ମୂର୍ତ୍ତି। ଏହି ମନ୍ଦିରକୁ ନେଇ ରହିଛି ଅତି ରୋଚକ କାହାଣୀ। କୁହାଯାଏ ପୂର୍ବରୁ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଥିଲା। ଦଲମା ଜଙ୍ଗଲ ସହ ଲାଗି ରହିଥିବା ଗାଁ ଭିତରୁ ହାତୀ ପସି ଧନ ଜୀବନ ନଷ୍ଟ କରୁଥିଲେ। ପୂର୍ବଜ ଏଠାରେ ଚାଷ କରୁଥିଲେ। ଏହି ଅଞ୍ଚଳ ଜଙ୍ଗଲରେ ଭର୍ତ୍ତି ହୋଇ ରହିଥିଲା। ହାତୀ ଉପଦ୍ରବରୁ ବଞ୍ଚିବାକୁ ସ୍ଥାନୀୟ ପୂଜକମାନେ ମାଟିରେ ତିଆରି ହାତୀ ମୂର୍ତ୍ତିକୁ ପୂଜା କରିବାକୁ ଆରମ୍ଭ କଲେ।
ଏହାପରେ ଏହି ଅଞ୍ଚଳରେ ହାତୀ ସମସ୍ୟା କମିବାକୁ ଲାଗିଥିବା କିମ୍ବଦନ୍ତୀ ରହିଛି। ଏହି ସ୍ଥାନରେ ପରବର୍ତ୍ତୀ ସମୟରେ ମନ୍ଦିର ଗଢ଼ି ଉଠିଲା, ଯାହାର ନାମ ଥିଲା ହାତୀଖେଡ଼ା।ବିଶ୍ବାସ ରହିଛି ମନ୍ଦିର ଦେବତା ହାତୀଙ୍କୁ ଘଡ଼ାଉଥିଲେ। ସମୟ ସହ ମନ୍ଦିର ପ୍ରସିଦ୍ଧି ପାଇବାକୁ ଲାଗିଲା। ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଏଠାକୁ ମାନସିକ କରିବାକୁ ଆସିଲେ। ହାତୀଖେଡ଼ା ମନ୍ଦିର ପରିସରରେ ଚୂନରି ଓ ନଡ଼ିଆ ବାନ୍ଧିବା ପରମ୍ପରା ରହିଛି। ଏଠାରେ ବଳି ପରମ୍ପରା ମଧ୍ୟ ରହିଥିଲା। ଖାସ କଥା ହେଉଛି ଏଠାକାର ପ୍ରସାଦ ନା କେହି ଘରକୁ ନେଇ ପାରିବେ ନା କେହି ମହିଳା ଏହି ପ୍ରସାଦ ଖାଇ ପାରିବେ। ତେବେ ମହିଳାମାନଙ୍କୁ ଏହି ମନ୍ଦିର ପ୍ରସାଦ କାହିଁକି ବାରଣ କରାଯାଇଛି ସନେଇ କୌଣସି ତଥ୍ୟ ନାହିଁ।
କେତେକ ଲୋକଙ୍କ ମତରେ ହାତୀଖେଡ଼ା ମନ୍ଦିର ପ୍ରସାଦ ଖାଇଲେ ମହିଳାଙ୍କ ମାନସିକ ସନ୍ତୁଳନ ବିଗିଡି ଯାଏ। ହାତୀଖେଡ଼ା ମନ୍ଦିରକୁ ନେଇ ଲୋକଙ୍କ ମନରେ ରହିଛି ଗଭୀର ଆସ୍ଥା। ଛୋଟ ପିଲାଙ୍କ ମୁଣ୍ଡନ ପାଇଁ ମଧ୍ୟ ଶ୍ରଦ୍ଧାଳୁ ଏଠାକୁ ଆସନ୍ତି। ମନ୍ଦିରରେ ସମସ୍ତ ମାନସିକ ପୂର୍ଣ୍ଣ ହେବା ନେଇ ଲୋକଙ୍କ ବିଶ୍ବାସ ରହିଛି। ହାତୀଖେଡ଼ା ମନ୍ଦିର ଯୋଗୁଁ ଏଠାରେ ହାତୀଉତ୍ପାତ କମ ହୋଇଛି। ହେଇପାରେ ଏହା କେବଳ ଏକ ସଂଯୋଗ। ଲୋକଙ୍କ ବିଶ୍ବାସରୁ ହିଁ ଏହି ମନ୍ଦିର ପ୍ରସିଦ୍ଧି ଲାଭ କରିଛି।