କାୟା ମେଲାଉଛି କରୋନା: ୫୦ ଡାକ୍ତରଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ, ସ୍ୱାସ୍ଥ୍ୟ ସେବା ବ୍ୟାହତ

ସାରା ଦେଶରେ କରୋନା ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ତାମିଲନାଡ଼ୁରେ ପ୍ରତିଦିନ ନୂଆ ନୂଆ କେସ୍‌ ସାମ୍ନାକୁ ଆସୁଛି। ଚେନ୍ନାଇରେ ୫୦ରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ମୁତାବକ, ଚେନ୍ନାଇରେ ତିନିଟି ମୁଖ୍ୟ ସରକାରୀ ମେଡିକାଲ କଲେଜ କୋଭିଡ୍‌ ହସ୍ପିଟାଲରେ ୫୦ରୁ ଊର୍ଦ୍ଧ୍ୱ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ଟେଷ୍ଟିଂ ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ରିପୋର୍ଟ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ସୂଚନା ଅନୁସାରେ, ଉତ୍ତର ଚେନ୍ନାଇର ଷ୍ଟେନ୍‌ଲି ମେଡିକାଲ କଲେଜରୁ ଉଟି ଓ କୁର୍ଗ ଗସ୍ତରେ ଯାଇଥିବା ୩୦ ଛାତ୍ର କରୋନା ଭାଇରସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି କ୍ୟାମ୍ପସରୁ ୨ ଜଣ ପୋଷ୍ଟ ଗ୍ରାଜୁଏଟ୍‌ ଡାକ୍ତର ଓ ୭ ନର୍ସ ସମେତ ୧୪ ଅନ୍ୟ ଷ୍ଟାଫ୍‌ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଷ୍ଟେନ୍‌ଲି କଲେଜର ଜଣେ ମେଡିକାଲ ଛାତ୍ର କହିଛନ୍ତି, ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ କରାଯାଇଛି ଓ ସମସ୍ତେ ସୁରକ୍ଷିତ ଅଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି ଓ ଟେଷ୍ଟ ପାଇଁ ପଠା ଯାଇଛି। ଯଦି ସେମାନଙ୍କ ରିପୋର୍ଟ ପଜିଟିଭ୍‌ ଆସିବ ତେବେ ସେମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନ୍‌ କରାଯିବ।

ଚେନ୍ନାଇର କିଲପୌକ ମେଡିକାଲ କଲେଜ ହସ୍ପିଟାଲରେ ଗତ ସପ୍ତାହରେ କମ୍‌ ସେ କମ୍‌ ୧୨ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବରରେ ବି ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ମେଡିକାଲ ହସ୍ପିଟାଲରେ ୫୦ରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ କର୍ମଚାରୀ ସଂକ୍ରମିତ ହୋଇଥିଲେ। ତେବେ ସ୍ୱାସ୍ଥ୍ୟ କର୍ମୀମାନେ ସଂକ୍ରମିତ ହେବା ପରେ ଏହାର ପ୍ରଭାବ ରୋଗୀଙ୍କ ଉପରେ ପଡ଼ୁଥିବା ଦେଖିବାକୁ ମିଳିଛି। ଡାକ୍ତର ସଂକ୍ରମିତ ହୋଇଥିବାରୁ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ଯଦି ଅଧିକ ଦିନ ଯାଏଁ ଏଭଳି ସ୍ଥିତି ଲାଗି ରହେ, ତେବେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.