ବିନା ପିଆଜ ରସୁଣ ହୋଟେଲକୁ ଟାର୍ଗେଟ୍‌ କରିଛନ୍ତି ପଞ୍ଚୁକିଆ ଲୋକ

ବର୍ତ୍ତମାନ ଧର୍ମ ମାସ କର୍ତ୍ତିକ । ପୁଣି ପଞ୍ଚୁକ ଆରମ୍ଭ ହୋଇଗଲାଣି । ଅନେକ ଲୋକ କେବଳ ଆମିଷ ନୁହେଁ ପିଆଜ ରସୁଣ ବି ଖାଉ ନାହାନ୍ତି । ପୂରା ସାତ୍ତ୍ୱିକ ଖାଦ୍ୟ ମାନେ ଅରୁଆ ଆଦି ଖାଇ ପଞ୍ଚୁକ ପାଳନ କରୁଛନ୍ତି । ଯିଏ ଘରେ ପରିବାର ସହ ରହୁଛି ତ ଚଳାଇବାରେ କିଛି ଅସୁବିଧା ନାହିଁ । ହେଲେ ଯିଏ ବାହାରେ ରହୁଛି, ଆଉ ଧର୍ମକୁ ମାନୁଛି ତ ହଇରାଣରେ ପଡ଼ିବା ସ୍ୱାଭାବିକ । ତେବେ ସେମାନଙ୍କ ପାଇଁ ବର୍ତ୍ତମାନ ବିନା ବିଆଜ ରସୁଣ ହୋଟେଲ ଓ ଜଳଖିଆ ଦୋକାନଗୁଡ଼ିକର ଦ୍ୱାର ଖୋଲା । ତେଣୁ ପୂର୍ବ ଦିନମାନଙ୍କ ତୁଳନାରେ ଏହି ବିନା ପିଆଜ ରସୁଣ ହୋଟେଲ ଉପରେ ଏବେ ଗ୍ରାହକଙ୍କ ଅଧିକ ଭିଡ଼ ଲାଗୁଛି ।

ଏଭଳି ହୋଟେଲଗୁଡ଼ିକ ମଧ୍ୟ ବେପାରକୁ ଆହୁରି ଜମାଇବା ପାଇଁ ପ୍ରୟାସ ଚଳାଇଛନ୍ତି । ନର୍ମାଲ, ମିଡିଲ ଏବଂ ସ୍ପେସାଲ ଏମିତି ଅନେକ ପ୍ରକାର ଥାଳି ବ୍ୟବସ୍ଥା କରିଛନ୍ତି । ଦାମ୍‌ ଅବଶ୍ୟ ହୋଟେଲର ସ୍ତର ଅନୁଯାୟୀ ରହିଛି । କେଉଁଠି ୫୦/୫୫ରୁ ୧୦୦ ଟଙ୍କା ଯାଏ ରହିଛି । ତେବେ ବଡ଼ ହୋଟେଲରେ ଟିକେ ବଡ଼ ଦାମ୍‌ ଦେବାକୁ ପଡୁଛି ।
ଏହା ସହିତ ପ୍ରସାଦ ବନାଉଥିବା ମନ୍ଦିରଗୁଡ଼ିକରେ ମଧ୍ୟ ଲୋକଙ୍କ ଭିଡ଼ କିଛି କମ୍‌ ନୁହେଁ । ସକାଳୁ ଦେବାଦେବୀ ଦର୍ଶନ ପାଇଁ ଯେତିକି ଲୋକ ମନ୍ଦିରକୁ ଆସୁ ନାହାନ୍ତି କିନ୍ତୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଆସୁଛନ୍ତି ତାଠାରୁ ଅଧିକ ଲୋକ । ଏଠି ବି ନର୍ମାଲ ଓ ସ୍ପେସାଲ ଥାଳି ରହିଛି । ଯିଏ ଯାହା ଚହିଁଲା ତାକୁ ସେହିଭଳି ଖାଦ୍ୟ ମିଳୁଛି । ଅନେକ ଲୋକ ପାର୍ସଲ ବାନ୍ଧି ପ୍ରସାଦକୁ ଘରକୁ ନେଇ ଯାଉଛନ୍ତି । ତେବେ ଏକଥା ପ୍ରଥମେ ଲୋକେ ବୁଝିବା ଉଚିତ ଯେ ଅନେକ ମନ୍ଦିରରେ ଯାହାକୁ ସେମାନେ ପ୍ରସାଦ ଭାବି ଖାଉଛନ୍ତି ତାହା ପ୍ରକୃତରେ ଠାକୁରଙ୍କ ପାଖରେ ଭୋଗ ଲାଗେ ନାହିଁ । କେବଳ ବେପାର ପାଇଁ ସେମାନେ ପ୍ରସାଦ ଭଳି ଢଙ୍ଗରେ ଖାଦ୍ୟ ରାନ୍ଧିଥାନ୍ତି ।

ଅବଶ୍ୟ କେବଳ ବ୍ୟାଚେଲର କିମ୍ବା ବାହାରେ ଚାକିରି କରୁଥିବା ଲୋକ ବିନା ପିଆଜ ରସୁଣ ହୋଟେଲ କି ମନ୍ଦିର ଖୋଜୁ ନାହାନ୍ତି ତା ସହିତ ଘରୋଇ ଲୋକ ଓ ଚାକିରିଆ ଦମ୍ପତି ମଧ୍ୟ ସେଠି ପହଞ୍ଚି ଯାଉଛନ୍ତି ଅନ୍ତତଃ ପଞ୍ଚୁକ ପାଞ୍ଚଦିନ ଘରେ ନରାନ୍ଧି ଏମିତି ଚଳେଇ ଦେବା ପାଇଁ । ଅବଶ୍ୟ ଏସବୁ ଘଟଣା ଆମେ ଅଧିକ ଭାବେ ରାଜଧାନୀ ଭୁବନେଶ୍ୱରରେ ଦେଖିଛୁ ଓ ଦେଖୁଛୁ । ତେଣୁ ଆମିଷ ଦିନରେ ଆମିଷ ହୋଟେଲ କି ଦୋକାନ ଉପରେ ମାଡ଼ ହେଉଥିବା ବେଳେ ଏବେ ବିନା ପିଆଜ ରସୁଣ ହୋଟେଲକୁ ଟାର୍ଗେଟ୍‌ କରିଛନ୍ତି ପଞ୍ଚୁକିଆ ଲୋକମାନୋ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.