ପାକିସ୍ତାନ ହେଉଛି ସେହି ଦେଶ ଯିଏ ନିଜ ଜାତିର ପିତାଙ୍କୁ ବି ସମ୍ମାନ ଦେଇ ନାହିଁ

ଭାରତ ଓ ପାକିସ୍ତାନ ବିଭାଜନକୁ ୭୩ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ବି ସେ ବିଭାଜନ ବେଳର ଭୟଙ୍କର ଲୋମ ଟାଙ୍କୁରା ଦୃଶ୍ୟ ଲୋକଙ୍କ ମନରୁ ସମ୍ପୂର୍ଣ ରୂପେ ହଟିନାହିଁ । ସେଦିନର ସେହି କାଳ ରାତିରେ ଅଖଣ୍ଡ ଭାରତ ବିଭାଜିତ ହୋଇ ଦୁଇ ଭାଗ ହୋଇଯାଇଥିଲା । ଭାଇ ଭାଇର ସମ୍ପର୍କ ମଧ୍ୟରେ ପାଚେରୀ ସୃଷ୍ଟି ହେଲା । ଏହି ହୃଦୟବିଦାରକ ଘଟଣାରେ ପାଖାପାଖି ୨ ଲକ୍ଷ ଲୋକଙ୍କ ଜୀବନ ଚାଲି ଯାଇଥିଲା ।୧୪ ଲକ୍ଷ ଲୋକ ବିସ୍ଥାପିତ ହୋଇଥିଲେ  । ଶବର ବିରାଟ ପାହାଡ ସୃଷ୍ଟି ହୋଇଥିଲା । ସେହି କାଳରାତ୍ରିରେ ଉଭୟ ଦେଶ ପାଇଁ କେତେ ଯେ କ୍ଷତି ଘଟିଥିଲା ତାର କାହା ପାଖରେ ବି ହିସାବ ନଥିବ । ଭାରତ ଠାରୁ ଅଲଗା ହୋଇ ପାକିସ୍ତାନ ହେଲା ଏକ ସ୍ୱତନ୍ତ୍ର ମୁସଲମାନ ରାଷ୍ଟ୍ର । ହେଲେ ଏହି ଦେଶ ଗଠନ ପାଇଁ ଅକାରଣରେ ବଳିଦାନ ଦେଲେ ଲକ୍ଷ ଲକ୍ଷ ହିନ୍ଦୁ ଓ ମୁସଲମାନ । କାରଣ ବିଭାଜନ ପୂର୍ବରୁ ପାକିସ୍ତାନରେ ଥିବା ହିନ୍ଦୁଙ୍କୁ ମୁସଲମାନଙ୍କ ଆକ୍ରମଣର ଶିକାର ହେବାକୁ ପଡ଼ିଲା । ଠିକ୍‌ ସେହିଭଳି ଭାରତରେ ମଧ୍ୟ ସୃଷ୍ଟି ହେଲା ଦଙ୍ଗା । ଦେଶରେ ରକ୍ତର ଗଙ୍ଗା ବହି ଥିଲା । ଭାଇ ଭାଇ ହୋଇ ଚଳୁଥିବା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା । ସେଦିନର ସେହି କରୁଣ ଘଟଣାର ପରିଣାମ ଆଜିର ପିଢ଼ିଙ୍କୁ ମଧ୍ୟ ଭୋଗ କରିବାକୁ ପଡୁଛି । ଭାଇ ଭଗାରୀ ହେଲା ପରି ଭାରତରୁ ଜନ୍ମ ନେଇଥିବା ପାକିସ୍ତାନ ହୋଇଛି ଆମ ଦେଶର ଶତ୍ରୁ ରାଷ୍ଟ୍ର । ସେତେବେଳେ ସୃଷ୍ଟି ହୋଇଥିବା ସେହି ତିକ୍ତତା ଆଜି ପର୍ଯ୍ୟନ୍ତ ବି ଜାରି ରହିଛି । ଦିନକୁ ଦିନ ବଢୁଛି ସିନା ତିଳେ ମାତ୍ର କମୁ ନାହିଁ ।

2

ଭାରତର ଖଳନାୟକ, ପାକିସ୍ତାନର ନାୟକ

ଏ ସବୁ ପଛରେ ଯିଏ ପ୍ରକୃତ ଖଳନାୟକ ସାଜିଥିଲେ, ଯାହାଙ୍କ କ୍ରୁର ବୁଦ୍ଧି ଯୋଗୁ ଦୁଇ ଦେଶର ଜନସାଧାରଣଙ୍କୁ ଏ ଭଳି ଏକ ଭୟଙ୍କର ସ୍ଥିତିର ସାମ୍ନା କରିବାକୁ ପଡିଥିଲା । ତାଙ୍କ ଚରିତ୍ରର ପ୍ରକୃତ ରହସ୍ୟ ଆଜି ବି ମିଥ୍ୟାର ଆଢୁଆଳରେ ରହିଯାଇଛି । ତାଙ୍କରି କୁଟିଳତା ଓ ସ୍ୱାର୍ଥପରତା ପାଇଁ ହିଁ ଭାରତମାତାକୁ ମିଳିଛି ଏକ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଓ କଶ୍ମୀର ଭଳି ସର୍ବଦା ତାଜା ରହୁଥିବା କ୍ଷତ । ବିଭାଜନ ପରେ ସୀମାବର୍ତୀ ଅଞ୍ଚଳର ଲୋକମାନେ ରାତିସାରା ଏହି ଶଙ୍କାରେ ଥିଲେ ଯେ ସେମାନେ କେଉଁ ରାଷ୍ଟ୍ରର ନାଗରିକତ୍ବର ପରିଚୟ ପାଇବେ । ଏହି ବ୍ୟକ୍ତି ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତର ଶତ୍ରୁ ରାଷ୍ଟ୍ର ଭାବେ ପରିଗଣିତ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ମହମ୍ମଦ ଅଲ୍ଲୀ ଜିନ୍ନା ।

3 ସେ ହିଁ ପ୍ରଥମେ ଭାରତକୁ ଦୁଇ ଭାଗ କରିବାର ଏକ ଦୁଃ ସ୍ୱପ୍ନ ଦେଖିଥିଲେ । ଖାଲି ଦେଖି ନଥିଲେ ୧୯୩୭ରୁ ୧୯୪୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ କାଳ ନିଜର ଅଶେଷ ଚେଷ୍ଟା ବଳରେ ସଫଳ ବି ହେଲେ । ତେବେ ପାକିସ୍ତାନ ଗଢ଼ିବା ପାଇଁ ସେ ଅନେକ ତଥ୍ୟ ସମସ୍ତଙ୍କ ଠାରୁ ଲୁଚାଇଥିଲେ । ଏମିତିକି ସେ ନିଜେ ନିଜକୁ ହୋଇଥିବା ଭୟଙ୍କର ଟିବି ରୋଗକୁ ଅନ୍ୟମାନଙ୍କ ଠାରୁ ଲୁଚାଇ ରଖିଥିଲେ । ତାଙ୍କର ହୁଏତ ଏହି ଭୟ ଥିଲା ଯେ ଯଦି ସତ ପଦାକୁ ଆସେ ତେବେ ସେ ପାକିସ୍ତାନ ଗଢ଼ିବାର ସ୍ୱପ୍ନ କେବେବି ବାସ୍ତବ ରୂପ ନେବ ନାହିଁ । କେବଳ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଜେ.ଆର. ପଟେଲ ଓ ତାଙ୍କ ନିଜ ଭଉଣୀ ଫତିମାଙ୍କ ବ୍ୟତୀତ ଏ ସମ୍ପର୍କରେ ଆଉ କେହି ମଧ୍ୟ ଅବଗତ ନଥିଲେ । ଏମିତି କି ତାଙ୍କ ନିଜ ଝିଅଙ୍କୁ ମଧ୍ୟ ରୋଗ ସମ୍ପର୍କରେ କିଛି ବି ଜଣାଯାଇନଥିଲା । ବରଂ ପିତାଙ୍କ ମୃତ୍ୟୁ ପରେ ହିଁ ସେ ଜାଣି ପାରିଥିଲେ ବୋଲି ୧୯୭୩ ମସିହାରେ ‘ଫ୍ରିଡମ ଆଟ ମିଡ୍‌ନାଇଟ’ର ଲେଖକମାନଙ୍କୁ ସାକ୍ଷାତକାର ଦେବା ସମୟରେ ଝିଅ ବଡ଼ିଆ ଏକଥା କହିଥିଲେ । ସେତେବେଳର ଭାଇସରାୟ ଲର୍ଡ ମାଉନଣ୍ଟବେଟନ୍‌ଙ୍କ ସମେତ ବ୍ରିଟିଶ ପୋଲିସ ମଧ୍ୟ ଏ ବିଷୟରେ କିଛି ବି ଟେର ପାଇ ପାରି ନଥିଲା ।

ସ୍ୱାର୍ଥ ପାଇଁ ରୋଗ ବି ଲୁଚାଇଥିଲେ

ନିକଟରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ଯଦି ୧୯୪୭ ମସିହା ଏପ୍ରିଲ ମାସରେ ଏ ସମ୍ପର୍କିତ କିଛି ତଥ୍ୟ ମହାତ୍ମା ଗାନ୍ଧୀ, ଜବାହର ଲାଲ ନେହେରୁ, ବା ମାଉଣ୍ଟବେଟନ୍‌ଙ୍କ ପାଖରେ ପହଞ୍ଚି ପାରିଥାନ୍ତା ତେବେ ହୁଏତ ଦେଶ ବିଭାଜିତ ହୋଇନଥାନ୍ତା । ଏମିତି କି ସେହି ସମୟରେ ଜନସାଧରଣ ଯଦି ଏ ସମ୍ପର୍କରେ କିଛି ବି ଜାଣିଥାନ୍ତେ ତେବେ ହୁଏତ ପରିସ୍ଥିତି ନିଶ୍ଚୟ ଅଲଗା ହୋଇଥାନ୍ତା । ବହୁ ଚତୁରତାର ସହ ନିଜ ଶରୀରର ସତ୍ୟତାକୁ ଜିନ୍ନା ଅନ୍ୟମାନଙ୍କଠାରୁ ଲୁଚାଇ ରଖିଥିଲେ । କାରଣ ଲୋଭ ଥିଲା ପାକିସ୍ତାନ ଗଢ଼ି ତାର ପ୍ରଧାନମନ୍ତ୍ରୀ ହେବା ।

4

ଏମିତି ମୃତ୍ୟୁ କାହାକୁ ନଆସୁ

ନିଜର ଦୁର୍ବଳ ଫୁସଫୁସ କାରଣରୁ ହିଁ ତାଙ୍କୁ ଏ ପ୍ରକାର ଏକ ବ୍ୟାଧିର ସାମ୍ନା କରିବାକୁ ପଡିଥିଲା । କୌଣସି ଲମ୍ବା ଭାଷଣ ଦେବା ପରେ ସେ ଅଣନିଶ୍ୱାସୀ ହୋଇପଡୁଥିଲେ । ଏକଦା ଶିମଲା ଠାରେ ଫୁସଫୁସ ଜନିତ ରୋଗରେ ପୀଡିତ ହୋଇଥିଲେ । କିନ୍ତୁ ତାଙ୍କ ଭଉଣୀ ଏହାକୁ ସମସ୍ତଙ୍କ ଠାରୁ ଲୁଚାଇବା ପାଇଁ ତାଙ୍କୁ ଟ୍ରେନ୍‌ରେ ବସାଇ ବମ୍ବେ ପଠାଇ ଦେଇଥିଲେ । କିନ୍ତୁ ବାଟରେ ତାଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ଡାକ୍ତରଙ୍କୁ ଡକାଯାଇଥିଲା । ଡାକ୍ତର ତାଙ୍କୁ ଲୋକଙ୍କ ଭିଡ଼କୁ ଏଡ଼ାଇବା ପାଇଁ ପରାମର୍ଶ ଦେବାରୁ ମଝି ରାସ୍ତାରେ ଏକ ଛୋଟ ଷ୍ଟେସନରେ ହିଁ ତାଙ୍କୁ ଓଲ୍ହାଇବାକୁ ପଡିଥିଲା ।

5ଏତେ ସବୁ ଚେଷ୍ଟା ପରେ ୧୯୪୭ ମସିହା ଅଗଷ୍ଟ ମାସ ୧୪ ତାରିଖ ରାତିରେ ହିଁ ଦେଶ ବିଭାଜିତ ହୋଇଥିଲା । ଶେଷରେ ଏକ ଓ ଅଖଣ୍ଡ ହିନ୍ଦୁସ୍ଥାନ ବିଭାଜିତ ହୋଇ ଭାରତ ଓ ପାକିସ୍ତାନରେ ପରିଣତ ହୋଇଥିଲା । ପାକିସ୍ତାନ ଅଗଷ୍ଟ ୧୪ରେ ଏବଂ ଭାରତ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କଲେ । ଦୁଇ ଦେଶର ସୀମାରେ ଅଲଗା ଅଲଗା ପତାକା ଉତ୍ତୋଳନ ହେଲା । ଆଉ ନିଜ ସ୍ୱପ୍ନକୁ ସାକାର କରି ପାକିସ୍ତାନର ପ୍ରଥମ ପ୍ରଧାନ ମନ୍ତ୍ରୀ ପଦରେ ବସିଥିଲେ ମହମ୍ମଦ ଅଲୀ ଜିନ୍ନା । ଖାଲି ସେତିକି ନୁହେଁ ତାଙ୍କୁ ପାକିସ୍ତାନର ‘ଜାତିର ପିତା’ର ଆଖ୍ୟା ମଧ୍ୟ ଦିଆଯାଇଥିଲା । ହେଲେ ଜିନ୍ନାଙ୍କର ଏହି ସ୍ୱପ୍ନ ବେଶି ସମୟ ପର୍ଯ୍ୟନ୍ତ ତିଷ୍ଠି ରହି ପାରିନଥିଲା । ହୁଏତ ଭାଗ୍ୟର ବିଡମ୍ବନା ଥିଲା ବୋଲି କହି ହେବ । ପାକିସ୍ତାନ ଗଠନର ଠିକ ୧୩ ମାସ ପରେ ହିଁ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା ।

6ପୁଣି ପ୍ରଶ୍ନ ଉଠେ ଯେ ଯଦି ଜିନ୍ନା ଏକ ସ୍ୱତନ୍ତ୍ର ପାକିସ୍ତାନ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସେହି ପାକିସ୍ତାନରେ କାହିଁକି ତାଙ୍କୁ ବିଦ୍ରୋହର ସାମ୍ନା କରିବାକୁ ପଡିଥିଲା ? ତାଙ୍କ ଶେଷ ସମୟରେ ପାକିସ୍ତାନବାସୀ ହିଁ ତାଙ୍କୁ ସହାୟତା କରିନଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ ଏକ ସାମାନ୍ୟ ଆମ୍ବୁଲାନ୍ସ ପାଇଁ ତାଙ୍କୁ ଦୀର୍ଘ ୨ ଘଣ୍ଟା କାଳ ଅପେକ୍ଷା କରିବାକୁ ପଡିଥିଲା । ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଇରାନର କ୍ୱେଟା ସହରକୁ ଚିକିତ୍ସା ପାଇଁ ଯାଇଥିଲେ । ସେଠାରୁ ଫେରିବା ଦିନ ଉଡ଼ାଜାହାଜରୁ ଓହ୍ଲାଇ ଆମ୍ବୁଲାନ୍ସରେ ଯାଉଥିବା ସମୟରେ ମଝି ରାସ୍ତାରେ ହିଁ ଆମ୍ବୁଲାନ୍ସଟି ଖରାପ ହୋଇ ଯାଇଥିଲା । ପରିସ୍ଥିତି ଏମିତି ହୋଇଥିଲା କି ଆଉ ଏକ ଆମ୍ବୁଲାନ୍ସର ବନ୍ଦୋବସ୍ତ ହେବାକୁ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଆଉ ସେହି ମଝି ରାସ୍ତାରେ ହିଁ ତାଙ୍କୁ ଅପେକ୍ଷା କରିବାକୁ ପଡିଥିଲା । ପରିଶେଷରେ ସେହି ଦିନ ସନ୍ଧ୍ୟା ଅର୍ଥାତ ୧୯୪୮ ମସିହା ସେପ୍ଟେମ୍ବର ୧୧ ତାରିଖରେ ୭୨ ବର୍ଷ ବୟସରେ ପରଲୋକ ହୋଇଥିଲା ଜିନ୍ନାଙ୍କର ।

ଜିନ୍ନାଙ୍କ ଆଦର୍ଶକୁ ଭୁଲିଗଲା ପାକିସ୍ତାନ

ଏକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ, ତାଙ୍କୁ ୨ ଘଣ୍ଟା କାଳ ଅସୁସ୍ଥ ଶରୀରରେ ମଝି ରାସ୍ତାରେ ବିତାଇବାକୁ ପଡ଼ିଲା । ଏହା କଣ ଏକ ଛୋଟିଆ ଘଟଣା ? ଆଜି ବି ଏକଥା ଅନେକଙ୍କୁ ଜଣାନାହିଁ କାହିଁକି ଜିନ୍ନାଙ୍କୁ ଏ ପ୍ରକାର ଏକ ବିଦ୍ରୋହର ସାମ୍ନା କରିବାକୁ ପଡିଥିଲା । କାହିଁକି ତାଙ୍କର ଆଦର୍ଶଗୁଡିକୁ ପରବର୍ତ୍ତୀ କାଳରେ ସେଠିକାର ଲୋକେ ମାନିବାକୁ ଇଚ୍ଛୁକ ନଥିଲେ ?

7ଜିନ୍ନା ଯେଉଁ ‘ଧର୍ମ ନିରପେକ୍ଷ ରାଷ୍ଟ୍ର’ ଗଠନର କଥା ଭାବିଥିଲେ ତାକୁ ପରବର୍ତ୍ତୀ ସମୟରେ ବାସ୍ତବତାର ରୂପ ଦିଆଯାଇନଥିଲା । ଜିନ୍ନାଙ୍କ ପରେ ଯେତେବେଳେ ଲିଆକତ ଅଲ୍ଲୀ ଖାଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେଲେ ସେହି ସମୟରେ ହିଁ ଦେଶର ନାମକୁ ପରିବର୍ତ୍ତନ କରାଯାଇ ‘ରିପବ୍ଲିକ ଅଫ ପାକିସ୍ତାନ’ରୁ ‘ଇସଲାମିକ ଷ୍ଟେଟ ଅଫ ପାକିସ୍ତାନ’ କରାଯାଇଥିଲା । ଆଉ ତା ପରେ ପାକିସ୍ତାନ ଏକ ଇସଲାମ ରାଷ୍ଟ୍ରରେ ପରିଣତ ହୋଇଥିଲା । ଅବଶ୍ୟ ସେ ଚାହିଁଥିଲେ ଅଲଗା ହେଲେ ମଧ୍ୟ ଭାରତ ଓ ପାକିସ୍ତାନ ଭଲ ବନ୍ଧୁ ହୋଇ ରୁହନ୍ତୁ । ଜିନ୍ନା ବାସ୍ତବରେ ସର୍ବଧର୍ମ ସମାନତାରେ ପାକିସ୍ତାନ ଗଠନ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ବାସ୍ତବ ରୂପ ନେଇ ପାରିନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.