ଆମ ରାଜ୍ୟରେ ଅଛି ଏମିତି ଗାଁ ଯେଉଁଠି କେଉଁ ଘରେ ନାହିଁ ଗୋଟେ କବାଟ କିନ୍ତୁ କେବେ କିଛି ହୁଏନାହିଁ କ୍ଷତି

ଆମ ଓଡ଼ିଶାରେ ଏମିତି ଏକ ଗାଁ ଅଛି ଯେଉଁ ଗାଁ ବିଷୟରେ ଶୁଣିଲେ ଆପଣଙ୍କ ଆଶ୍ଚର୍ଯ୍ଯର ସୀମା ରହିବ ନାହିଁ । ଆଜ୍ଞା ହଁ କଥାଟି ଗପ ନୁହେଁ ସତ । ଏହି ଗାଁର କୌଣସି ଘରେ ବି କବାଟ ନାହିଁ । ଲୋକମାନଙ୍କର ବିଶ୍ୱାସ ଯେ ମା’ଖରାଖାଇ ସେମାନଙ୍କୁ କବାଟ ଭଳି ଜଗି ରହିଛନ୍ତି ସମସ୍ତଙ୍କ ଦୁଆରକୁ । ଯେଉଁଥିପାଇଁ ଗାଁରେ କାହା ଘରେ ବି କବାଟ ଲଗାଯାଲ ନାହିଁ । ତାହେଲେ ଆସନ୍ତୁ ବିସ୍ତୃତ ଭାବେ ଜାଣିବା ଏହି ଗାଁ’ରେ କାହିଁକି ରହିଛି ଏଭଳି ଅଜବ ନିୟମ ।

ଆପଣମାନେ ଜାଣିଥିବେ ଯେ ମହାରାଷ୍ଟ୍ରର ସିଗନାପୁରରେ ରହିଛି ପ୍ରସିଦ୍ଧ ଶନି ମନ୍ଦିର । ଏହି ମନ୍ଦିର ଥିବା ଗାଁରେ କାହା ଘରେ ବି କବାଟ ନାହିଁ । ଠିକ୍‌ ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଗାଁ ଅଛି ଯେଉଁଠି ଲୋକକଥା ଅନୁସାରେ ଘରେ କବାଟ ନଲଗାଇବା ଏକ ପ୍ରଥ ପରମ୍ପରାରେ ପରିଣତ ହୋଇଛି । ରାଜକନିକା ସଦର ମହକୁମାର କଟକ-ଚାନ୍ଦବାଲି ରାସ୍ତାର ପୂର୍ବ ଦିଗକୁ ୩ କିଲୋମିଟର ଗଲେ ପଡ଼େ ଏଇ କବାଟ ନଥିବା ଗାଁ ସିଆଳିଆ.. । ଏହି ଗାଁରେ ରହିଛି ୪୦ଟି ପରିବାର, ଛୋଟବଡ଼ ଚାଳଛପର ଘରଗୁଡ଼ିକ ଲମ୍ବି ରହିଛି । ଗାଁର ଉତ୍ତର ଦିଗକୁ ଶେଷମୁଣ୍ଡରେ ରହିଛି ପ୍ରସିଦ୍ଧ ଗ୍ରାମଦେବତୀ ମା’ ଖରାଖାଇଙ୍କ ପୀଠସ୍ଥଳୀ । ଖରାଖାଇଙ୍କ ଆସ୍ଥାନ ଚତୁର୍ଦ୍ଦିଗରେ ଭରି ରହିଛି ଅନେକ ପ୍ରକାରର ବୃକ୍ଷଲତା । କି ଖରା କି ବର୍ଷା ସବୁ ସମୟରେ ମା’ଖରାଖାଇ ସେମିତି ଛାତ ବିହୀନ ମୁକ୍ତ ଆକାଶ ତଳେ ପୂଜା ପାଉଛନ୍ତି । ସେଥିପାଇଁ ମା’ଙ୍କ ନାମ ଖରାଖାଇ ଠାକୁରାଣୀ ବୋଲି ଲୋକେ କୁହନ୍ତି । ଏହି ଗାଁ ସହିତ ଆଖପାଖ ଅନେକ ଗ୍ରାମର ଲୋକମାନଙ୍କର ଠାକୁରାଣୀଙ୍କ ଉପରେ ରହିଛି ଅଗାଧ ଭକ୍ତି ଓ ବିଶ୍ୱାସ । କାହିଁ କେଉଁ ଅନାଦି କାଳରୁ ନାନା ବିପଦ ଆପଦରେ ସାହା ହେଉଛନ୍ତି ଏଇ ପ୍ରତ୍ୟକ୍ଷ ଠାକୁରାଣୀ । ଯାହାଙ୍କ ଉପରେ ଭରସା ରଖି ସରଳ ସୁଖ ଆନନ୍ଦଭରା ଜୀବନ ଯାପନ କରି ଆସୁଛନ୍ତି ଏଠାକାର ଗ୍ରାମବାସୀ । ଗାଁରେ କାହାରି ଘରେ କବାଟ ନାହିଁ କି ଦୁଆର ବନ୍ଧ ନାହିଁ । କି ଧନୀ କି ଗରିବ ସମସ୍ତେ ଏହି ସମାନ ଆଦର୍ଶ ଓ ପରମ୍ପରାର କୁ ଅନୁସରଣ କରି ଆସୁଛନ୍ତି ବର୍ଷ ବର୍ଷ ଧରି ।

ଆଜିର ଆଧୁନିକ ଯୁଗରେ ବି ସେଇ ବିଶ୍ୱାସ ଅତୁଟ ରହିଛି । ଏକଥା ଯେକେହି ଶୁଣିଲେ ସହଜରେ ବିଶ୍ୱାସ କରି ପାରିବ ନାହିଁ । ଆଉ ଗୋଟିଏ ବିଶେଷ କଥା ହେଉଛି, ଏଇ ଗାଁରେ କୌଣସି ଦିନ ବାଦବିବାଦ କିମ୍ବା କଳହ ଦେଖା ଦେଲେ ତାହା ସେହି ଗ୍ରାମରେ ହିଁ ତୁଟିଯାଏ । କବାଟ ନଥିଲେ ମଧ୍ୟ ଗାଁରେ କେବେ କାହା ଘରୁ ଚୋରି ହୁଏ ନାହିଁ । ପୋଲିସ କେବେ ଗାଁ କୁ ଆସିନାହିଁ ବୋଲି ଲୋକେ କୁହନ୍ତି । ପୁଣି ଏ ପର୍ଯ୍ଯନ୍ତ କୋର୍ଟ କଚେରୀକୁ ମଧ୍ୟ ଗାଁର କୌଣସି ମାମଲା ଯାଇନାହିଁ । ସବୁଠୁ ବଡ଼ କଥା ହେଉଛି, ଏଇ ଗାଁ କୁ ଆସୁଥିବା ନୂଆ ବୋହୂମାନେ ସାଙ୍ଗରେ ଆଣିଥିବା ସୁନାରୁପାର ଗହଣା ବାକ୍ସ ଗୁଡ଼ିକରେ ମଧ୍ୟ ଚାବି ପକାନ୍ତି ନାହିଁ । କେବଳ କୁକୁର ବିଲେଇଙ୍କୁ ରୋକିବା ପାଇଁ ସବୁ ଘର ଦୁଆର ମୁହଁରେ ଖଣ୍ଡେ ଖଣ୍ଡେ ବାଉଁଶର ତାଟିକୁ ଆଉଜେଇ ଦିଅନ୍ତି ଲୋକେ ।

ପ୍ରତି ମଙ୍ଗଳବାର ଓ ଶନିବାର ମା’ଙ୍କ ନିକଟରେ ପ୍ରବଳ ଭିଡ଼ ହୁଏ । ମା’ଙ୍କ ପାଦୁକା ପାନ କରି ଲୋକମାନେ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ପାଉଥିବା ବିଶ୍ୱାସ ରହିଛି । ଏହା ସହିତ ମା’ଙ୍କ ପାଖରେ ମାନସିକ କଲେ ନିଶ୍ଚୟ ପୂରଣ ହେଉଥିବା ଲୋକମାନେ କହୁଛନ୍ତି । ସେଥିଲାଗି ମାନସିକ ପୂରଣ ପରେ ମା’ଙ୍କ ନିକଟରେ ମାଟି ଘୋଡ଼ା ଦାନ ଦେଇ ଭୋଗ କରିଥାନ୍ତି । ତେଣୁ ଏହି ପୀଠର ଚାରିକଡ଼଼ରେ ପଡ଼ି ରହିଛି ଲକ୍ଷାଧିକ ମାଟି ଘୋଡ଼ା । ଯାହା ଭକ୍ତମାନଙ୍କର ମନସ୍କାମନା ପୂରଣ ହେଉଥିବାର ଏକ ପ୍ରମାଣ ଭଳି ଜଣାଯାଏ । କଥାରେ ଅଛି ବିଶ୍ୱସେ ମିଳଇ ହରି । ସେହି ବିଶ୍ୱାସ ଓ ଆସ୍ଥାରେ ଚଳି ଆସୁଛନ୍ତି ସିଆଳିଆ ଗାଁ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.