ସରିଲା ତାଲିବାନ ରାଜ୍‌, ହଟିଲା କଟକଣା; ସୁଇମିଂପୁଲକୁ ଓହ୍ଲାଇଲେ ଆଫଗାନୀ ମହିଳା

ଆଫଗାନିସ୍ତାନର ରାଜଧାନୀ କାବୁଲରେ ମହିଳାଙ୍କୁ ସୁଇମିଂପୁଲରେ ସନ୍ତରଣ କରିବାକୁ ଅନୁମତି ଦିଆଯାଇଛି। ପ୍ରଥମ ଥର ପାଇଁ ମହିଳାଙ୍କୁ ଏଭଳି ସ୍ୱତନ୍ତ୍ରତା ମିଳିଥିବା ବେଳେ ଏଥିପାଇଁ କେତେକ ସର୍ତ୍ତ ମଧ୍ୟ ରଖାଯାଇଛି।

କାବୁଲରେ ପ୍ରଥମ ସୁଇମିଂପୁଲ ୨୦୦୧ ମସିହାରେ ଖୋଲାଯାଇଥିଲା ଓ ଏହା କେବଳ ପୁରୁଷଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ବର୍ତ୍ତମାନ ମହିଳାଙ୍କୁ ମଧ୍ୟ ସୁଇମିଂପୁଲରେ ପହଁରିବାକୁ ଅନୁମତି ମିଳିଛି।

ରିପୋର୍ଟ ମୁତାବକ ଏହି ପୁଲରେ ପହଁରିବାକୁ ହେଲେ ମହିଳାଙ୍କୁ କେତେକ ନିୟମ ମାନିବାକୁ ପଡ଼ିବ। ମହିଳାମାନେ ଏଠାକୁ ନିଜ ଫୋନ୍‌ ନେଇ ଯାଇପାରିବେ ନାହିଁ। କାରଣ ଫୋନ୍‌ ନେଲେ ଫଟୋ ଉଠାଇବା ସମ୍ଭାବନା ରହିଛି। ମହିଳାଙ୍କ ଶରୀରକୁ ଅନ୍ୟମାନେ ଦେଖିବା ଆଶଙ୍କାରେ ଏଠାକୁ ଫୋନ୍‌ ନେବାକୁ ବାରଣ କରାଯାଇଛି।

ସୂଚନାଯୋଗ୍ୟ ଯେ କାବୁଲରେ ତାଲିବାନ ଶାସନ ଚାଲିଥିବାରୁ ପୂର୍ବରୁ ମହିଳାଙ୍କୁ କ୍ରୀଡ଼ା, ସାର୍ବଜନୀନ ଶିକ୍ଷା ଓ ଚାକିରି କରିବାକୁ ଅନୁମତି ଦିଆଯାଉନଥିଲା। କିନ୍ତୁ ୨୦୦୧ ମସିହାରେ ଆମେରିକା ଆଫଗାନିସ୍ତାନରେ ତାଲିବାନ ଶାସନର ମୂଳପୋଛ କରିବା ପରେ ଏବେ ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିପାରୁଛି।

କେବଳ କାବୁଲ ନୁହେଁ ସାଉଦି ଆରବରେ ମଧ୍ୟ ମହିଳାଙ୍କ ପାଇଁ କଡ଼ା ନିୟମ ରହିଛି। ଏଠାରେ ଏବେ କେତେକ ନିୟମକୁ କୋହଳ କରାଯାଇଛି। ସାଉଦି ଆରବରେ କିଛି ଦିନ ତଳେ ମହିଳାଙ୍କୁ ଡ୍ରାଇଭିଂ କରିବାକୁ ଅନୁମତି ମିଳିଛି। କେବଳ ଏତିକି ନୁହେଁ ସାଉଦି ଆରବରେ ମହିଳାଙ୍କୁ ସ୍ୱତନ୍ତ୍ର ପିନ୍ଧିବାରୁ ମଧ୍ୟ ମୁକ୍ତି ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.