Below header

ବଡ଼ ଯାତ୍ରାର ବଡ଼ ଠାକୁରଙ୍କ ପାରା: କେବଳ ଯାତ୍ରା ବେଳେ ଅଚାନକ ଆସନ୍ତି ଓ ଶେଷରେ ଉଭାନ୍‌ ହୋଇ ଯାଆନ୍ତି

ମାଲକାନଗିରି (କେନ୍ୟୁଜ୍‌) : ଆମ ଦେଶରେ ଧାର୍ମିକ ପରମ୍ପରାର ମହତ୍ତ୍ୱ ଅନେକ। ଆଉ ପ୍ରତ୍ୟେକ ପରମ୍ପରାରେ କିଛି ବିଶେଷତ୍ୱ ରହିଥାଏ। ଏମିତି ଏକ ଭିନ୍ନ ପରମ୍ପରା ହେଉଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ଼ଯାତ୍ରା। ଏହି ଯାତ୍ରାର କିମ୍ବଦନ୍ତୀ କିଛି ଅଲଗା। ତେବେ ଏହି ବଡ଼ଯାତ୍ରାର ଏକ ବିଶେଷତ୍ଵ ହେଉଛି ବଡ଼ ଠାକୁର ଆଉ ପାରା ମଧ୍ୟରେ ସମ୍ପର୍କ। ଆପଣମାନେ ଜାଣିଥିବେ ପକ୍ଷୀମାନେ ଅତି ତରକା। ଟିକିଏ ଶବ୍ଦ ହେଲେ ବସିଥିବା ଜାଗାରୁ ଉଡିଯାଆନ୍ତି। ହେଲେ ଏଇ ବଡ଼ ଯାତ୍ରାର ଦୃଶ୍ୟ କିନ୍ତୁ ନିଆରା। ଶୋଭାଯାତ୍ରା, ଲୋକଭିଡ଼ ଆଉ ବାଜାବାଜଣାରେ ବି ଏହି ପାରାମାନେ ଠାକୁରଙ୍କୁ ଘେରି ରହିଥାନ୍ତି। ଟିକିଏ ବି ଉଡ଼ି ଯିବାକୁ ଚେଷ୍ଟା କରନ୍ତି ନାହିଁ। କୁହାଯାଏ ଏହା ବଡ଼ ଠାକୁରଙ୍କ ଅପୂର୍ବ ମହିମା। ଏ ଦୃଶ୍ୟକୁ ଦେଖିଲେ ଲାଗିବ ଯେମିତି ପାରା ସବୁ ହେଉଛନ୍ତି ଠାକୁରଙ୍କ ସହଚର। ତାଙ୍କୁ ଛାଡ଼ି ଦଣ୍ଡେ ରହି ପାରିବେ ନାହିଁ । ଲୋକେ ଏହାକୁ ଦେଖି ବଡ଼ ଠାକୁରଙ୍କ ଚମତ୍କାର ବୋଲି କହିଥାନ୍ତି। ମଣିଷ ଭଳି ଏମାନେ ମଧ୍ୟ ପ୍ରଭୁଙ୍କ ଭକ୍ତିରେ ଲୀନ । ନଚେତ ସେମାନେ ତ ଏତେ ଶବ୍ଦ, ହୋହଲ୍ଲା ଭିତରେ ତରକି ଯାଆନ୍ତେ । ତୁରନ୍ତ ଉଡ଼ି ପଳାଇ ଯାଆନ୍ତେ । ହେଲେ ସେଭଳି ଘଟେ ନାହିଁ ।

ମାଲକାନଗିରି ଜିଲ୍ଲାକୁ ପୁରାଣ ବର୍ଣ୍ଣିତ ମାଲ୍ୟବନ୍ତଗିରି ବୋଲି ମଧ୍ୟ କୁହାଯାଏ । ଜିଲ୍ଲାର ପ୍ରସିଦ୍ଧ ବଡ଼ଯାତ୍ରା ମଧ୍ୟ ମହାଭାରତରେ ବର୍ଣ୍ଣିତ ଅନୁସାରେ କୃଷ୍ଣ, ଭୀମ, ଅର୍ଜୁନ ଏବଂ ଦ୍ରୌପଦୀଙ୍କୁ ପୂଜା କରାଯାଇଥାଏ। ଜିଲ୍ଲାରେ ଏହି ବଡ଼ଯାତ୍ରା ପାଇଁ ଦୀର୍ଘ ଏକ ମାସେ ଧରି ପୂଜାର ରୀତିନୀତି ଚାଲିଥାଏ। ଆଉ ବଡ଼ କଥା ହେଉଛି ଠାକୁର ଆନ୍ଧ୍ରରେ ସ୍ନାନ କରିବା ପରେ ଓଡିଶା ବା ମାଲକାନଗିରିକୁ ଦୀର୍ଘ ୯୦ କିଲୋମିଟର ବିମାନରେ ଆସିଥାନ୍ତି। ଆଉ ପଡୋଶୀ ଛତିଶଗଡ଼ର ସୁକମା ରାଜବଂଶ ପରିବାର ଲୋକେ ଆସି ଏହି ପୂଜା ରୀତିନୀତି ସମ୍ପାଦନା କରିଥାନ୍ତି। ତେଣୁ ତିନିଟି ରାଜ୍ୟ ଏକାଠି ହୁଅନ୍ତି ଏହି ଗୋଟିଏ ଯାତ୍ରାରେ। ତିନି ରାଜ୍ୟର ପରମ୍ପରା ରୀତିନୀତିକୁ ନେଇ ପାଳନ ହୋଇଥାଏ ବଡ଼ଯାତ୍ରା । ଆଉ ସବୁଠାରୁ ଆଚମ୍ବିତ କଥା ହେଉଛି ଏହି ପୂଜାରେ ଦୀର୍ଘ ୯୦ କିଲୋମିଟର ଯାଏ ସେହି ବିମାନରେ ଠାକୁରଙ୍କ ସହ ପାରା ଆସିଥାନ୍ତି ।

ଯେତେ ବାଣ ଫୁଟିଲେ କି ବାଜା ବାଜିଲେ ବି ସେମାନେ ଏସବୁକୁ ଭୟ କରନ୍ତି ନାହିଁ। ଜନସମୁଦ୍ର ମଧ୍ୟରେ ଏହି ପାରା ଠାକୁରଙ୍କୁ ଜାବୁଡି ରହିଥାନ୍ତି। ଦୀର୍ଘ ସପ୍ତାହେ ପର୍ଯ୍ୟନ୍ତ ଏମିତି ବିମାନ ଓ ଠାକୁରଙ୍କ ସହ ଯୋଡ଼ି ହୋଇ ରହିଥାନ୍ତି ପାରା ସବୁ। ଏହାକୁ ଆମେ ଚମତ୍କାର କହିବା ନା ଠାକୁରଙ୍କ ଅପୂର୍ବ ମହିମା?

para

ମାଲକାନଗିରି କାଲିମେଳା ବ୍ଲକ୍‌ ମାନ୍ୟମକୋଣ୍ଡା ଗୁମ୍ଫାରୁ ବାହାରିଥାନ୍ତି ଠାକୁର । ସେଠାରୁ ଆନ୍ଧ୍ରର ପାଲୁରକୁ ଯାଇଥାନ୍ତି । ଶୋଭାଯାତ୍ରା ସେହି ଠାରୁ ଆରମ୍ଭ ହୋଇ ମାଲକାନଗିରି ସହର ମଉଳି ମା ପର୍ଯ୍ୟନ୍ତ ଆସିଥାଏ । ଏହି ଯାତ୍ରା ଆରମ୍ଭ ହେବା ପରେ ପରେ ଅଚାନକ ପାରା ସବୁ ଆସିବା ଆରମ୍ଭ କରନ୍ତି । ଯାତ୍ରା ଯେତିକି ଆଗକୁ ବଢ଼େ ପାରାଙ୍କ ସଂଖ୍ୟା ସେତିକି ବଢିବାରେ ଲାଗିଥାଏ। ବଡ଼ କଥା ହେଉଛି ବଡ଼ଯାତ୍ରା ଶେଷ ହେବା ମାତ୍ରେ ଏହି ପାରା ସବୁ କେଉଁଆଡ଼େ ଉଭାନ ହୋଇଯାଆନ୍ତି। ପରମ୍ପରା ଅନୁସାରେ ଭକ୍ତମାନେ ମାନସିକ କରି ଠାକୁରଙ୍କ ପାଖରେ ପାରା ସବୁ ଉଡାଇ ଦେଇଥାନ୍ତି। ସେହି ପାରାମାନେ ଏହି ଯାତ୍ରା ବେଳେ ଫେରି ଆସିଥାନ୍ତି ବୋଲି କୁହାଯାଏ । ଠାକୁରଙ୍କ ପାଖରେ ଯେଉଁ ଭୋଗ ଦିଆଯାଏ ତାକୁ ଖାଇଥାନ୍ତି ଏମାନେ । ତେବେ ଠାକୁର ପୁଣି ମାନ୍ୟମକୋଣ୍ଡା ଫେରିବା ପରେ ସେମାନେ କେଉଁଆଡ଼େ ଉଭାନ୍‌ ହୋଇଯାଆନ୍ତି ।

କୁହାଯାଏ ବଡ଼ ଠାକୁରଙ୍କ ଏଭଳି ମହିମା ରହିଛି ଯାହା ଫଳରେ ଲୁହାକୁ ଚୁମ୍ବକ ଟାଣି ଆଣିଲା ଭଳି ପାରା ସବୁ ଏହି ଯାତ୍ରା ବେଳକୁ ଆସି ପହଞ୍ଚି ଯାଆନ୍ତି । ଈଶ୍ୱର ବିଶ୍ୱାସୀଙ୍କ କହିବା କଥା, ଯଦି ବଡ ଠାକୁର ଭକ୍ତଙ୍କ ପାଖକୁ ଆସି ପାରୁଛନ୍ତି ତେବେ ପାରା କାହିଁକି ଆସି ପାରିବେ ନାହିଁ ? ସେମାନେ ବି ତାଙ୍କରି ଆଶ୍ରିତ ଓ ତାଙ୍କରି ଭକ୍ତ । ସାରା ବିଶ୍ବ ପରା ତାଙ୍କ ନିର୍ଦ୍ଦେଶରେ ଚାଲିଥାଏ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.