ରାତିର ଘନ ଅନ୍ଧାରରେ ଲୁଚି ଲୁଚି ଆସୁଥିଲା ଆଉ ହତ୍ୟା କରି ଚାଲିଯାଉଥିଲା . . . ପଢନ୍ତୁ ନାରାୟଣ ସାହୁର ନାରକୀୟକାଣ୍ଡ

ରହସ୍ୟମୟ ଷ୍ଟୋନମ୍ୟାନ । ପ୍ରଥମେ ପଥରରେ ଛେଚୁଥିଲା, ପରେ ଗଳା କାଟି କରୁଥିଲା ହତ୍ୟା । ରାତିର ଘନ ଅନ୍ଧାରରେ ଲୁଚି ଲୁଚି ଆସୁଥିଲା ଆଉ ହତ୍ୟା କରି ଚାଲିଯାଉଥିଲା । ସିରିୟଲ୍ କିଲର ଆତଙ୍କରେ ଆତଙ୍କୀତ ହୋଇପଡିଥିଲା ସିଲଭର ସିଟି । ସିସିଟିଭିରେ ମିଳୁଥିଲା ସୁରାଗ୍ ହେଲେ ତାର ଆତଙ୍କରେ ପଡିପାରୁନଥିଲା ପୂର୍ଣ୍ଣଛେଦ । ୨୪ ଘଂଟାରେ ନେଇଥିଲା ତିନି ମୁଣ୍ଡ । ଆଉ ଏହି ସାଇକୋ କିଲରର ଟାର୍ଗେଟରେ ଥିଲେ ନିରାଶ୍ରମ ଓ ଦିନ ମଜୁରିଆ । ପୋଲିସ୍ ଖୋଜୁଥିଲା ହେଲେ ଚ୍ୟାଲେଞ୍ଜ ପାଲଟିଯାଇଥିଲା ଷ୍ଟୋନମ୍ୟାନ୍ ।
ଶେଷରେ ଧରା ପଡିଛି ଏହି ସାଇକୋ କିଲର୍ । ସାମ୍ନାକୁ ଆସିଛି ଫଟୋ । ସିଲଭର୍ ସିଟିରେ ଆତଙ୍କ ଖେଳାଇ ଥିବା ସିରିଏଲ୍ କିଲର ନାରାୟଣ ସାହୁକୁ ବାନ୍ଧିଛି ପୋଲିସ୍ । ନାଁ ତାର ଭଗବାନଙ୍କର କିନ୍ତୁ କାମ ଥିଲା ସୈତାନର । ନାରାୟଣ ନାଁ ଧରି କରୁଥିଲା ନାରକୀୟକାଣ୍ଡ । କେବଳ କଟକରେ ନୁହେଁ, ପୂର୍ବରୁ ଗଞ୍ଜାମ ବେଲଗୁଣ୍ଠାରେ ଏପରି ହତ୍ୟାକାଣ୍ଡ କରିଥିଲା ନାରାୟଣ ।

ନୟାଗଡ ଓଡଗାଁ ଅଞ୍ଚଳର ବାସିନ୍ଦା ନାରାୟଣ ସାହୁ । ବୁଲି ବୁଲି ବିକୁଥିଲା ଚୁଡି । ଗ୍ରାହକଙ୍କ ମଧ୍ୟରେ ନାରାୟଣ କାଚରା ଭାବରେ ବେଶ୍ ପରିଚିତ ଥିଲା ସେ । ବିବାହ ପରେ ଚୁଡି ସହ ଆରମ୍ଭ କରିଥିଲା ଜୋତା ବେପାର । ଭଲ ରୋଜଗାର ହେବା ପରେ ନିଜେ ଜମି କିଣି କରିଥିଲା ଘର । ଗୋଟିଏ ପୁଅ ଏବଂ ଗୋଟିଏ ଝିଅକୁ ନେଇ ଚାଲିଥିଲା ନାରାୟଣର ସୁନାର ସଂସାର ।

ତେବେ ଅଧିକ ରୋଜଗାର ଆଶାରେ ଚୁଡି ଏବଂ ଜୋତା ବେପାର ବନ୍ଦ କରି ଆରମ୍ଭ କରିଥିଲା ରୂପା ବ୍ୟବସାୟ । ଯେଉଁଥିପାଇଁ ଏଥିପାଇଁ ବିଭିନ୍ନ ସମୟରେ ସେ ଗ୍ରାମବାସୀଙ୍କଠୁ କରିଥିଲା ଧାରକରଜ । ଏପରିକି ଘରକୁ ମଧ୍ୟ ବନ୍ଧକ ରଖି ଟଙ୍କା ଆଣିଲା ନାରାୟଣ । କିନ୍ତୁ ଏହି ବ୍ୟବସାୟ ଯେମିତି ସୁହାଇଲାନି ତାକୁ । ଆଉ ଶେଷରେ କରଜ ଭାର ବଢିବାରୁ ପାଖାପାଖି ୭ ଲକ୍ଷ ଟଙ୍କାରେ ତିଆରି ଘରଟିକୁ ବିକ୍ରି କରିଦେଲା ନାରାୟଣ । ତେବେ ଚାପଗ୍ରସ୍ତ ନାରାୟଣର ଆଚାର ଓ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା । ଆଉ କିଛି ଦିନ ପରେ ସେ ହରାଇ ବସିଥିଲା ମାନସିକ ଭାରସାମ୍ୟ । ପତ୍ନୀ ଓ ପିଲାଙ୍କ ସହ ଝଗଡ଼ା କରୁଥିଲା। ଫଳରେ ଗତ ଦୁଇ ବର୍ଷ ତଳେ ପତ୍ନୀ ପିଲାଙ୍କୁ ଧରି ବାପଘରକୁ ପଳାଇଥିଲା।

ଏହାର କିଛିଦିନ ପରେ ଗାଁରେ ଏଣେ ତେଣେ ବୁଲୁଥିଲା ନାରାୟଣ । ଯିଏ ଯାହ ଦେଉଥିଲା ତାକୁ ଖାଉଥିଲା । ଶେଷରେ ମାନସିକ ଭାରସାମ୍ୟ ହରାଇ ନାରାୟଣ କାଚରାରୁ ସେ ପାଲଟିଯାଇଥିଲେ ନାଣ ବାୟା । ଆଉ ଘଟାଇ ଚାଲିଥିଲା ଗୋଟିଏ ପରେ ଗୋଟିଏ ଛାତିଥରା ହତ୍ୟାକାଣ୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.