Below header

ପୁଷ୍ପାଞ୍ଜଳି ଟୁଡୁ : ଯିଏ କୁଷ୍ଠରୋଗୀଙ୍କ ସେବାରେ ଲାଗିଛନ୍ତି ଦିନରାତି

କଥାରେ ଅଛି କର୍ତ୍ତବ୍ୟ ଠାରୁ ଆଉ କିଛି ବଡ଼ ନାହିଁ । ଆଉ କର୍ତ୍ତବ୍ୟ ଯଦି ଆଦର୍ଶ ପାଲଟି ଯାଏ ତେବେ ସେହି ମଣିଷଟି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଯାଏ । ଏମିତି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଆଶାକର୍ମୀ ପୁଷ୍ପାଞ୍ଜଳି ଟୁଡୁ । ଏହି ମହିଳା ଜଣକ କୁଷ୍ଠ ରୋଗୀମାନଙ୍କ ସେବା କରି ପାଲଟିଛନ୍ତି ଜଳେଶ୍ୱରର ମଦର ଟେରେସା । ଜଳେଶ୍ୱର ବ୍ଲକର ଆଦିବାସୀ ମହିଳା ପୁଷ୍ପାଞ୍ଜଳି ଟୁଡୁ । ନିଜ କାମ ପାଇଁ କେବଳ ପ୍ରଶାସନ କି ଲୋକଙ୍କ ଠାରୁ ସମ୍ମାନ ପାଇ ନାହାନ୍ତି ଓଡିଶାର ରାଜ୍ୟପାଳଙ୍କ ଠାରୁ ମଧ୍ୟ କୁଷ୍ଠ ସେବିକା ସମ୍ମାନ ପାଇଛନ୍ତି।

PUSPANJALI-2ମାନବ ସେବା ହିଁ ମାଧବ ସେବା ବୋଲି ଧରି ନେଇଛନ୍ତି ପୁଷ୍ପାଞ୍ଜଳି । ଜଳେଶ୍ୱର ବ୍ଲକ ଅନ୍ତର୍ଗତ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆଶାକର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ପୁଷ୍ପାଞ୍ଜଳି । ଘର ଚମାରଦିଗ କୃଷ୍ଣ ନଗର ଗାଁରେ । ଲୋକେ ରୋଗୀକୁ ଘୃଣା କରୁଥିବା ବେଳେ ଏହି ମହିଳା ଜଣକ ରୋଗକୁ ଘୃଣା କରି ନିଜ ହାତରେ କୁଷ୍ଠ ରୋଗୀମାନଙ୍କ ସେବା କରୁଛନ୍ତି । ନିଜ ହାତରେ ସେମାନଙ୍କ କ୍ଷତ ଜାଗାକୁ ସଫା କରି ଔଷଧ ଲଗାଇ ଦିଅନ୍ତି । ଘର ଘର ବୁଲି ସମସ୍ତଙ୍କୁ ସଚେତନ କରନ୍ତି । ଟିକିନିଖି ବୁଝାନ୍ତି ରୋଗ ବିଷୟରେ ।

PUSPANJALI-4ପିଲାଟି ଦିନରୁ ସ୍ବପ୍ନ ଥିଲା ରୋଗୀ ରୋଗି ସେବା କରିବା, ଆଉ ତାହାହିଁ କରି ଚାଲିଛନ୍ତି ପୁଷ୍ପାଞ୍ଜଳି । ଗୋଟିଏ ଆଜବେଷ୍ଟସ୍‌ ଛପର ଘରେ ରୁହନ୍ତି ସେ । ସକାଳୁ ସକାଳୁ ନିଜ ନିତ୍ୟକର୍ମ ସାରି ସାଇକେଲଟ୍‌ଟିଏ ଧରି ବାହାରି ପଡ଼ନ୍ତି । ଗାଁ ଗାଁ ବୁଲି ରୋଗୀମାନଙ୍କୁ ଚିକିତ୍ସା ଦିଅନ୍ତି । ଡାକ୍ତଖାନାରୁ ଆଣିବା ଓଷଧ ଆଦି ଦେବା ସହ ଭଲ ଭାବେ ବୁଝାସୁଝା କରନ୍ତି । କୁଷ୍ଠ ରୋଗୀ ଅଛୁଆଁ ନୁହେଁ, ସେବା ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ଦେଲେ ସେମାନଙ୍କ ମନରେ ଥିବା ଦୁଃଖ ଦୂର ହୋଇପାରିବ । କୁଷ୍ଠ ରୋଗୀମାନଙ୍କ ସେବା କରି ସେମାନଙ୍କ ମୁହଁରେ ହସ ଫୁଟାଇ ସେ ଆନନ୍ଦ ପାଆନ୍ତି ବୋଲି କହିଛନ୍ତି ।

PUSPANJALI-5ପିଲାଟି ଦିନରୁ ପୁଷ୍ପାଞ୍ଜଳି ଥିଲେ ଜଣେ ମେଧାବୀ ଛାତ୍ରୀ । ତେବେ ଘରର ଆର୍ଥିକ ପରିସ୍ଥିତି ଭଲ ନଥିବାରୁ ଦଶମ ଶ୍ରେଣୀରୁ ପାଠ ପଢ଼ା ବନ୍ଦ ହେଲା । ତେବେ ଭଲ ପାଠ ପଢୁଥିବାରୁ ଜଳେଶ୍ବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ତତ୍କାଳୀନ ଡାକ୍ତର ମିହିର କୁମାର ପ୍ରଧାନ ତାଙ୍କୁ ୧୯୮୭ ମସିହାରେ ଡାକ୍ତରଖାନାରେ ରୋଗୀ ସେବା କରିବା ପାଇଁ ନିଯୁକ୍ତି ଦେଲେ । ସେହି ଦିନଠାରୁ ସେ ନିଜ ଦାୟିତ୍ୱକୁ ଧର୍ମ ଭାବେ ଗ୍ରହଣ କରି ନେଇଛନ୍ତି । ଆଜି ପର୍ଯ୍ୟନ୍ତ ପେସାକୁ ନିଶା ବୋଲି ଭାବି ରୋଗୀ ସେବା କରି ଆସୁଛନ୍ତି । ତାଙ୍କ ହାତ ସ୍ପର୍ଶରେ ବହୁ କୁଷ୍ଠ ରୋଗୀ ଭଲ ହୋଇଛନ୍ତି । ଡାକ୍ତର ମିହିର ପ୍ରଧାନଙ୍କ ମୃତ୍ୟୁ ପରେ ମଧ୍ୟ ସେ ଗାଁ ଗାଁ ବୁଲି କୁଷ୍ଠ ରୋଗୀଙ୍କ ସେବା କରୁଛନ୍ତି ।

PUSPANJALI-3ତାଙ୍କର ଏହିପରି ସେବା ମନୋବୃତ୍ତି ପାଇଁ ଜଳେଶ୍ଵର ହାତୀଗଡ ଡାକ୍ତରଖାନା ଅଧୀନରେ ୨୦୦୭ ମସିହାରେ ଆଶା କର୍ମୀ ଭାବରେ ନିଯୁକ୍ତି ପାଇଛନ୍ତି । ଖାସ୍‌ ସେଇଥି ଲାଗି ସ୍ଥାନୀୟ ଲୋକେ ପୁଷ୍ପାଞ୍ଜଳିଙ୍କ ନାଁ ଦେଇଛନ୍ତି ‘ଜଳେଶ୍ଵରର ମଦର ଟେରେସା’ ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ରାଧାଗୋବିନ୍ଦ ଦାସ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.