୧୫ ବର୍ଷ ହେବ ସବୁଜ ବଳୟ ସୃଷ୍ଟି ପାଇଁ ପ୍ରୟାସ କରୁଛନ୍ତି ପୁରୀର ସତ୍ୟନାରାୟଣ

ଏହି ପ୍ରକୃତି ପ୍ରେମୀ ଜଣକ ହେଉଛନ୍ତି ପୁରୀ ବାସେଳୀସାହି ବାସିନ୍ଦା ସତ୍ୟନାରାୟଣ ଦାସ। ବିଗତ ୧୫ ବର୍ଷ ହେବ ସତ୍ୟନାରାୟଣ ସବୁଜ ବଳୟ ସୃଷ୍ଟି ପାଇଁ ଏଭଳି ନିଜ ହାତରେ ଗଛ ଚାରା ଓ ମଞ୍ଜି ଧରି ବୁଲୁଛନ୍ତି। ଯେଉଁଠି ପହଂଚି ଯାଉଛନ୍ତି ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମନ୍ଦିର, ସରକାରୀ ଯାଗା, ଶିକ୍ଷାନୁଷ୍ଠାନରେ କିଛି ଚାରା ଲଗାଇବା ସହ ଲୋକଙ୍କୁ ଗଛ ଲଗାଇବା ପାଇଁ ପ୍ରବର୍ତ୍ତାଇଛନ୍ତି ।

କଟକ(କେନ୍ୟୁଜ୍): କେତେବେଳେ ଟ୍ରେନରୁ ଓହ୍ଲାନ୍ତି ତ କେତେବେଳେ ବସରୁ ପୁଣି କେତେବେଳେ ଅଟୋ ରିକ୍ସାରୁ। ସାଙ୍ଗରେ ଥାଏ ଏକ ଟୋକେଇ । ଏହି ଟୋକେଇ ଧରି ସେ ଚାରିଆଡେ ଭ୍ରମଣ କରିଥାନ୍ତି । ନିଜ କାନ୍ଧରେ ଥିବା ଟୋକେଇରେ ରହିଛି କିଛି ମୂଲ୍ୟବାନ ଗଛ ଚାରା ଓ ହାତରେ ବସ୍ତାରେ ତୁଳସୀ ମଞ୍ଜି । ଏହାକୁ ଧରି ସେ ଏ ସହରରୁ ସେ ସହର, ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟ ବୁଲୁଥାନ୍ତି ।

ଏହି ପ୍ରକୃତି ପ୍ରେମୀ ଜଣକ ହେଉଛନ୍ତି ପୁରୀ ବାସେଳୀସାହି ବାସିନ୍ଦା ସତ୍ୟନାରାୟଣ ଦାସ। ବିଗତ ୧୫ ବର୍ଷ ହେବ ସତ୍ୟନାରାୟଣ ସବୁଜ ବଳୟ ସୃଷ୍ଟି ପାଇଁ ଏଭଳି ନିଜ ହାତରେ ଗଛ ଚାରା ଓ ମଞ୍ଜି ଧରି ବୁଲୁଛନ୍ତି। ଯେଉଁଠି ପହଂଚି ଯାଉଛନ୍ତି ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ମନ୍ଦିର, ସରକାରୀ ଯାଗା, ଶିକ୍ଷାନୁଷ୍ଠାନରେ କିଛି ଚାରା ଲଗାଇବା ସହ ଲୋକଙ୍କୁ ଗଛ ଲଗାଇବା ପାଇଁ ପ୍ରବର୍ତ୍ତାଇଛନ୍ତି। ତାଙ୍କର ଇଚ୍ଛା ଲୋକମାନେ ନିଜେ ଗଛ ଲଗାନ୍ତୁ ଓ ତାର ଯତ୍ନ ନିଅନ୍ତୁ।

ସତ୍ୟନାରାୟଣ ଜଣେ ଇଞ୍ଜିନିୟରିଂ ଡିପ୍ଲୋମା ଡିଗ୍ରୀ ଧାରୀ ହୋଇଥିବା ବେଳେ ବୃକ୍ଷ ଲତା, ପ୍ରକୃତି ପାଇଁ ତାଙ୍କର ପିଲା ବେଳୁ ଦୁର୍ବଳତା ରହିଛି। ସେହି କାରଣରୁ ସେ ଏହା ଭିତରେ ଓଡିଶାର ୧୧ଟି ଜିଲ୍ଲା ଓ ଦେଶର ୨୫ ଟି ରାଜ୍ୟ ବୁଲି ବୃକ୍ଷରୋପଣ ପାଇଁ ସୃଷ୍ଟି କଲେଣି ସଚେତନତା। ସତ୍ୟନାରାୟଣ ବିଶେଷ କରି ଅର୍ଜୁନ, ନାଗାର୍ଜୁନ, ତୁଳସୀ, ଚମ୍ପା, ଭ୍ରୂଷଙ୍ଗ ଭଳି ଗଛ ଲୋକଙ୍କୁ ଦେଉଛନ୍ତି ନିଜ ଉଦ୍ୟମରେ । ଆଗକୁ ସେ ଆହୁରି ଅଧିକ ନୂଆ ନୂଆ ସହର ବୁଲି ଏଭଳି ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଏଭଳି ଉଦ୍ୟମ ପ୍ରଶଂସନୀୟ ବୋଲି କଟକ ବାସିନ୍ଦା କହିଛନ୍ତି।

କାନ୍ଧ ଉପରେ ଗଛ ଭର୍ତ୍ତି ଟୋକେଇ ଆଉ ମୁଣ୍ଡରେ ଏକମାତ୍ର ଚିନ୍ତା, କିପରି ଚାରି ଆଡ଼େ ମାଡି ଚାଲିବ ସବୁଜ ବଳୟର କାୟା, ଆଉ ପ୍ରକୃତି କୋଳରେ ହସିବ ମାନବ ସମାଜ। ଏଭଳି ନିଆରା ଚିନ୍ତାଧାରା ରଖିଥିବା ବ୍ୟକ୍ତିଙ୍କୁ ଶହେ ସଲାମ ।