Below header

ଆମ ରାଜ୍ୟର ଏଇ ଜାଗାରେ ରହିଛି ଆଉ ଏକ ଗୁପ୍ତେଶ୍ୱର ପୀଠ, ଜାଣନ୍ତୁ ଏହି ଜାଗାର ମହିମା

ଭକ୍ତର ବିଶ୍ୱାସ ହିଁ ଭଗବାନ । ତେବେ ସେଇ ଭକ୍ତିଭାବନା ନେଇ ଅନେକ ଅଲୌକିକ ଘଟଣାକୁ ସାମନା କରିଥାନ୍ତି ଭକ୍ତ । ଆପଣମାନେ ଜାଣିଥିବେ ଶଙ୍କର ଭଗବାନଙ୍କର ପ୍ରିୟ ହେଉଛି ବେଲପତ୍ର । ତେଣୁ ପ୍ରତିଦିନର ପୂଜା ହେଉ ଅବା ଅଭିଷେକ, ସବୁଥିରେ ମହାପ୍ରଭୁଙ୍କୁ ଲାଗି କରାଯାଏ ବେଲପତ୍ର । ତେବେ ଦର୍ଶକବନ୍ଧୁ, ଆପଣମାନେ ସମସ୍ତେ ଦେଖିଥିବେ ଯେ ଠାକୁରମାନଙ୍କୁ ତ୍ରିଶାଖା ବା ତିନିଟି ପତ୍ର ଥିବା ବେଲପତ୍ର ଚଢ଼ାଯାଏ । ହେଲେ ବେଳେ ବେଳେ କିଛି ଗଛରେ ପାଞ୍ଚ କିମ୍ବା ତାଠାରୁ ଅଧିକ ଶାଖା ଥିବା ବେଲପତ୍ର ମଧ୍ୟ ଦେଖିବାକୁ ମିଳେ । ଏହାକୁ ଶିବଙ୍କ ଉପରେ ଚଢ଼ାଇଲେ ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ରହିଛି । ତେବେ ଆମ ରାଜ୍ୟରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠି ୯ରୁ ଆରମ୍ଭ କରି ୨୧ଟି ଶାଖାର ବେଲପତ୍ର ଦେଖିବାକୁ ମିଳେ । ଆସନ୍ତୁ ଯିବା ସେହି ପବିତ୍ର ଜାଗାକୁ ।

secrete gupteswar
secrete gupteswar

କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍‌ ଅନ୍ତର୍ଗତ ବଡ଼ କମ୍ବିଲୋ ପଞ୍ଚାୟତରେ ରହିଛି ଏହି କୋଷାପାଳ ଗାଁ । ଯେଉଁଠି ଏଭଳି ଆଲୌକିକ ବେଲ ଗଛ ଦେଖିବାକୁ ମିଳୁଛି । ଘଞ୍ଚ ଜଙ୍ଗଲ ଥିବା ଅଞ୍ଚଳ । ଏଠି ବିରାଜିତ ଅଛନ୍ତି ସ୍ଵୟଂ ଗୁପ୍ତେଶ୍ୱର ମହାଦେବ। ଏହାର ଚତୁଃପାର୍ଶ୍ଵରେ ଦେଖିବାକୁ ମିଳେ ଆଶ୍ଚର୍ଯ୍ୟ ଚକିତ କଲା ଭଳି ବେଲ ପତ୍ର । ଆପଣମାନେ କ୍ଵଚିତ ଦେଖିଥିବେ ଚାରି କିମ୍ବା ପାଞ୍ଚ, ଛଅ କି ସାତ ଟିକିଆ ବେଲ ପତ୍ର କିନ୍ତୁ ଏଠି ଶହ ଶହ ବେଲ ବୃକ୍ଷ ରହିଛି। ପ୍ରାୟ ପ୍ରତ୍ୟେକ ଗଛରେ ଏକ ଠାରୁ ଆରମ୍ଭ କରି ଏକୋଇଶି ପର୍ଯ୍ୟନ୍ତ ବେଲପତ୍ର ଦେଖାଯାଏ । ବିସ୍ମୟର କଥା ହେଉଛି ଅନେକ ଭକ୍ତ ଏଠାରୁ ବେଲ ଗଛ ନେଇ ଅନ୍ୟତ୍ର ଲଗାଇଛନ୍ତି କିନ୍ତୁ ଗଛରେ କେବଳ ତ୍ରିଶାଖା ପତ୍ର ହୁଏ । କେବଳ ଏହି ପବିତ୍ର ଜାଗାରେ ତିନିରୁ ଅଧିକ ଶାଖା ଥିବା ବେଲପତ୍ର ଦେଖିବାକୁ ମିଳୁଛି । ଲୋକଙ୍କ କହିବା ହେଉଛି ଏଠାରେ ପ୍ରଭୁ ଭୋଳାନାଥ ସ୍ଵୟଂ ଗୁପ୍ତ ଭାବରେ ବିରାଜିତ । ଏଠି ଶହ ଶହ ସଂଖ୍ୟାରେ ସାପ ମଧ୍ୟ ଦେଖିବାକୁ ମିଳନ୍ତି । ହେଲେ ସେମାନେ କାହାର କିଛି କ୍ଷତି କରନ୍ତି ନାହିଁ ବୋଲି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁଛି। ଏହି ସ୍ଥାନରେ ପ୍ରାୟ ପ୍ରତି ଦିନ ଆପଣ ଏକ ଠାରୁ ଆରମ୍ଭ କରି ନଅ, ଦଶ,ଏଗାର ଓ ତେର ଟିକିଆ ବେଲ ପତ୍ର ଦେଖି କରି ପାରିବେ । ଆଉ ଯେତେବେଳେ ଏକୋଇଶି ଶାଖା ବେଲ ପତ୍ର ଦେଖିବାକୁ ମିଳେ, ତାକୁ କପିଳାସ ସମେତ ଅନ୍ୟ ଶୈବପୀଠକୁ ପଠାଇ ଦିଆଯାଏ ।

ଏଠାକାର ବାତାବରଣ ଏତେ ଶାନ୍ତ ଯେ ଆପଣ କିଛି ସମୟ ରହିବା ପରେ ସବୁ କିଛି ଭୁଲିଯିବେ । ଏଠି ଏକ ଆଶ୍ରମ ମଧ୍ୟ ରହିଛି । ଏହି ମନ୍ଦିର ଏବଂ ଠାକୁରଙ୍କ ପୂଜାର୍ଚ୍ଚନା କରୁଛନ୍ତି ଏଠାରେ ଥିବା ବାବା। ଅବଶ୍ୟ ବର୍ଷ ତମାମ ଶ୍ରଦ୍ଧାଳୁମାନେ ଏଠାକୁ ଆସି ଏହି ବିରଳ ବେଲ ପତ୍ର ଦର୍ଶନ କରିଯାନ୍ତି । ଏଠି ଜାଗର, କାର୍ତ୍ତିକ ପୂର୍ଣ୍ଣିମା ଏବଂ ଯଜ୍ଞ ସମୟରେ ଲୋକଙ୍କ ଭିଡ଼ ଲାଗେ । ପ୍ରତି ସୋମବାର ମଧ୍ୟ ଅଧିକ ଗହଳି ରହିଥାଏ ।
ଏହି ସ୍ଥାନକୁ ଆସିବାକୁ ହେଲେ କଟକ ଠାରୁ ପ୍ରାୟ ୯୦ କିମି ବଡ଼ମ୍ବା ସଦର ମହକୁମା ରେ ପ୍ରଥମେ ପହଞ୍ଚିବାକୁ ହେବ। ଏହି ଠାରୁ ଗୋପପୁର ହାଟ ହେଉଛି ପାଞ୍ଚ କିମି । ସେହି ଗୋପପୁର ହାଟର ଦକ୍ଷିଣ ପାର୍ଶ୍ଵ ଛକ ଦେଇ ୬ରୁ ୮ କିମି ଗଲେ ଦୁର୍ଗମ ଜଙ୍ଗଲ ମଧ୍ୟରେ ପଡ଼େ ଗୁପ୍ତେଶ୍ୱର ଓ ବେଲେଶ୍ଵର ପୀଠ । ଏଠି ଯିଏ ଯାହା ମାନସିକ କରେ ତାହା ମଧ୍ୟ ବାବା ଗୁପ୍ତେଶ୍ୱର ପୂରଣ କରନ୍ତି ବୋଲି ବିଶ୍ୱାସ ରହିଛି। ସ୍ଥାନୀୟ ଲୋକଙ୍କ ମତରେ ଏଠାରେ ବେଲ ବୃକ୍ଷ ଗୁଡ଼ିକ ଗୁପ୍ତରେ ଥିଲେ । ଏଠି ଭଗବାନଙ୍କ ଶକ୍ତି ବିରାଜିତ ବୋଲି ନିଜେ ଅନୁଭବ କରିଛନ୍ତି ଏବଂ ବନ ଦୁର୍ଗା ମଧ୍ୟ ଏଇଠି ଅଛନ୍ତି ବୋଲି ଆଶ୍ରମ ବାବା କୁହନ୍ତି । ଜଣେ ସ୍ଥାନୀୟ ବାସିନ୍ଦା ପ୍ରଥମେ ଦେଖି ଏହି ବେଲ ବୃକ୍ଷର ପତ୍ରକୁ ନେଇ ପୂଜାର୍ଚ୍ଚନା କରି
ଗ୍ରାମବାସୀଙ୍କୁ ଦେଖାଇଥିଲେ ସେହି ଦିନ ଠାରୁ ଲୋକେ ଏହି ପୀଠ ର ମାହାତ୍ମ୍ୟ ଜାଣିବାକୁ ପାଇଲେ ।

ଆମ ରାଜ୍ୟର ହେଉ କି ପୂରା ଦେଶରେ ଏତେ ସଂଖ୍ୟାରେ ଏହି ବିସ୍ମୟ ବେଲପତ୍ର ଦେଖିବାକୁ ମିଳେ ନାହିଁ । ଏତେ ଶାଖା ଥିବା ବେଲପତ୍ର ଆଉ କେଉଁଠି ପାଇବେ ନାହିଁ ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି । ସେମାନଙ୍କ କହିବା ଅନୁଯାୟୀ ଏଠାକୁ ଅଧିକ ପର୍ଯ୍ୟଟକ ଏବଂ ଭକ୍ତ ଦର୍ଶନ କରିବାକୁ ଆସନ୍ତି କିନ୍ତୁ ଏହି ସ୍ଥାନକୁ ଗମନା ଗମନାଗମନର ଭଲ ସୁବିଧା ନାହିଁ । ପୁଣି ପାନୀୟ ଜଳର ଅଭାବ ମଧ୍ୟ ଦେଖିବାକୁ ମିଳେ । ତେଣୁ ଏଠି ସରକାର ଦୃଷ୍ଟି ଦେଲେ ଏହି ଶୈବ ପୀଠର ଅଧିକ ଉନ୍ନତି ହୋଇପାରିବ । ଏହା ସହିତ ପ୍ରଭୁ ଗୁପ୍ତେଶ୍ୱରଙ୍କ ପାଇଁ ଆଜି ପର୍ଯ୍ୟନ୍ତ ମନ୍ଦିର ନିର୍ମାଣ ମଧ୍ୟ ହୋଇ ପାରି ନାହିଁ । ତେଣୁ ସ୍ଥାନୀୟ ଜନସାଧାରଣ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.