Below header

ଆପାର୍ଟମେଣ୍ଟ ଲୁଟେରାଙ୍କ ଆତଙ୍କ, ଆଉ କିଭଳି ଘର ହେଲେ ମିଳିବ ସୁରକ୍ଷା ?

ଥମିବାର ନା ନେଉନି ଆପର୍ଟମେଣ୍ଟରୁ ଲୁଟ୍ । ପୁଣି ଆପର୍ଟମେଣ୍ଟରୁ ହୋଇଛି ଲୁଟ୍ । ରାଜଧାନୀରେ ଏବେ ଅସୁରକ୍ଷିତ ହୋଇପଡ଼ିଛି ଆପାର୍ଟମେଣ୍ଟ । ଥରେ ନୁହେଁ ବାରମ୍ବାର ସାମ୍ନାକୁ ଆସୁଛି ଲୁଟ୍‌ ଅଭିଯୋଗ । ଗତକାଲି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍‌ ହୋଇଥିବା ବେଳେ ଆଜି ପୁଣି ଆପାର୍ଟମେଣ୍ଟରୁ ଲୁଟ୍‌ ହୋଇଛି । ତାଲା ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ହଁ ଆଜ୍ଞା, ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା ଦଳ । କେତେବେଳେ ରାଜରାସ୍ତାରୁ ଚେନ୍‌ ଝାମ୍ପି ନେଉଛନ୍ତି ତ କେତେବେଳେ ପସ୍‌ର୍ ଛଡ଼ାଇ ନେଉଛନ୍ତି । ଏବେ ଆପାର୍ଟମେଣ୍ଟକୁ କରିଛନ୍ତି ଟାର୍ଗେଟ । ଖାଲି ଖୋଜି ବୁଲୁଛନ୍ତି ସୁଯୋଗ । ଟିକିଏ ସୁଯୋଗ ପାଇଲେ ଆପାର୍ଟମେଣ୍ଟରୁ ଲୁଟ୍‌ କରିବାକୁ ବାହାରି ପଡ଼ୁଛନ୍ତି । କ୍ଷଣକ ପାଇଁ ସୁଯୋଗକୁ ହାତଛଡ଼ା କରୁନାହାଁନ୍ତି । ପୋଲିସ ଆଖିରେ ଧୂଳି ଦେଇ କଳାକନା ବୁଲାଇ ଦେଉଛନ୍ତି । କେହି ନଥିବାର ଦେଖି ଏପରି ଲୁଟ୍‌ କରୁଛନ୍ତି ।

ମଞ୍ଚେଶ୍ୱର ଥାନା ପଦ୍ମକେଶରୀପୁର ନିକଟରେ ଥିବା ସତ୍ୟବାଦୀ ରେସିଡେନ୍ସିର ୨ଟି ଫ୍ଲାଟରୁ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା, ଦାମୀ ଘଣ୍ଟା ଓ ଅନ୍ୟ ଆସବାବପତ୍ର ଲୁଟ ହୋଇଛି । ଫ୍ଲାଟ ନମ୍ବର ୧୦୪ ଓ ୨୦୧ରୁ ଲୁଟିଛନ୍ତି ଲୁଟେରା । ତେବେ କୁହାଯାଉଛି ଦୁଇଟି ଯାକ ଫ୍ଲାଟରେ କେହି ଲୋକ ନଥିଲେ । ଗୋଟିଏ ଫ୍ଲାଟର ମାଲିକ ରାଉରକେଲା ଯାଇଥିବା ବେଳେ ଅନ୍ୟ ଫ୍ଲାଟ ମାଲିକ ବେଙ୍ଗାଲୁର ଯାଇଥିଲେ । ତେବେ ତାଲା ଭାଙ୍ଗି ସବୁ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଲୁଟେରା ଆପର୍ଟମେଣ୍ଟରେ ପ୍ରବେଶ କରୁଥିବା ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯେଉଁ ଦୃଶ୍ୟରେ ଦେଖିବାକୁ ମିଳିଛି ଲୁଟେରାମାନେ ମୁଖା ପିନ୍ଧିଛନ୍ତି ଏବଂ ମାରଣାସ୍ତ୍ର ଧରିଛନ୍ତି । ଗତକାଲି ରାତିରେ ଫ୍ଲାଟରେ ପଶି ଧାରୁଆ ଅସ୍ତ୍ର ସାହାଯ୍ୟରେ ଲୁଟ୍‌ କରାଯାଇଥିବା କୁହାଯାଉଛି ।

ସେହିପରି ଗତକାଲି ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ପ୍ଲାଟରୁ ଚୋରି ହୋଇଛି । ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଇଛନ୍ତି ଲୁଟେରା। ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ଲୁଟି ନେଇଛନ୍ତି ୧୫ ହଜାର ଟଙ୍କା । ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ପାହାଳ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଥିଲେ ମଧ୍ୟ କିପରି ଚୋରି ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକେ ପୋଲିସ ଚୁପ୍‌ ବସିଥିବା ନେଇ ଦାୟୀ କରିଛନ୍ତି । ଏହି ଘଟଣା ଘଟିବା ପରେ ପୋଲିସ ଏହାର ଜୋରଦାର ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.