Below header

ପ୍ରଥମେ ୫୨୨ ଖଣ୍ଡ ଓ ଏବେ ୪୫ ଖଣ୍ଡ ରୁପା ଇଟା ମିଳିଛି ଏମାର ମଠରୁ, ଆହୁରି ଲୁଚାଯାଇଛି କି !

୨୦୧୧ ମସିହାରେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲା ପୁରୀର ପ୍ରସିଦ୍ଧ ଏମାର ମଠ। ମଠରେ ଥିବା ୨ଟି ସିନ୍ଦୁକରୁ ଉଦ୍ଧାର ହୋଇଥିଲା ୫୨୨ ଖଣ୍ଡ ରୁପା ଇଟା। ଦେବୋତ୍ତର ବିଭାଗ ଅଜାଣତରେ ଥିବା ମଠର ଏହି ଗୁପ୍ତ ଧନକୁ ହଡ଼ପ କରିବା ଅଭିଯୋଗରେ ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ସହ ଅନ୍ଯ ୭ ଜଣ ଗିରଫ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ସେହି ୫୨୨ ଖଣ୍ଡ ରୁପା ଇଟାକୁ ସେବେଠାରୁ ରଖାଯାଇଛି ଜିଲ୍ଲା ଅସ୍ତ୍ରଗାରରେ। ଯାହାର ମୂଲ୍ଯ ପ୍ରାୟ ୯୦ କୋଟି ଟଙ୍କା ହେବ। ମଠର ମହନ୍ତ ଏବେ ଜାମିନରେ ଆସିଥିବା ବେଳେ ଦେବୋତ୍ତର ବିଭାଗ ତାଙ୍କୁ ହଟାଇ ନୂଆ ଟ୍ରଷ୍ଟ ବୋର୍ଡକୁ ଦାୟିତ୍ୱ ହସ୍ତାନ୍ତର କରିଛି। ତେବେ ଦାୟିତ୍ୱ ହସ୍ତାନ୍ତର ବେଳେ ମଠର ଚଟାଣ ତଳୁ ମିଳିଛି ଦେବୋତ୍ତର ତାଲିକାଭୁକ୍ତ ୪୫ ଖଣ୍ଡ ରୁପା ଇଟା।

୨୦୧୦ ମସିହାରେ ଏମାର ମଠର ଇନଭେଣ୍ଟ୍ରି କରାଯାଇ ଏହି ୪୫ ଖଣ୍ଡ ରୁପା ଇଟାକୁ ତାଲିକା ଭୁକ୍ତ କରାଯାଇଥିଲା। କିନ୍ତୁ ଦାୟିତ୍ୱ ହସ୍ତlନ୍ତର କରିବାକୁ ଅରାଜି ଥିବା ମହନ୍ତ ଏହି ରୁପା ଇଟାକୁ ଏକ କୋଠରୀର ଚଟାଣ ତଳେ ଲୁଚାଇ ରଖିଥିଲେ। ଦେବୋତ୍ତର ବିଭାଗର ବାରମ୍ବାର ଚାପ ପରେ ଏହି ରୁପା ଇଟାକୁ ଚଟାଣ ଖୋଳାଯାଇ ଉଦ୍ଧାର କରାଯାଇଥିଲା।

silver brick

ଏକ ପରିତ୍ୟକ୍ତ କୋଠାରୀ ମଧ୍ୟରେ ଏହାକୁ କାହିଁକି ପୋତାଯାଇଥିଲା ବୋଲି ପଚାରିବାରୁ ମହନ୍ତ ସୁରକ୍ଷା କlରଣ ଦର୍ଶାଇ ଥିଲେ। ମଠ ଭଙ୍ଗାରୁଜା ଅବସ୍ଥାରେ ଥିବାରୁ ଇଟାର ସୁରକ୍ଷା ପାଇଁ ଏହାକୁ ପୋତିଥିବା ସେ କହିଥିଲେ। ମଠ ମଧ୍ୟରୁ ଇଟା ଛଡ଼ା ବହୁ ପରିମାଣର ରୁପା ଅଳଙ୍କାର, ପଟବସ୍ତ୍ର ଓ ୧୦ରୁ ଅଧିକ ଖଣ୍ଡା ଉଦ୍ଧାର କରାଯାଇଥିଲା। ଏସବୁ ସାମଗ୍ରୀକୁ ନୂଆ ଟ୍ରଷ୍ଟ ବୋର୍ଡକୁ ହସ୍ତାନ୍ତର କରାଯାଇଥିଲା। ବୋର୍ଡର ଅନୁରୋଧ କ୍ରମେ ରୁପା ଇଟାର ସୁରକ୍ଷା ଦୃଷ୍ଟିରୁ ଏହାକୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯାଇଥିଲା।

ବିବାଦୀୟ ମହନ୍ତଙ୍କ ଠାରୁ ଏବେ ମଠ ପରିଚାଳନା ଭାର କାଢି ନିଆଯାଇ ୫ ଜଣିଆ ଟ୍ରଷ୍ଟ ବୋର୍ଡକୁ ଦିଆଯାଇଛି। ଦେବୋତ୍ତର ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ମହନ୍ତ କେବଳ ପୂଜା ଓ ନୀତିକାନ୍ତି କରିପାରିବେ। ମଠ ପରିଚାଳନା ଓ ଆର୍ଥିକ ବ୍ଯାପାର ନୂଆ ଟ୍ରଷ୍ଟ ବୋର୍ଡ ନେଇଛି। ମଠର ଟ୍ରଷ୍ଟି ଭାବେ ଉତ୍ତରପାର୍ଶ୍ୱ ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ନିଯୁକ୍ତ କରାଯାଇଛି। ସେ ମଠର ପୁନଃ ନିର୍ମାଣ ଓ ଉନ୍ନତି କାର୍ଯ୍ଯ ଆରମ୍ଭ କରିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.