ଜୀବନ ବଂଚାଇବେ ନା ଜୀବିକା, ଧୀରେ ଧୀରେ ଏହି ଗାଁକୁ ଗିଳୁଛି ସମୁଦ୍ର

ରକ୍ଷକ ଏବେ ସାଜିଛି ଭକ୍ଷକ । ଏଇ ସମୁଦ୍ର ସେମାନଙ୍କ ଜୀବନ ଆଉ ଜୀବିକା । ହେଲେ ଏବେ ସେ ଅଶାନ୍ତ । ସାତରୁ ଆଠ ଫୁଟ ଉଚ୍ଚରେ ମାଡ଼ି ଆସୁଛି ଢେଉ । ଚାରିଆଡେ ପାଣି ଆଉ ପାଣି । ସେଇ ପାଣି ଭିତରେ ବୁଡିଯାଇଛି ଶହ ଶହ ମତ୍ସ୍ୟଜୀବୀଙ୍କ ବେଉସା । ସମୁଦ୍ର ଢେଉରେ ଭାସି ଯାଇଛି ସେମାନଙ୍କ ଲକ୍ଷ ଲକ୍ଷ ଟଙ୍କାର ଜାଲ । ଭାଙ୍ଗି ଯାଇଛି ଡ଼ଙ୍ଗା । ସେଇ ସମୁଦ୍ର ଆଁରେ ବୁଡି ଯାଇଛି ଜୀବିକ। । ଏବେ ଚିନ୍ତାରେ ଗଂଜାମ ଜିଲ୍ଲା ପୋଡ଼ମପେଟାର ଶହ ଶହ ମତ୍ସ୍ୟଜୀବୀ ।

ବାତ୍ୟା ଫାଇଲିନ ପରେ ବାସହୀନ ହୋଇପଡିଥିଲେ ପୋଡମପେଟା ଗ୍ରାମବାସୀ। ସେଥିପାଇଁ ସେମାନଙ୍କୁ ଘର ଯୋଗାଇ ଦେଇଥିଲେ ସରକାର । ନିଜ ଭିଟାମାଟି ଛାଡି ସରକାର ଦେଇଥିବା ଘରକୁ ଚାଲି ଆସିଥିଲେ ଶହ ଶହ ମତ୍ସ୍ୟଜୀବୀ ପରିବାର । ଘର ମିଳିଲା ସତ ହେଲେ ଗାଁକୁ ଆବଶ୍ୟକ ସୁବିଧା ହୋଇପାରିଲା ନାହିଁ । ନା ରାସ୍ତା ଖଣ୍ଡେ ହେଲା ନା ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ ରଖିବା ପାଇଁ କିଛି ବ୍ୟବସ୍ଥା ହେଲା । ବାରମ୍ବାର ସରକାରୀ ବାବୁମାନଙ୍କୁ ଜଣେଇ ଜଣେଇ ଥକି ଗଲେ ବି କିଛି ଫଳ ହେଲାନି । ତେଣୁ ଜୀବିକା ହରେଇଛନ୍ତି ଅନେକ ମତ୍ସ୍ୟଜୀବୀ ପରିବାର । ଗତ କିଛିଦିନ ହେଲା ସମୁଦ୍ର ଢେଉର ଉଚ୍ଚତା ଅଧିକ ରହୁଛି। ଆଉ ସମୁଦ୍ର ପାଣି ଗାଁ ନିକଟକୁ ଚାଲି ଆସିଛି।

ସମୁଦ୍ର ଅଶାନ୍ତ ଥିବା ଯୋଗୁଁ ଚାରି ଦିନ ହେଲା ମାଛ ଧରିବାକୁ ଯାଇନାହାନ୍ତି ସେମାନେ। ଏବେ ଜାଲ ଓ ଡଙ୍ଗା ନଷ୍ଟ । ଡର ସେଇ ଜୀବନ ଜୀବିକା ଯୋଗାଉଥିବା ସମୁଦ୍ରକୁ । କେଜୋଣି କେବେ ସମସ୍ତେ ନିଘୋଡ଼ ନିଦରେ ଶୋଇଥିବ ଆଉ ସମୁଦ୍ର ଗିଳିଦେବ ସାରା ଗାଁକୁ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.