ସତ୍ୟ ଯୁଗର ବିଶ୍ୱକର୍ମା ଆଉ ଆଜିର ଇଞ୍ଜିନିୟର…

ନିକଟରେ ଯାଇଛି ଜାତୀୟ ଯନ୍ତ୍ରୀ ଦିବସ ଆଉ ଆଜି ବିଶ୍ୱକର୍ମା ପୂଜା। ବହୁ ଧୁମ୍‌ଧାମ୍‌ରେ ବିଭିନ୍ନ ଫୋରମ୍‌, ସଂଗଠନ ଦ୍ୱାରା ଯନ୍ତ୍ରୀ ଦିବସ ପାଳିତ ହୋଇଛି। ହ୍ଵାଟସ୍‌ଆପ୍‌ ଓ ସୋସିଆଲ ମିଡିଆରେ ଯନ୍ତ୍ରୀଙ୍କୁ ଅନେକ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ତାଙ୍କର ଶୁଭେଚ୍ଛୁ ଓ ବନ୍ଧୁଙ୍କ ସମେତ ଠିକାଦାର। ବିଶ୍ୱ ଯନ୍ତ୍ରୀ ଦିବସରେ ଇଞ୍ଜିନିୟରଙ୍କ ଅତୁଳନୀୟ ଓ ଅସମ୍ଭବ ପ୍ରକାରର ନିର୍ମାଣକୁ ଏହି ଦିନରେ ଖୁବ୍‌ ଆଲୋଚନା ବି କରାଯାଇଛି। ମହୀଶୂରର କେଆରଏସ୍‌ ଡ୍ୟାମ୍‌ ଓ ପ୍ରଖ୍ୟାତ ଇଞ୍ଜିନିୟର ଭାରତ ରତ୍ନ ମୋକ୍ଷଗୁଣ୍ଡମ୍‌ ବିଶ୍ୱେଶ୍ୱରୟା ଏହି ଯନ୍ତ୍ରୀ ଦିବସ ପାଳନର ମୂଳ ଅସ୍ତିତ୍ୱ। ଇଞ୍ଜିନିୟର ମୋକ୍ଷଗୁଣ୍ଡମ୍‌ଙ୍କ ଜନ୍ମଦିନକୁ ଜାତୀୟ ଯନ୍ତ୍ରୀ ଦିବସ ରୂପେ ପାଳନ କରାଯାଉଛି। ଦେଶର ସମସ୍ତ ଯନ୍ତ୍ରୀଙ୍କୁ ସମ୍ମାନ ଦେବା ତଥା ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ଏହି ଦିବସ ପାଳନ କରାଯାଉଛି। ସେପ୍ଟେମ୍ବର ୧୫ ତାରିଖରେ ଯନ୍ତ୍ରୀ ଦିବସ ଯାଇଥିବା ବେଳେ ସେପ୍ଟେମ୍ବର ୧୭ରେ ପଡ଼ୁଛି ବିଶ୍ୱକର୍ମା ଦିବସ। ମଝିରେ ମାତ୍ର ଗୋଟିଏ ଦିନର ଫରକ। ତେଣୁ ଏପରି ଏକ ଦିନରେ ଆଜିର ଯନ୍ତ୍ରୀ ଓ ବିଶ୍ୱକର୍ମାକୁ ନେଇ ଆଲୋଚନା କରିବାର ଆବଶ୍ୟକତା ମନେହେଉଛି।

ଆଜିର ଯନ୍ତ୍ରୀ ନିର୍ମାଣ କରିଥିବା ବୁର୍ଜ ଖଲିଫା, ଓ୍ଵାରିସନ ମଡେକା ଟାଓ୍ଵାର, ସାଂଘାଇ ଟାଓ୍ଵାର, ଗୋଲ୍ଡିନ ଫାଇନାନ୍ସ ୧୧୭, ପିଙ୍ଗ ଆନ୍‌ ଇଣ୍ଟରନ୍ୟାସନାଲ ଫାଇନାନ୍ସ ସେଣ୍ଟର, ଲୋଟି ଓ୍ଵାର୍ଲ୍ଡ ଟାଓ୍ଵାର ଓ ଓ୍ଵାନ୍‌ ଓ୍ଵାର୍ଲ୍ଡ ଟ୍ରେଡ୍‌ ସେଣ୍ଟର ଆଦିକୁ ଦେଖିଲେ ଲାଗେ ପ୍ରକୃତରେ ଏମାନେ ହେଉଛନ୍ତି ଜଣେ ଜଣେ ବିଶ୍ୱକର୍ମାଙ୍କ ପରି ନିୟନ୍ତା।

ବିଶ୍ୱାସ କରାଯାଏ, ଭଗବାନ ବିଶ୍ୱକର୍ମା ଇନ୍ଦ୍ରପୁରୀ, ଯମପୁରୀ, ବରୁଣପୁରୀ, କୁବେରପୁରୀ, ପାଣ୍ଡବପୁରୀ, ସୁଦାମପୁରୀ, ଶିବପୁରୀ ଆଦି ସମେତ ସତ୍ୟଯୁଗର ସ୍ୱର୍ଗ, ତ୍ରେତୟାଯୁଗର ଲଙ୍କା, ଦ୍ୱାପରଯୁଗର ଦ୍ୱାରିକାକୁ ନିର୍ମାଣ କରିଥିଲେ। ବିଶ୍ୱକର୍ମାଙ୍କ ଏସବୁ ସୃଷ୍ଟିକୁ କେହି ଦେଖିନାହାନ୍ତି କିନ୍ତୁ ଏସବୁ ସ୍ଥାନରେ ଦୁନିଆର ସବୁ ସୁଖ ଅନୁଭବ କରିହେଉଥିବା ବୋଲି କୁହାଯାଏ। ଠିକ୍‌ ସେହିପରି ଭାରତରେ ଯନ୍ତ୍ରୀମାନେ ନିର୍ମାଣ କରିଥିବା ବେଙ୍ଗାଲୁରୁର ଆଇ ଫ୍ଲେକ୍ସ ସଲ୍ୟୁସନ୍ସ ଭଳି ବିଲ୍ଡିଂ ଓ ବୃହତ୍ତ ସ୍ୱର୍ଣ୍ଣ ପିଣ୍ଡୁଳା ପରି ଦେଖାଯାଉଥିବା ୧୨ ମହଲା ବିଶିଷ୍ଟ ମାତ୍ରୀମନ୍ଦିର ଭଗବାନ ବିଶ୍ୱକର୍ମାଙ୍କ ସୃଷ୍ଟିଠାରୁ କିଛି କମ୍‌ ନୁହେଁ। ଏସବୁ ସ୍ଥାନକୁ ଯେଉଁମାନେ ଯାଇଛନ୍ତି ସେମାନଙ୍କୁ ଅପୂର୍ବ ସୁଖ ଅନୁଭବ ହୋଇଥିବା ସେମାନେ ବର୍ଣ୍ଣନା କରନ୍ତି।

PUJA

ତେଣୁ ବିଶ୍ୱକର୍ମାଙ୍କ ସେ ପୁରାତନ ସମୟର ସୃଷ୍ଟି ଓ ଆଜିର ଯନ୍ତ୍ରୀମାନଙ୍କର ବୃହତ ସୌନ୍ଦର୍ଯ୍ୟମୟ ନିର୍ମାଣ ଉଭୟ ବିଶ୍ୱକର୍ମା ପୂଜା ପାଳନ ଦିନ ଓ ଯନ୍ତ୍ରୀ ଦିବସକୁ ଆଦର ପୂର୍ବକ ସ୍ୱାଗତ କରିବାକୁ ବାଧ୍ୟ କରେ। ଭଗବାନ ବିଶ୍ୱକର୍ମାଙ୍କ ଜନ୍ମଦିନ ପାଇଁ ବିଶ୍ୱକର୍ମା ପୂଜା ପାଳନ କରାଯାଉଥିବା ବେଳେ ପ୍ରଖ୍ୟାତ ଇଞ୍ଜିନୟର ଭାରତ ରତ୍ନ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରୟାଙ୍କ ଜନ୍ମ ଦିବସକୁ ପାଳନ କରିବା ପାଇଁ ପାଳିତ ହେଉଛି ଜାତୀୟ ଯନ୍ତ୍ରୀ ଦିବସ।

ଆଜି ମନେପଡ଼ୁଛି ସେହି ଯନ୍ତ୍ରୀମାନଙ୍କ କଥା ଯେଉଁମାନେ ବ୍ଲକ, ଜିଲ୍ଲା ତଥା ରାଜ୍ୟ ସ୍ତରରେ ବିଭିନ୍ନ ସରକାରୀ କ୍ଷେତ୍ରରେ ନିୟୋଜିତ ହୋଇ ରାଜ୍ୟ ତଥା ଦେଶର ଉନ୍ନତିକରଣରେ ଲାଗିପଡ଼ିଛନ୍ତି। ଗ୍ରାମ୍ୟ ରାସ୍ତା, ସ୍କୁଲ ଘର, କମ୍ୟୁନିଟି ସେଣ୍ଟର, ନଳକୂପ, ଅଙ୍ଗନଓ୍ଵାଡି କେନ୍ଦ୍ର, ସରକାରୀ କାର୍ଯ୍ୟାଳୟ, ସହରର ନର୍ଦ୍ଦମା ପାଇଁ ନାଳ, ଫୁଟ୍‌ପାଥ୍‌, ପାର୍କ, ବ୍ରିଜ୍‌ ଆଦି ସମସ୍ତ ନିର୍ମାଣ କାର୍ଯ୍ୟର ଅସ୍ତିତ୍ୱ, ଦୀର୍ଘ ସ୍ଥାୟୀତ୍ୱ ତଥା ସୌନ୍ଦର୍ଯ୍ୟତା ସବୁକିଛି ନିର୍ଭର କରେ ଆମର ଏଇ ଯନ୍ତ୍ରୀମାନଙ୍କ ଉପରେ। କିନ୍ତୁ ଓଡ଼ିଶାର ଗ୍ରାମ୍ୟ ରାସ୍ତା ଓ ସହରର ନର୍ଦ୍ଦମା ନାଳକୁ ଦେଖିଲେ ଅନୁଭବ ହୁଏ ଯେମିତି ଆମର ଏ ଯନ୍ତ୍ରୀମାନେ ଭଗବାନ ବିଶ୍ୱକର୍ମାଙ୍କ ସେ ସବୁ ଅନନ୍ୟ ସୃଷ୍ଟି ଓ ଭାରତ ରତ୍ନ ମୋକ୍ଷଗୁଣ୍ଡମ ବିଶ୍ୱେଶ୍ୱରୟାଙ୍କ କ୍ରିଷ୍ଣା ରାଜା ସାଗର ଡ୍ୟାମ୍‌, ଡେକାନ ପ୍ଲାଟ୍ୟୁ ଇରିଗେସନ ସିଷ୍ଟମ୍‌, ହାଇଦ୍ରାବାଦ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ଆଦି କାର୍ଯ୍ୟକୁ ସମ୍ଭବତଃ ଜାଣିନାହାନ୍ତି।

ମୋକ୍ଷଗୁଣ୍ଡମଙ୍କ ପରି ଯନ୍ତ୍ରୀଙ୍କୁ ମନେ ପକେଇବା ପାଇଁ ତାଙ୍କ ଜନ୍ମଦିନକୁ ଯନ୍ତ୍ରୀ ଦିବସ ରୂପେ ବର୍ଷ ବର୍ଷ ଧରି ପାଳନ କରାଯାଉଥିବାବେଳେ ଗ୍ରାମ୍ୟ ରାସ୍ତା ନିର୍ମାଣ କରିଥିବା ସେ ବ୍ଲକ ଯନ୍ତ୍ରୀଙ୍କୁ ରାସ୍ତା ନିର୍ମାଣ ହେବାର ୫ବର୍ଷ ନ ପୂରୁଣୁ ଯେଭଳି ଶଦ୍ଦ ପ୍ରୟୋଗ କରି ଲୋକେ ମନେପକାନ୍ତି ତାହା ଶୁଣିଲେ, ଦେଶରେ ଯନ୍ତ୍ରୀ ଦିବସ ପାଳନ ହେଉଥିବା ଆଲୋଚନା କରିବାକୁ ସାହସ ହେବ ନାହିଁ। ଯଦି ସେମାନଙ୍କୁ ଯନ୍ତ୍ରୀ ଦିବସ ପାଳନ ନେଇ ସଚେତନ କରାଯିବ ତେବେ ଆଜିର ସୋସିଆଲ ମିଡିଆ ଯୁଗରେ ଗାଁର ଯୁବକ ଯୁବତୀ ତଥା ଗ୍ରାମବାସୀ ସୋସିଆଲ ଓ୍ଵାଲ୍‌ରେ ଏମିତି କଥା ଲେଖିବେ ଯେ, ସୋସିଆଲ ମିଡିଆ ଓ୍ଵାଲ ଦେଖିହେବ ନାହିଁ।

ରାଜ୍ୟ ସରକାର କୁହନ୍ତୁ କି କେନ୍ଦ୍ର ସରକାର ସମସ୍ତେ କୋଟି କୋଟି ଟଙ୍କାର ଯୋଜନା କରୁଛନ୍ତି ଦେଶର ରୂପରେଖ ବଦଳାଇ ବିଶ୍ୱ ସ୍ତରରେ ଏକ ସମୃଦ୍ଧ ରାଜ୍ୟ ତଥା ଦେଶରେ ପରିଚୟ ତିଆରି କରିବେ। କିନ୍ତୁ ସେ ଟଙ୍କା ସବୁ ଏମିତି ବାଟମାରଣା ହେଉଛି ଯେ ଦେଶ ତଥା ରାଜ୍ୟ ସମୃଦ୍ଧ ହେବ କ’ଣ ଓଲଟା ଦେଶ ଋଣ ବୋଝ ମୁଣ୍ଡାଇ ନଇଁ ନଇଁ ଚାଲିଲାଣି। ଆଉ ଏସବୁ ଅର୍ଥ ସଠିକ ବିନିଯୋଗ ନହେବା ଦିଗରେ ଆମର ଯନ୍ତ୍ରୀମାନେ ହିଁ ଦାୟୀ। ସମସ୍ତ ଯନ୍ତ୍ରୀ ଯେ ଏହା ପାଇଁ ତାହା ବିଲକୁଲ୍‌ ନୁହେଁ। ଏମିତି କିଛି ଯନ୍ତ୍ରୀ ଅଛନ୍ତି ଯେଉଁମାନେ ଏସବୁ ଅନିୟମିତତାରୁ ଦୂରେଇ ଅଛନ୍ତି। କିନ୍ତୁ ସେମାନଙ୍କୁ କୋଣଠେସା କରିଦିଆଯାଇଛି।

ପ୍ରକୃତରେ ଦେଶ ତଥା ରାଜ୍ୟର ବିକାଶ ରାଜନୈତିକ ଦଳ ଓ ତାହାର ନେତାଙ୍କ ହାତରେ ରହିଛି। ଆଉ ଏହି ନେତାମାନେ ଦେଶର ବିକାଶ ପାଇଁ ଯେତେସବୁ ନିର୍ମାଣ କରାଯାଏ ତାହା ପାଇଁ ଅର୍ଥ ବରାଦ କରନ୍ତି। ଆଉ ସେହି ଅର୍ଥ ଯୋଜନା ହୋଇ କେନ୍ଦ୍ର ଓ ରାଜ୍ୟଠାରୁ ବିଭିନ୍ନ କାର୍ଯ୍ୟାଳୟ ଜରିଆରେ କ୍ଷେତ୍ରସ୍ତରୀୟ ଯନ୍ତ୍ରୀଙ୍କ ଶେଷ ସ୍ପର୍ଶରେ ବିକାଶର ଚିହ୍ନ ସୃଷ୍ଟି କରିଥାଏ। କିନ୍ତୁ ଆଜିକାଲି କିଛିି ଯନ୍ତ୍ରୀମାନଙ୍କର ଦୁର୍ନୀତିଖୋର ମନୋଭାବ ଓ ମହତ୍ୱାକାଂକ୍ଷାର ଫାଇଦା ନେଇ ସେମାନଙ୍କୁ ବ୍ୟବହାର କରୁଛନ୍ତି ଏହି ରାଜନୈତିକ ଦଳ। ପ୍ରାୟ ସମସ୍ତ ରାଜନୈତିକ ଦଳର ତୃଣମୂଳ ସ୍ତରର କାର୍ଯ୍ୟକ୍ରମ ହିଁ ଭୋଟବ୍ୟାଙ୍କକୁ ଅଧିକ ପ୍ରଭାବିତ କରିଥାଏ। ଆଉ ଏହି ସବୁ ରାଜନୈତିକ କାର୍ଯ୍ୟକ୍ରମ କରିବାକୁ ଯେଉଁ ଅର୍ଥ ଆବଶ୍ୟକ ପଡେ, ସେ ସବୁ ଅର୍ଥ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଏହି ଯନ୍ତ୍ରୀମାନେ ହିଁ ଦେଇଥାନ୍ତି। ଠିକାଦାର ଯେଉଁ ଲାଭ କରେ ସେଥିରୁ କିଛି ଭାଗ ସେହି ରାଜନୈତିକ କାର୍ଯ୍ୟକ୍ରମକୁ ଯାଇଥାଏ। ଆଉ ସମୟ ଅନ୍ତରାଳରେ ସିଧାସଳଖ ଭାବେ ଠିକାଦାରଙ୍କୁ ଲାଭ ଦେବାକୁ ଯାଇ ଯାହା କିଛି ମିଳିଥାଏ ସେଥିରୁ କିଛି ପରିମାଣ ଦେବାକୁ ଯନ୍ତ୍ରୀମାନେ ବାଧ୍ୟ ହୋଇଥାନ୍ତି। ଏସବୁ ପ୍ରକ୍ରିୟା ଭିତରେ ଗ୍ରାମ ରାସ୍ତା ନିର୍ମାଣ ଶେଷ ହେବାର କେଇ ବର୍ଷ ପରେ ତାହା ଫାଟିଯାଇ ନିଜର ଅସ୍ତିତ୍ୱ ହଜାଇବା ପରେ ବିକାଶର ଚିତ୍ର ସ୍ପଷ୍ଟ ଦେଖାଯାଏ ନାହିଁ। ଏସବୁର ଅର୍ଥ ନୁହେଁ ଯେ କିଛି ବିକାଶ ହେଉନାହିଁ ବିକାଶ ହେଉଛି। କିନ୍ତୁ ଯଦି ଯନ୍ତ୍ରୀମାନେ ନିଜର ଚିନ୍ତାଧାରା ବଦଳାଇ ଦିଅନ୍ତି ଓ ଦେଶର ବିକାଶକୁ ସର୍ବାଗ୍ରେ ରଖି ବାକିସବୁକୁ ଗୌଣ କରିଦିଅନ୍ତି ତେବେ ଦେଶ ଏକ ନୂଆ ଦିଶା ପାଇଯାନ୍ତା। ଆଉ ଦେଶର ପ୍ରତ୍ୟେକ ନାଗରିକ ବିଶ୍ୱକର୍ମା ପୂଜା କରିବା ପୂର୍ବରୁ ଯନ୍ତ୍ରୀ ଦିବସକୁ ଉତ୍ସୁକତାର ସହ ପାଳନ କରନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.