Below header

‘ଆମ ଦୁହିତା ଜଗତ ଜିତା’, ବାଲ୍ୟ ବିବାହ ମୁକ୍ତ ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲା

ଫୁଲବାଣୀ (କେନ୍ୟୁଜ) : ବଣ ପାହାଡ ଘେରା କନ୍ଧମାଳ । ଏକ ଆଦିବାସୀ ବହୁଳ ଜିଲ୍ଲା । ଏଠାରେ ମୋଟ ଜନସଂଖ୍ୟାର ୫୩.୬ ପ୍ରତିଶତ ଆଦିବାସୀ ବସବାସ କରନ୍ତି । ଆଦିମ ଯୁଗରୁ ଏମାନେ ଅନେକ କୁସଂସ୍କାରରେ ବୁଡିରହିଛନ୍ତି । ସେଥିରେ ଏକ ପ୍ରଥା ରହିଛି ବାଲ୍ୟ ବିବାହ । ଆଇନରେ ଏହା ଅସିଦ୍ଧ ଥିଲେ ମଧ୍ୟ ଜିଲ୍ଲାର ଆଭ୍ଯନ୍ତରୀଣ ଅଞ୍ଚଳରେ ଏବେବି କିଛି ଲୋକ ଏହି ପ୍ରଥାକୁ ମାନୁଛନ୍ତି । ତେଣୁ ଏହାକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଆଉ କେତେକାଂଶରେ ସଫଳତା ମଧ୍ୟ ପାଇଛି ପ୍ରଶାସନ । ତେବେ କନ୍ଧମାଳକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରିବାକୁ ପ୍ରଶାସନ ତାର ଉଦ୍ୟମକୁ ଆହୁରି ବଢ଼ାଇ ଦେଇଛି । ବର୍ତମାନ ସୁଦ୍ଧା ୧୪୪୧ଟି ଗାଁକୁ ପ୍ରଶାସନ ପକ୍ଷରୁ ସରକାରୀ ଭାବେ ବାଲ୍ଯ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରାଯାଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ବ୍ଲକର ସିଡିପିଓମାନଙ୍କୁ ଚାଇଲ୍ଡ ମ୍ୟାରେଜ ପ୍ରୋଟେକସନ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ପୁଣି ସବୁ ଗାଁରେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରି ଗ୍ରାମର କିଶୋର କିଶୋରୀ ମାନଙ୍କ ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଉଛି । ପ୍ରତି ଶନିବାର ଗାଁର ଅଙ୍ଗନବାଡିରେ ବୈଠକ କରି ବାଲ୍ୟ ବିବାହ କୁ ନାଁ କହିବା ଓ ପାଠ ପଢିବାକୁ ହଁ କହିବା ନେଇ ପରାମର୍ଶ ଦିଆଯାଉଛି । ଏ ଦିଗରେ ସେମାନଙ୍କୁ ଭଲ ଭାବେ ସଚେତନ କରାଯାଉଛି । ଯେଉଁ କିଶୋର ବାଳକ ଓ ବାଳିକାମାନେ ନିଜ ବାହାଘର ନିଜେ ବନ୍ଦ କରିଛନ୍ତି ସେମାନଙ୍କୁ ନେଇ ଏହି ମଞ୍ଚ ଗଠନ କରାଯାଇଛି । ସେମାନେ ଗାଁର ଅନ୍ଯ ପିଲା ମାନଙ୍କୁ ଡାକି ସଚେତନ କରାଉଛନ୍ତି । ଏ ସମ୍ପର୍କରେ ଗାଁର ଅଙ୍ଗନବାଡି ଦିଦିଙ୍କୁ ଦାୟିତ୍ୱ ଦିଆଯାଇଛି। ପୁଣି ବ୍ଲକ ସ୍ତରରେ ସିଡିପିଓ ପ୍ରତି ମାସରେ ସମସ୍ତ ଅଙ୍ଗନବାଡି ଦିଦିଙ୍କୁ ନେଇ ସମୀକ୍ଷା ବୈଠକ କରାଯାଉଛି ।

kandhamalପ୍ରତି ୩ ମାସରେ ଥରେ ଜିଲ୍ଲାପାଳ ‘day for child’ କାର୍ଯ୍ଯକ୍ରମ ଜରିଆରେ ଚାଇଲ୍ଡ ମ୍ୟାରେଜ ପ୍ରୋଟେକ୍ସନ ଅଫିସର ଓ ଅନ୍ଯ ଜିଲ୍ଲାସ୍ତରୀୟ ଅଫିସରମାନଙ୍କ ସହିତ କାର୍ଯ୍ୟକ୍ରମର ସମୀକ୍ଷା କରିଥାନ୍ତି। ଆସନ୍ତା ୨୦୨୪ ସୁଦ୍ଧା ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟରେ ସମସ୍ତେ ଜୋରସୋରରେ ଲାଗି ପଡ଼ିଛନ୍ତି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୫୬ଟି ବାଲ୍ୟ ବିବାହକୁ ବନ୍ଦ କରାଯାଇଛି । ବିବାହ କରୁଥିବା ନାବାଳିକାଙ୍କୁ ସିଡବଲ୍ୟୁସି ମାଧ୍ୟମରେ ଅଣାଯିବା ପରେ ତାଙ୍କ ବାପା ମାନଙ୍କୁ କାଉନସେଲିଂ କରାଯାଉଛି । ପରେ ନାବାଳିକାଙ୍କୁ ତାଙ୍କ ବାପା ମା’ଙ୍କୁ ହସ୍ତାନ୍ତର କରାଯାଉଛି । ନଚେତ ସ୍ୱଧାର ଗୃହକୁ ପଠାଇ ତାର ପାଠ ପଢା ବ୍ୟବସ୍ଥା କରାଯାଉଛି । ସେମାନଙ୍କୁ ୧୮ ବର୍ଷ ବୟସ ହେବା ପରେ ତାଙ୍କ ବାପା ମା’ଙ୍କ ପାଖକୁ ଛଡା ଯାଉଛି । ଏହିଭଳି ନିଜ ବାହାଘର ନିଜେ ଭାଙ୍ଗିଥିବା ଝିଅମାନଙ୍କୁ ବାଛି ଜିଲ୍ଲା ପ୍ରଶାସନ ‘ଆମ ଦୁହିତା ଜଗତ ଜିତା’ କାର୍ଯ୍ଯକ୍ରମରେ ସାମିଲ କରିଛି । ସେମାନଙ୍କ ଜରିଆରେ ଗାଁ ଗାଁ ବୁଲି ବାଲ୍ଯ ବିବାହ ରୋକିବାକୁ ସଚେତନ କରାଯାଉଛି।

ବାଲ୍ଯ ବିବାହ ପରି କୁପ୍ରଥକୁ ମୂଳରୁ ଲୋପ କରିବା ପାଇଁ କେବଳ ପ୍ରଶାସନ କାହିଁକି, ବାଲ୍ଯ ବିବାହରୁ ନିଜକୁ ନିଜେ ମୁକ୍ତ କରାଇଥିବା ଅନେକ ଝିଅ ବାଲ୍ଯ ବିବାହ ମୁକ୍ତ କନ୍ଧମାଳର ସ୍ୱପ୍ନ ଦେଖିଛନ୍ତି। ପାଠ ପଢିବା ସହ ତାଙ୍କ ସାଙ୍ଗମାନେ ତାଙ୍କ ପରି କିପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତେଣୁ ଗାଁ ଗାଁ ବୁଲି ସଚେତନ କରିବାରେ ଲାଗିଛନ୍ତି। ପ୍ରତି ଗାଁରେ ଅଙ୍ଗନ୍ଵାଡି କର୍ମୀଙ୍କ ଦ୍ୱାରା ବାଲ୍ଯ ବିବାହ ପ୍ରତିରୋଧ ମଞ୍ଚ ଗଠନ କରାଯାଇଛି । ଏହି ମଞ୍ଚ ଜରିଆରେ ଗାଁର ସାବାଳିକାମାନଙ୍କୁ ନେଇ ସଚେତନତା କାର୍ଯ୍ଯକ୍ରମ ଆରମ୍ଭ କରା ଯାଇଛି । ସେଠାରେ ସେମାନଙ୍କ ସଶକ୍ତିକରଣ ସହ ସେମାନଙ୍କ ଅଧିକାର ଓ ସମସ୍ଯା କଥା ଆଲୋଚନା କରାଯାଉଛି । ପରେ ତାର ସମାଧାନ ମଧ୍ୟ କରାଯାଇଥାଏ। ଯେଉଁମାନେ ଏଠାରେ କରମକର୍ତ୍ତା ଅଛନ୍ତି ସେମାନେ ଗାଁ ଗାଁ ଯାଇ ବାଲ୍ଯ ବିବାହ ନ କରିବା ପାଇଁ କିଶୋରୀମାନଙ୍କୁ ସଚେତନ କରାଯାଉଛି । ଏହା ସହିତ ନିଜ ଗାଁରେ ପ୍ରତି ଶନିବାର ଦିନ ଘରକୁ ଘର ଯାଇ କିଶୋରୀ ବାଳିକାମାନଙ୍କୁ ଡାକି ବୈଠକରେ ସାମିଲ କରାଯାଉଛି ।

କଥାରେ ଅଛି ଉଦ୍ୟମ ବଳେ ସର୍ବସିଦ୍ଧି । କେବଳ ଶିକ୍ଷା ଓ ସଚେତନତା ହିଁ ଦୂର କରି ପାରିବ କୁସଂସ୍କାର ଓ ଅନ୍ଧବିଶ୍ୱାସ । ଏହି କଥାକୁ ଗଣ୍ଠି କରି ବାଲ୍ଯ ବିବାହ ରୋକିବା ପାଇଁ ଚେଷ୍ଟା ଚଳାଇଛି କନ୍ଧମାଳ ଜିଲ୍ଲା ପ୍ରଶାସନ । ଏହା ସହ କିଶୋରୀମାନେ ବିବାହ କଲା ପରେ ନିଜେ ସୁସ୍ଥ ରହିବା ସହ ନିଜ ପିଲାଙ୍କୁ କିଭଳି ସୁସ୍ଥ ରଖି ପାରିବେ ସେ ନେଇ ବୁଝା ଯାଉଛି । ଯାହାଫଳରେ ଜିଲ୍ଲାରେ କେବଳ ବାଲ୍ୟ ବିବାହ ନୁହେଁ, ଶିଶୁ ଓ ମାତୃ ମୃତ୍ୟୁ ହାର ମଧ୍ୟ ରୋକା ଯାଇପାରିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.