Below header

ବିଜୁ ପକ୍କା ଘରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଘର ପାଇନଥିଲେ ୫ ହଜାର ଓ ମରାମତି ପାଇଁ ୩ ହଜାର ଟଙ୍କା ସହାୟତା

ଭୁବନେଶ୍ୱର(କେନ୍ୟୁଜ୍‌) : ଗରିବଙ୍କୁ ଘର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା। ବିଜୁ ପକ୍କାଘର, ନିର୍ମାଣ ଶ୍ରମିକ ପକ୍କାଘର ଓ ଖଣି ଅଂଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ମିଳିବ ୩ ହଜାର ଟଙ୍କା ସହାୟତା।

ସେହିପରି କେନ୍ଦ୍ରୀୟ ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ପରିବାରକୁ ଘର ମରାମତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ହଜାର ଟଙ୍କା ଲେଖାଏ ସହାୟତା ମିଳିବ। ଏ ନେଇ ଆଜି କ୍ୟାବିନେଟ୍ ନିଷ୍ପତ୍ତି ଗ୍ରହଣ କରିଛି।

ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଏହା ଦ୍ୱାରା ସମୁଦାୟ ୩୦ ଲକ୍ଷ ପରିବାର ଉପକାର ପାଇବେ। ଏଥିପାଇଁ ଖର୍ଚ୍ଚ ହେବ ୧୪୪୪ କୋଟି ଟଙ୍କା। ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାରୁ ଏ ଖର୍ଚ୍ଚ ବହନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ରାଜ୍ୟରେ ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଂଚଳ ପକ୍କା ଘର ପାଇଁ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଖର୍ଚ୍ଚ କରୁଛନ୍ତି। ୨୦୧୪ରୁ ଏ ଯାଏ ୨୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। କେନ୍ଦ୍ରୀୟ ଯୋଜନାରେ ମଧ୍ୟ ଘର ଦେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଅନେକ ଯୋଗ୍ୟ ହିତାଧାକାରୀ କେନ୍ଦ୍ର ଯୋଜନାରୁ ବାଦ୍ ପଡିଛନ୍ତି।

ବିଶେଷ କରି ଆଦିବାସୀ ବହୁଳ ଓ ପଶ୍ଚିମ ଓଡ଼ିଶାର ଗ୍ରାମାଞ୍ଚଳ ଲୋକ ହଇରାଣ ହେଉଛନ୍ତି। କେନ୍ଦ୍ରଠାରୁ ଘର ଆଣିବାକୁ ସରକାର ପ୍ରୟାସ କରୁଥିବା କହିଛନ୍ତି ନବୀନ। ଯଦି କେନ୍ଦ୍ର ସରକାର ନ୍ୟାୟ ପୂର୍ଣ୍ଣ ଦାବି ନ ଗ୍ରହଣ କରନ୍ତି ତେବେ ଚିନ୍ତା କରିବାର ନାହିଁ ବୋଲି ଆଶ୍ୱସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନଙ୍କୁ ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ନବୀନ ପଟ୍ଟନାୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.