Below header

୧୦୦୯ ଥର ବିଫଳତା ପରେ ସଫଳତା ପାଇଥିବା କେଏଫସି ମାଲିକଙ୍କ ଚଟପଟା କାହାଣୀ

ଜଣେ ବ୍ୟକ୍ତି କେତେ ଥର ଅସଫଳ ହୋଇପାରେ? ୧୦ ଥର, ୧୫ ଥର ନା ୫୦ ଥର, କିଛି ଲୋକ ତ ଏତେ ଥର ପ୍ରଚେଷ୍ଟା କରି ସେ ଆଉ ଚେଷ୍ଟା କରିବାକୁ ହିଁ ଚାହାଁନ୍ତିନି। କିନ୍ତୁ ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ସହିତ ଆପଣଙ୍କୁ ପରିଚିତ କରାଇବୁ ଯିଏ ୧୦୦୯ ଥର ଅସଫଳ ହେବା ପରେ ମଧ୍ୟ ନିଜ ଚେଷ୍ଟା ଜାରି ରଖିଲେ, ଆଉ ଶେଷରେ ନିଜ ଲକ୍ଷ୍ୟହାସଲ କରିବାରେ ସଫଳ ହେଲେ। ତାହାପୁଣି ୬୫ ବର୍ଷ ବୟରେ।

କୁହାଯାଏ ବାରମ୍ବାର ଅସଫଳ ହେବା ଦ୍ୱାରା ମଧ୍ୟ ଉତ୍ସାହକୁ ଜାରି ରଖିବା ହିଁ ସଫଳତା। ଏବଂ ଏହି ବ୍ୟକ୍ତି ହିଁ ଏହି କଥାକୁ ଠିକ ପ୍ରମାଣ କରି ଦେଖାଇଛନ୍ତି କଲୋନେଲ ହାରନାଲ୍ଡ ସାଣ୍ଡର୍ସ। ଇଏ ହେଉଛନ୍ତି ସାରା ଦୁନିଆର ବଡ, ଚର୍ଚ୍ଚିତ ଫ୍ରାଏଡ୍‌ ଚିକେନ ଫ୍ରେଞ୍ଚାଇଜ୍‌ ବା କେଏଫସି ଅର୍ଥାତ କେଣ୍ଟକି ଫ୍ରାଏଡ୍‌ ଚିକେନର ଫାଉଣ୍ଡର। କଲୋନେଲ ସାଣ୍ଡର୍ସଙ୍କ ଏହି ସଫଳତାର କାହାଣୀ କୌଣସି ଫିଲ୍ମ ଠାରୁ କମ୍‌ ନୁହେଁ। ତାହେଲେ ଆସନ୍ତୁ ଜାଣିବା କେଏଫସିର ଟେଷ୍ଟୀ ଚିକେନ ବନାଉଥିବା ସାଣ୍ଡର୍ସଙ୍କ ଚଟପଟା କାହାଣୀ।

sanders୯ ସେପ୍ଟେମ୍ବର ୧୮୯୦ ଇଣ୍ଡିଆନାର ହେନ୍ରିଭିଲ୍ଲାସହରରେ ଜନ୍ମଗ୍ରହଣ କରିଥିବା ସାଣ୍ଡର୍ସ। ଛୋଟବେଳରେ ବାପାଙ୍କ ମୃତ୍ୟୁ ହୋଇଥିବା ଯୋଗୁଁ ୬ ବର୍ଷ ବୟସରେ ସେ ନିଜ ସାନ ଭାଇ-ଭଉଣୀଙ୍କ ଯତ୍ନ ନେଉଥିଲେ। ତାଙ୍କ ମାଆ ଏକ ଟମାଟୋ ଫ୍ୟାକ୍ଟି୍ରରେ କାମ କରୁଥିଲେ, ଏଥିପାଇଁ ମାତ୍ର ସପ୍ତମ ପର୍ଯ୍ୟନ୍ତ ପାଠ ପଢ଼ିଥିବା ସାଣ୍ଡର୍ସ ଘର ଖର୍ଚ୍ଚ ତୁଲାଇବାକୁ ଚାକିରି କଲେ। ସେ କ୍ଷେତରେ ହେଲପର ଭାବରେ କାମ କରିବା ଆରମ୍ଭ କଲେ। ଏହାପରେ ୧୬ ବର୍ଷ ବୟସରେ ସାଣ୍ଡର୍ସ ନିଜ ବୟସକୁ ଲୁଚାଇ ଆମେରିକାନ ଆର୍ମିରେ ସାମିଲ ହୋଇଗଲେ। କିନ୍ତୁ ଏକ ବର୍ଷ ପରେ ହିଁ ତାଙ୍କୁ ଆର୍ମିରୁ ବାହାର କରିଦିଆଗଲା। ଏହାପରେ ସେ ରେଲୱେରେ ମଜୁରିଆ ଭାବରେ କାମ ଆରମ୍ଭ କଲେ ସେଠରେ ବି ବିଫଳତା ପାଇବା ପରେ ହତାଶ ସାଣ୍ଡର୍ସ ନିଜ ମାଆଙ୍କ ପାଖରେ ଆସି ରହିବାକୁ ଲାଗିଲେ। ଆଉ ସେଠାରେ ସେ ଜଣେ ଇନସୁରାନ୍ସ ଏଜେଣ୍ଟ ଭାବରେ କାମ ଆରମ୍ଭ କଲେ। ଏଥିରେ ମଧ୍ୟ ପାଇଲେ ବିଫଳତା।

ସାଣ୍ଡର୍ସ ବାରମ୍ବାର ହେଉଥିବା ଅସଫଳତାରେ ହତାଶ ନିଶ୍ଚୟ ଥିଲେ କିନ୍ତୁ ନିଜ ଚେଷ୍ଟା ଜାରି ରଖିବା ବନ୍ଦ କରିନଥିଲେ। ସେ ଡଙ୍ଗା ବା ନୌକା ତିଆରି କରୁଥିବା ଏକ କମ୍ପାନୀ ଖୋଲିଲେ। କିଛି ଦିନ ପରେ ସେ ଏହା ଯାଗାରେ ସେ ଲ୍ୟାମ୍ପ ବନାଇବା ପାଇଁ ଯୋଜନା କରୁଥିଲେ, ସେତିକିବେଳେ ଅନ୍ୟ ଏକ କମ୍ପାନୀ ବହୁତ ଭଲ ଲ୍ୟାମ୍ପକୁ ବନାଇ ମାର୍କେଟରେ ଲଞ୍ଚ କଲା। ଏଥିରେ ବି ସେ ବିଫଳତା ପାଇଲେ। ଏମିତି ଭାବେର ବର୍ଷ ବର୍ଷ ବିତି ଚାଲିଲା କିନ୍ତୁ ସାଣ୍ଡର୍ସଙ୍କ ଚେଷ୍ଟାର ଗାଡି ନିଜ ଲକ୍ଷ୍ୟସ୍ଥଳରେ ପହଁଚିପାରୁନଥିଲା।

collonel1୪୦ ବର୍ଷ ବୟସରେ ସାଣ୍ଡର୍ସ ଚିନ୍ତା କଲେ ଯେ ସେ ଚିକେନର ବିଭିନ୍ନ ପ୍ରକାର ରେସିପି ତିଆରି କରିବେ। ନିଜ ଚିକେନର ସ୍ୱାଦକୁ ଲୋକଙ୍କ ପାଖରେ ପହଁଚାଇବାକୁ ସାଣ୍ଡର୍ସ ରାସ୍ତା କଡରେ ମାଗଣାରେ ଲୋକଙ୍କୁ ଚିକେନ ଖୁଆଇଲେ। ଏହାପରେ ସେ ସେଠାରେ ଏକ ରେସ୍ତୋରାଁ ଖୋଲିଦେଲେ। ଆଉ ତାଙ୍କ ରେସ୍ତୋରାଁକୁ ଦିନେ ସେଠାକାର ଗର୍ଭନର ଖାଦ୍ୟ ଖାଇବାକୁ ଆସିଲେ। ତାଙ୍କୁ ସାଣ୍ଡର୍ସଙ୍କ ଚିକେନ ଏତେ ପସନ୍ଦ ଆସିଲା ଯେ ସେ ସାଣ୍ଡର୍ସଙ୍କ ରେଷ୍ଟୁରାଣ୍ଟକୁ କେଣ୍ଟକୀ କଲୋନେଲ ନାଁ ଦେଇଦେଲେ। ଏହାପରେ ତାଙ୍କ ରେଷ୍ଟୁରାଣ୍ଟ ବିଷୟରେ ଲୋକମାନେ ଅଳ୍ପ ବହୁତ ଜାଣିବାକୁ ଲାଗିଲେ, କିନ୍ତୁ ଅସଫଳତା ତାଙ୍କ ପିଛା ଛାଡୁନଥିଲା। ୪ ବର୍ଷ ପରେ ସାଣ୍ଡର୍ସଙ୍କୁ ଏହି ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପଡିଲା। ଏହାପରେ ସେ ଆଉ ଏକ ରେଷ୍ଟୁରାଣ୍ଟ ଖୋଲିବାକୁ ଚାହିଁଲେ, କିନ୍ତୁ ଏଥର ମଧ୍ୟ ବିଶ୍ୱଯୁଦ୍ଧ ଚାଲିବା କାରଣରୁ ବନ୍ଦ ହୋଇଗଲା। କିନ୍ତୁ ସେତେବେଳକୁ ସାଣ୍ଡର୍ସ ନିଜ ଚିକେନର ସ୍ୱାଦ ଲୋକଙ୍କ ପାଖରେ ପହଁଚାଇ ସାରିଥିଲେ।

ରେଷ୍ଟୁରାଣ୍ଟ ବନ୍ଦ ହୋଇଯିବା କାରଣରୁ ଲୋକମାନେ ତାଙ୍କ ଚିକେନକୁ ଖାଇପାରୁନଥିଲେ। ଏମିତିରେ ସେ ଚିନ୍ତା କଲେ ସେ ରେଷ୍ଟୁରାଣ୍ଟର ବ୍ରାଞ୍ଚ ଖୋଲି ସମସ୍ତଙ୍କୁ ନିଜ ଚିକେନର ସ୍ୱାଦ ଚଖାଇବେ। ଏଥିପାଇଁ ସେ ଗୋଟେ ଗୋଟେ ରେଷ୍ଟୁରାଣ୍ଟକୁ ଯାଇ ନିଜ ରେସିପି ଦେବେ ଏବଂ ଲାଭରେ ସେ ସେଥିରେ ପାର୍ଟନରସିପ କରିବେ। କିନ୍ତୁ ସାଣ୍ଡର୍ସଙ୍କ ଏହି ପ୍ଲାନ ବି କାମ ଦେଲାନି। ସେ ଯେଉଁ ରେଷ୍ଟୁରାଣ୍ଟକୁ ନିଜ ରେସିପି ନେଇ ଯାଉଥିଲେ, ସେଠାରୁ ତାଙ୍କୁ ରିଜେକ୍ଟ କରିଦିଆଯାଉଥିଲା। ଏହିଭଳି ଭାବେ ତାଙ୍କ ରେସିପି ପ୍ରାୟ ୧୦୦୯ ଥର ରିଜେକ୍ଟ ହୋଇଗଲା। କିନ୍ତୁ ସାଣ୍ଡର୍ସଙ୍କ ମନୋବଳ ତଥାପି ଭାଙ୍ଗିଲାନାହିଁ। ଲଗାତର ଚେଷ୍ଟା ପରେ ଚେଷ୍ଟା ଜାରି ରଖିଲେ ଏବଂ ଶେଷରେ ତାଙ୍କୁ ସଫଳତା ମିଳିଲା।

kfcକିଛି ସମୟ ମଧ୍ୟରେ ତାଙ୍କ କେଣ୍ଟକୀ ଚିକେନ ଏତେ ପପୁଲାର ହୋଇଗଲା ଯେ ଏବେ କେଏଫସି ବ୍ରାଞ୍ଚ କେବଳ ସହରରେ ନୁହେଁ ବରଂ ଦୁନିଆର ଅଲଗା ଅଲଗା ଦେଶରେ ପହଁଚିଗଲା। ୧୯୬୪ ବର୍ଷ ବେଳକୁ କେଏଫସି ୬୦୦ ବ୍ରାଞ୍ଚ ଖୋଲିଲା। ଏହାପରେ ସାଣ୍ଡର୍ସ ୧୯୬୪ରେ ନିଜ ନିବେଶକଙ୍କୁ ୨ ମିଲିୟନ ଡଲାରରେ ବିକ୍ରି କରିଦେଲେ। ଏହାପରେ ଧୀରେ ଧୀରେ ଏହାର ଲୋକପ୍ରିୟତା ବଢ଼ିବାକୁ ଲାଗିଲା ଏବଂ ୬୦୦ ବ୍ରାଞ୍ଚରୁ ୩୫୦୦ ବ୍ରାଞ୍ଚ ଖୋଲିଗଲା। ଆଉ ଧୀରେ ଧୀରେ ଏହାର ନିବେଶକ ମଧ୍ୟ ପରିବର୍ତ୍ତନ ହେଲେ କିନ୍ତୁ କେଏଫସିର ପରିଚୟ ଏବେବି ସାଣ୍ଡର୍ସଙ୍କ ଫଟୋଚିତ୍ର ଦ୍ୱାରାରୁ ହିଁ ଲୋକମାନେ ଜାଣୁଛନ୍ତି। ତାଙ୍କର ଛୋଟ ଦାଢ଼ି ଏବଂ ୱେଷ୍ଟର୍ଣ୍ଣ ଟାଏ କେଏଫସିର ପରିଚୟ ହୋଇଯାଇଛି।

ସାରାଦୁନିଆକୁ ନିଜ ଫ୍ରାଏଡ୍‌ ଚିକେନର ସ୍ୱାଦରେ ଦିଓ୍ଵାନା କରିଥିବା କର୍ଣ୍ଣଲ ସାଣ୍ଡର୍ସଙ୍କ ମୃତ୍ୟୁ ୧୯୮୦ ଡିସେମ୍ବର ୧୬ରେ ହୋଇଗଲା। କିନ୍ତୁ ଏବେବି ସେ ସାରାଦୁନିଆର ଲୋକଙ୍କ ପାଇଁ ଏକ ଉଦାହରଣ ଭାବରେ ଜୀବନ୍ତ ଅଛନ୍ତି। ତେଣୁ ଯଦି ଆପଣ ବାରମ୍ବାର ବାରମ୍ବାର ବିଫଳତା ଯୋଗୁଁ ଚିନ୍ତାରେ ଅଛନ୍ତି ତାହେଲେ ଆପଣ କଲୋନେଲ ସାଣ୍ଡର୍ସଙ୍କୁ ନିଶ୍ଚିତ ମନେ ପକାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.