ସାରା ରାତି ଫ୍ରିଜର ବକ୍ସରେ ବ୍ୟକ୍ତିଙ୍କୁ ରଖି ପୁରା ପରିବାର କରି ରହିଥିଲେ ମୃତ୍ୟୁର ଅପେକ୍ଷା, କହିଲେ ‘ଏବେଯାଏଁ ମରିନାହାନ୍ତି..’

ତାମିଲନାଡୁର ସାଲେମରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଜଣେ 74 ବର୍ଷ ବୟସ୍କ ବ୍ୟକ୍ତି ଫ୍ରିଜର ବକ୍ସ ଭିତରେ ରହି ନିଶ୍ୱାସ ପ୍ରଶ୍ୱାସ ନେବାପାଇଁ ବିକଳ ହେଉଥିବା ଦେଖିବାକୁ ମିଳିଛି । ପୋଲିସର ସୂଚନାନୁସାରେ, ଡାକ୍ତରଖାନାରେ ଥିବା ବ୍ୟକ୍ତିଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବା ପରେ ପରିବାର ଲୋକେ ତାଙ୍କୁ ଡିସଚାର୍ଜ କରି ଘରକୁ ଆଣି ଫ୍ରିଜର ବକ୍ସରେ ରଖିଥିଲେ ଏବଂ ତାଙ୍କର ମୃତ୍ୟୁ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।

ସୂଚନା ଅନୁଯାୟୀ ଉକ୍ତ ବ୍ୟକ୍ତିଜଣଙ୍କୁ ରାତିସାରା ଫ୍ରିଜର ବକ୍ସ ଭିତରେ ରଖାଯାଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ପରିବାର ଲୋକେ ସୋମବାର ଏକ ଫ୍ରିଜର ବକ୍ସ ଆଣିଥିଲେ ଏବଂ ପରଦିନ ସକାଳେ ଫେରାଇ ଦେବେ ବୋଲି କହିଥିଲେ । ତେବେ ମଙ୍ଗଳବାରଦିନ ସକାଳୁ ଜଣେ ବ୍ୟକ୍ତି ଫ୍ରିଜର ନେବାକୁ ଘରେ ପହଞ୍ଚିବା ପରେ ଦେଖିଲେ ଯେ ଏହା ଭିତରେ ଥିବା ଶରୀର କମ୍ପୁଛି। ସେ ସଙ୍ଗେ ସଙ୍ଗେ ଉକ୍ତ ବ୍ୟକ୍ତିଙ୍କୁ ବାହାରକୁ ନେଇ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛି।

ଫ୍ରିଜର ବାକ୍ସରେ ଶୋଇଥିବା ବ୍ୟକ୍ତିଙ୍କ ନାମ ବାଲା ସୁବ୍ରମଣ୍ୟମ କୁମାର । କିଛି ଦିନ ପୂର୍ବରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ତାଙ୍କ ପରିବାର ତାଙ୍କୁ ଘରକୁ ଆଣିଥିଲେ । ଘଟଣାର ଅନୁସନ୍ଧାନ କରୁଥିବା ଅଧିକାରୀ କହିଛନ୍ତି ଯେ 74 ବର୍ଷୀୟ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା । ତେବେ ତାଙ୍କ ମୃତ୍ୟୁକୁ ଅପେକ୍ଷା କରାଯାଇଥିବା ଖବର ପାଇ ତାଙ୍କ ଭାଇ ଏକ ଫ୍ରିଜର ବାକ୍ସ ମଗାଇଥିଲେ। ତାପରେ ତାଙ୍କୁ ସାରାରାତି ଏହି ଫ୍ରୀଜର ବକ୍ସ ଭିତରେ ରଖି ତାଙ୍କର ମୃତ୍ୟୁକୁ ଅପେକ୍ଷା କରି ରହିଥିଲେ ପରିବାର ଲୋକେ କିନ୍ତୁ ସୌଭାଗ୍ୟବଶତଃ ବ୍ୟକ୍ତି ଜଣକ ବଂଚି ଯାଇଥିଲେ । ତେବେ ତାଙ୍କୁ ବାହାରକୁ ଆଣିଥିବା ଅଧିକାରୀ ଜଣକ ଉକ୍ତ ଏଜେନ୍ସିର ଜଣେ କାର୍ଯ୍ୟନିର୍ବାହୀ – ଯିଏ ପରିବାରକୁ ଏହି ଫ୍ରିଜ୍ ବାକ୍ସ ଦେଇଥିଲେ । ତେବେ ପରଦିନ ସକାଳୁ ସେହି ବ୍ୟକ୍ତି ହିଁ ଜୀବିତ ଥିବାବେଳେ ତାଙ୍କୁ ପାଟି କରି ବାହାରକୁ ଟାଣି ନେଇଥିଲେ, ଯାହା ପରେ ବ୍ୟକ୍ତି ବଞ୍ଚି ଯାଇଥିଲେ ।

ମୃତଦେହ ବହନ କରିବା ପାଇଁ ମାଗଣା ଯାନ ଯୋଗାଉଥିବା ଓକିଲ ଦେଭାଲିଙ୍ଗମ୍ ମଧ୍ୟ ଘଟଣା ବିଷୟରେ ଶୁଣିବା ପରେ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲେ। ସେ କହିଛନ୍ତି ଯେ ଉକ୍ତ ଏଜେନ୍ସି କାର୍ଯ୍ୟନିର୍ବାହୀ ମୋତେ ଭୟଭୀତ ହୋଇ କହିଥିଲେ କି ‘ମୋତେ ପରିବାର ପକ୍ଷରୁ କୁହାଯାଇଥିଲା-ତାଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇନାହିଁ ଏବଂ ଆମେ ଅପେକ୍ଷା କରିଛୁ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.