ନମସ୍କାର ଭାଇୟୋଁ ଔର୍ ବେହେନୋ, ମେ ଆପକା ଦୋସ୍ତ ଅମିନ ସୟାନୀ ବୋଲ୍ ରହା ହୁଁ…
ନମସ୍କାର ଭାଇୟୋ ଓ ବେହେନୋ, ମେ ଆପକା ଦୋସ୍ତ ଅମିନ ସୟାନୀ ବୋଲ୍ ରହା ହୁଁ । ଦିନେ ଏଭଳି କିଛି କହି ରେଡିଓରେ ଏଣ୍ଟ୍ରି କରୁଥିଲେ ରେଡିଓ କିଙ୍ଗ ଅମିନ ସୟାନୀ ଆଜି ନୀରବି ଯାଇଛନ୍ତି । ରେଡିଓ ଜଗତର ଲୋକପ୍ରିୟ ଉପସ୍ଥାପକ ଭାବରେ ବେଶ୍ ଜଣାଶୁଣା ଅମିନ ସୟାନୀଙ୍କର ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ମୁମ୍ବାଇ : ନମସ୍କାର ଭାଇୟୋଁ ଔର୍ ବେହେନୋ, ମେ ଆପକା ଦୋସ୍ତ ଅମିନ ସୟାନୀ ବୋଲ୍ ରହା ହୁଁ । ଦିନେ ଏଭଳି କିଛି କହି ରେଡିଓରେ ଏଣ୍ଟ୍ରି କରୁଥିବା ରେଡିଓ କିଙ୍ଗ ଅମିନ ସୟାନୀ ଆଜି ନୀରବି ଯାଇଛନ୍ତି । ରେଡିଓ ଜଗତର ଲୋକପ୍ରିୟ ଉପସ୍ଥାପକ ଭାବରେ ବେଶ୍ ଜଣାଶୁଣା ଅମିନ ସୟାନୀଙ୍କର ୯୧ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ‘ବିନାକା ଗୀତାମାଲା’ର ଘୋଷକ ଭାବେ ଲୋକମାନଙ୍କର ଅତି ନିକଟତର ହୋଇପାରିଥିବା ଅମିନ ସୟାନୀ ଦୁନିଆକୁ ବିଦାୟ ଦେଇଛନ୍ତି ।
୩୧ ଡିସେମ୍ବର ୧୯୩୨ରେ ମୁମ୍ବାଇରେ ଜନ୍ମିତ ପ୍ରସିଦ୍ଧ ରେଡିଓ ଉପସ୍ଥାପକ ବା ଘୋଷକ ଅମିନ ସାୟାନୀଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏନେଇ ତାଙ୍କ ପୁଅ ରାଜୀଲ ସୟାନୀ ସୂଚନା ଦେଇଛନ୍ତି । ଅମିନ ସୟାନୀଙ୍କ ମୃତ୍ୟୁ ଖବର ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଥିବାବେଳେ ଅମିନ ସୟାନୀଙ୍କ ପୁଅ ରାଜୀଲ କହିଛନ୍ତି ଯେ ଗତ ମଙ୍ଗଳବାର ତାଙ୍କ ପିତା ଦକ୍ଷିଣ ମୁମ୍ବାଇସ୍ଥିତ ଘରେ ହୃଦଘାତର ଶିକାର ହୋଇଥିଲେ, ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅମିନ ସାୟାନୀ ଦୀର୍ଘ ସମୟ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଇ ଗତି କରୁଥିଲେ । ସେ ଗତ ୧୨ ବର୍ଷ ଧରି ପିଠି ଯନ୍ତ୍ରଣା ଭୋଗୁଥିଲେ ଏବଂ ସେଥିପାଇଁ ତାଙ୍କୁ ଚାଲିବା ପାଇଁ ଏକ ୱାକର୍ ର ସାହାଯ୍ୟ ନେବାକୁ ପଡୁଥିଲା । ଏପଟେ ସୂଚନା ଥାଉକି ଅମିନ ସୟାନୀଙ୍କ ନାମରେ ପାଖାପାଖି ୫୪,୦୦୦ ରୁ ଅଧିକ ରେଡିଓ କାର୍ଯ୍ୟକ୍ରମର ଆୟୋଜନ ଏବଂ ଭଏସ ଓଭର କରିବାର ରେକର୍ଡ ରହିଛି । ପ୍ରାୟ ୧୯,୦୦୦ ଜିଙ୍ଗଲ ପାଇଁ କଣ୍ଠଦାନ କରିଥିବାରୁ ଅମିନ ସୟାନୀଙ୍କ ନାମ ଲିମକା ବୁକ୍ ଅଫ ରେକର୍ଡରେ ମଧ୍ୟ ପଞ୍ଜିକୃତ ହୋଇଛି ।
୧୯୩୨ ମସିହାରେ ଜନ୍ମ ହୋଇଥିବା ଆମିନ ସାୟାନୀ ଏମିତି ଏକ ପରିବାରରୁ ଆସିଥିଲେ ଯେଉଁଠାରେ ସାହିତ୍ୟ ଏବଂ ଭାଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିଲା। ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା “ରାହବର୍” ନାମକ ଏକ ଦିନିଆ ପତ୍ରିକା ସମ୍ପାଦନାରେ ସେ ତାଙ୍କ ମା କୁଲସୁମ୍ ସାୟାନୀଙ୍କୁ ସାହାଯ୍ୟ କରିଥିଲେ । ଏହା ଏକକାଳୀନ ହିନ୍ଦୀ, ଉର୍ଦ୍ଦୁ ଏବଂ ଗୁଜରାଟୀରେ ପ୍ରକାଶିତ ହେଉଥିବାବେଳେ ତାଙ୍କ ଭାଇ ବିଶିଷ୍ଟ ଇଂରାଜୀ ପ୍ରସାରଣକାରୀ ହମିଦ ସାୟାନୀ ଥିଲେ ।
ଅମିନ୍ ସାୟାନୀ ୧୯୫୧ରେ ରେଡିଓ ସେଲନ୍ ସହିତ ତାଙ୍କର କାର୍ଯ୍ୟ ଆରମ୍ଭ କରିଥିଲେ । ରେଡିଓ ସେଲନରେ ୩୦ ମିନିଟର କାର୍ଯ୍ୟକ୍ରମ ଭାବରେ ଆରମ୍ଭ ହୋଇଥିବା ତାଙ୍କର ସୋ ବିନକା ଗୀତାମାଲା । ଯାହ ୧୯୫୦ ଦଶକରେ ଲୋକପ୍ରିୟ ହୋଇଥିଲା । ଏହା ଅନେକ ନା ପରିବର୍ତ୍ତନ କରି ଗତି କଲା କିନ୍ତୁ କେବେବି ନିଜର ମୂଳତା ହରାଇନଥିଲା- ବିନାକା ଗୀତାମାଲା, ହିଟ୍ ପ୍ୟାରେଡ୍ ଏବଂ ସିବାକା ଗୀତାମାଲା । ଯାହା ୧୯୫୨ ରୁ ୧୯୯୪ ପର୍ଯ୍ୟନ୍ତ ଚାଲିଥିଲା । ତେବେ ସୁବର୍ଣ୍ଣ ଯୁଗର ତାରକାମାନଙ୍କ ଭିତରୁ ଅନେକ ତାଙ୍କର ପ୍ରଶଂସକ ଥିଲେ ।