ତୁଷାର ମାନବ ‘ୟେତି’ : ରହସ୍ୟ ଶତାବ୍ଦୀ ଶତାବ୍ଦୀର

ତୁଷାର ମାନବ । ଏଇ ରହସ୍ୟମୟ ଜୀବର ନିର୍ଦ୍ଦିଷ୍ଟ ଅସ୍ତିତ୍ୱ ନେଇ କିଛି ସ୍ପଷ୍ଟ ଜଣାପଡି ନାହିଁ । ହେଲେ ଖ୍ରୀଷ୍ଟପୂର୍ବ ୩୨୬ ବେଳରୁ ଏହି ଜୀବ ବିଷୟରେ ଚର୍ଚ୍ଚା ଚାଲିଛି । ଯାହା ଅଜି ଯାଏ ଥମି ନାହିଁ । ଏବେ ହିମାଳୟରେ ମୁତୟନ ଥିବା ଭାରତୀୟ ସେନା ଜାରି କରିଛି ତୁଷାର ମାନବର ପାଦ ଚିହ୍ନ ଫଟୋ । ତେଣୁ ପୁଣି ଚର୍ଚ୍ଚାକୁ ଆସିଛି ଏହି ତୁଷାର ମାନବ । ଯାହାର ନାଁ ହେଉଛି ‘ୟେତି’ ।

YETI-10
କୁହାଯାଏ ଖ୍ରୀଷ୍ଟପୂର୍ବ ୩୨୬ରେ ଯେତେବେଳେ ସମ୍ରାଟ୍‌ ଆଲେକ ଜାଣ୍ଡାର ୟେତି ବିଷୟରେ ଶୁଣିଲେ ତାଙ୍କ ମନରେ ଉତ୍କଣ୍ଠା ହେଲା । ସେ ଦାବି କଲେ ତାଙ୍କୁ ୟେତି ଆଣି ଦେଖାଇବାକୁ । ହେଲେ ସେତେବେଳେ ସ୍ଥାନୀୟ ଲୋକେ ତାଙ୍କୁ ବୁଝାଇଥିଲେ ଯେ ତୁଷାର ମାନବ କମ୍‌ ଥଣ୍ଡା ପରିବେଶରେ ବଞ୍ଚି ପାରିବ ନାହିଁ ।

YETI-8

ନେପାଳର ଶେରପା ସମ୍ପ୍ରଦାୟ ଲୋକେ କୁହନ୍ତି ଯେ ଏହି ଜୀବ ଉପରେ ଯିଏ ବିଶ୍ୱାସ କରିବ ସେ ତାକୁ ହିଁ ଦେଖାଦେବ । ତେବେ ଏପର୍ଯ୍ୟନ୍ତ ୟେତିକୁ କେହି ଦେଖି ନାହାନ୍ତି । ଖାଲି ତାର ପାଦଚିହ୍ନକୁ ହିଁ ଦେଖିଛନ୍ତି । ତଥାପି ତାର ଏକ କାଳ୍ପନିକ ରୂପ ପ୍ରସ୍ତୁତ କରାଯାଇଛି ।
କାଳ୍ପନିକ ରୂପ ଅନୁସାରେ ଏହାର ଆକୃତି ମଣିଷ ଭଳି । ହେଲେ ଦେହରେ ଧଳା ଭାଲୁ ଭଳି ଲୋମ ରହିଛି । ମୁହଁର ଆକୃତି ବଣ ମଣିଷ ପରି । ପାଦ ମଣିଷ ଠାରୁ ଅନେକ ବଡ଼ ।
ଗତ ଏପ୍ରିଲ ୯ ତାରିଖରେ ମକାଲୁ ବେସ୍‌ କ୍ୟାମ୍ପ ନିକଟରେ ଭାରତୀୟ ସେନାର ଏକ ଦଳ ୟେତିର ପାଦ ଚିହ୍ନ ଠାବ କରିଛି । ଏହି ପାଦର ଆକାର ୩୨ ଇଞ୍ଚ ଲମ୍ବା ଓ ୧୫ ଇଞ୍ଚ ଚଉଡ଼ା । ଫଟୋ ଉଠାଇବା ପରେ ଭାରତୀୟ ସେନା ପକ୍ଷରୁ ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ଖାଲି ଭାରତ ନୁହେଁ, ରୁଷିଆ, ନେପାଳ, ଭୁଟାନ୍‌ ଆଦି ଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏମିତିକି ନେପାଳ ଓ ଭୁଟାନରେ ୟେତି ପର୍ଯ୍ୟଟକଙ୍କ ମୁଖ୍ୟ ଆକର୍ଷଣ ପାଲଟିଛି ଓ ଉଭୟ ଦେଶ ତାର ଫାଇଦା ଉଠାଇ ଭଲ ବ୍ୟବସାୟ ବି କରୁଛନ୍ତି । ପର୍ଯ୍ୟଟକଙ୍କୁ ଭୁତାଇବା ପାଇଁ ଏଭଳି ଚେତାବନୀ ବି ଦିଆଯାଇଛି କି ଏଠାରେ ୟେତିକୁ ମାରିବା ମନା । ମାରିଲେ କଠିନ ଦଣ୍ଡ ଭୋଗିବେ । ହେଲେ ଏଯାଏ କାହାର ନଜରକୁ ଆସି ନାହିଁ ଏହି ଅତିକାୟ ଜୀବ ।
ଏପଟେ ଭାରତୀୟ ସେନା ପକ୍ଷରୁ ସୋସିଆଲ ମିଡିଆରେ ତୁଷାର ମାନବର ଫଟୋ ଛଡ଼ାଯିବା ପରେ ଅନେକ ଏହାକୁ ବିଶ୍ୱାସ କରିବାକୁ ରାଜି ନୁହନ୍ତି । କିଛି ଲୋକ ସେନାର ଟ୍ଵିଟର ଆକାଉଣ୍ଟକୁ ହ୍ୟାକ୍‌ କରାଯାଇଛି ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ।
ତେବେ ୟେତି ଉପରେ ଗବେଷଣା କରିଥିବା ବିଶେଷଜ୍ଞଙ୍କ କହିବା କଥା ଏହି ଅତିମାନବ ଜୀବଟି ଏଭରେଷ୍ଟ ଶୃଙ୍ଗ ଅଞ୍ଚଳରେ ରହେ । ୧୪,୦୦୦ରୁ ୨୦,୦୦୦ ଫୁଟ ଉଚ୍ଚା ସ୍ଥାନ ଏବଂ ବହଳିଆ ବରଫ ପାତ ହେଉଥିବା ଜାଗା ହେଉଛି ୟେତିର ବାସସ୍ଥଳୀ । ବଡ଼ ବଡ଼ ଗଛ ଉହାଡ଼ରେ ସେ ଚଳପ୍ରଚଳ କରେ ।

TETI BONE-1ନ୍ୟୁୟର୍କର ବଫାଲୋ ବିଶ୍ୱବିଦ୍ୟାଳୟର ଜଣେ ଗବେଷକ ଚାର୍ଲୋଟି ଲିଣ୍ଡକ୍ୱିସ୍ତ ନିଜ ଟିମ୍‌ ସହ ଅନେକ ବର୍ଷ ଧରି ହିମାଳୟର ୟେତିଙ୍କ ଉପରେ ଗବେଷଣା କରିଥିଲେ । ବିଭିନ୍ନ ମ୍ୟୁଜିୟମ୍‌ ଏବଂ ସ୍ଥାନୀୟ ଲୋକଙ୍କ ଠାରୁ ସଂଗ୍ରହ କରିଥିଲେ ୟେତିର ଅସ୍ଥି, ଦାନ୍ତ, ଲୋମ ଆଦି । ତାର ଡିଏନ୍‌ଏ ପରୀକ୍ଷା କରାଇଛନ୍ତି । ହେଲେ ସେସବୁରୁ ତାଙ୍କୁ ନିର୍ଦ୍ଦିଷ୍ଟ ପ୍ରମାଣ ମିଳି ନାହିଁ । ତଥାପି ଚାଲିଛି ଗବେଷଣା ।
କିଛି ଲୋକ ଏମାନଙ୍କୁ ହିମାଳୟର ଆଦିମ ଅଧିବାସୀ ବୋଲି ମନେ କରନ୍ତି । ହେଲେ ଏବେବି ଏଇ ତୁଷାର ମାନବର ଅସ୍ତିତ୍ୱ କେବଳ ପାଦ ଚିହ୍ନ ଭିତରେ ରହି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.