ହନୁମାନ ଚାଳିସାରେ ଗୋସ୍ବାମୀ ତୁଳସୀ ଦାସ ଉଲ୍ଲେଖ କରିଛନ୍ତି ‘ଚାରୋ ଯୁଗ ପରତାପ ତୁମହାରା, ହେ ପରସିଦ୍ଧି ଜଗତ ଉଜିଆରା’। ହନୁମାନ ଏପରି ଦେବତା ଯିଏ ପ୍ରତ୍ୟେକ ଯୁଗରେ କୌଣସି ନା କୌଣସି ରୂପରେ ସଂସାରରେ ଶକ୍ତି ଏବଂ ଗୁଣ ସହିତ ସଂଙ୍କଟମୋଚନ ରୂପେ ରହିଥାନ୍ତି, ଯାହା ତୁଳସୀ ଦାସଙ୍କର ଏହି ଉକ୍ତିରେ ଦର୍ଶାଇଥାଏ। ପୌରାଣିକ ତଥ୍ୟ ଅନୁଯାୟୀ ଗନ୍ଧମାର୍ଦନ ପର୍ବତରେ ହନୁମାନ ବାସ କରୁଥିଲେ। ଏହା ବ୍ୟତୀତ କଳିଯୁଗରେ ଯେଉଁ ସ୍ଥାନରେ ଭଗବାନ ରାମଙ୍କୁ ସ୍ମରଣ କରାଯାଉଥିଲା ସେହି ସ୍ଥାନରେ ହନୁମାନ ମଧ୍ୟ ଉପସ୍ଥିତ ରହୁଥିଲେ।
ଜାଣନ୍ତୁ ଭଗବାନ ହନୁମାନଙ୍କ ନିବାସ ସ୍ଥାନର ମହିମା ସମ୍ପର୍କରେ:
ଅନେକ ପୌରାଣିକ ହିନ୍ଦୁ ଧର୍ମ ଗ୍ରନ୍ଥରେ ଗନ୍ଧମାର୍ଦନ ପର୍ବତର ଉଲ୍ଲେଖ କରାଯାଇଛି। ମହାଭାରତରେ ମଧ୍ୟ ଏହି ପର୍ବତର ଚର୍ଚ୍ଚା ହୋଇଥିଲା। ହିନ୍ଦୁ ଧର୍ମ ଅନୁଯାୟୀ ଏଠାର ବିଶାଳକାୟ ପର୍ବତ ଉପରେ ଏବଂ ବନରେ ଦେବତାମାନେ ବାସ କରିଛନ୍ତି। ପର୍ବତ ମଧ୍ୟରେ ଶ୍ରେଷ୍ଠ ଏହି ପର୍ବତ ଉପରେ ମଧ୍ୟ କାଶ୍ୟପ ଋଷି ତପସ୍ୟା କରିଥିଲେ। ଏହି ପର୍ବତ ଉପରକୁ କୌଣସି ବାହନ ସାହାଯ୍ୟରେ ଯାଇ ହୋଇନଥାଏ। ଏଠାରେ ଋଷି, ସିଦ୍ଧଚାରଣ, ବିଦ୍ୟାଧର, ଦେବତା, ଗନ୍ଧର୍ବ, ଅପ୍ସରା ଏବଂ କିନ୍ନରମାନେ ବାସ କରିଥାନ୍ତି। ସେହିପରି ଅନ୍ୟ ଏକ ପର୍ବତ ରାମେଶ୍ବରମ ନିକଟରେ ଅବସ୍ଥିତ, ଯେଉଁଠାରୁ ହନୁମାନ ଡେଇଁ ସମୁଦ୍ର ପାର ହୋଇଥିଲେ। ଏହି ପର୍ବତ କୁବେରଙ୍କ ରାଜକ୍ଷେତ୍ରରେ ଅବସ୍ଥିତ। ସେହିପରି ସୁମେରୁ ପର୍ବତ ଦିଗରେ ଅବସ୍ଥିତ ଗଜଦନ୍ତ ପର୍ବତ ମଧ୍ୟରେ ଏକ ପର୍ବତକୁ ସେହି ଯୁଗରେ ଗନ୍ଧମାର୍ଦନ ପର୍ବତ କୁହାଯାଉଥିଲା।
କଳିଯୁଗରେ ଭଗବାନ ହନୁମାନ ଗନ୍ଧମାର୍ଦନ ପର୍ବତରେ ବାସ କରୁଥିବାର ଶ୍ରୀମଦଭାଗବତରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖ ଅନୁଯାୟୀ ଅଜ୍ଞାତବାସ ସମୟରେ ପାଣ୍ଡବମାନେ ହିମବନ୍ତ ପାର କରି ଗନ୍ଧମାର୍ଦନ ପର୍ବତରେ ପହଞ୍ଚିଥିଲେ। ସେହି ସମୟରେ ଭୀମ ପଦ୍ମ ଫୁଲ ତୋଳିବା ପାଇଁ ଗନ୍ଧମାର୍ଦନ ପର୍ବତର ବନରେ ପହଞ୍ଚିଥିଲେ, ଯେଉଁଠାରେ ସେ ହନୁମାନଙ୍କୁ ଶୋଇଥିବାର ଦେଖିଥିଲେ। ଏହି ସମୟରେ ଭଗବାନ ହନୁମାନ ଭୀମଙ୍କର ଗର୍ବ ଭଙ୍ଗ କରିଥିଲେ।