ଛାଡ଼ିନି ଫ୍ୟାନ୍ସଙ୍କ ଫିଫା ବିଶ୍ୱକପ୍‌ ନିଶା : ଆର୍ଜେଣ୍ଟିନା-ଫ୍ରାନ୍ସ ଜର୍ସି ପିନ୍ଧି ବିବାହ କଲେ ନବଦମ୍ପତି

ଫିଫା ବିଶ୍ୱକପ୍‌ର ହ୍ୟାଙ୍ଗଓଭର ଏବେ ବି ଲୋକଙ୍କ ମଧ୍ୟରେ ଚାଲିଛି। ସାରା ବିଶ୍ବରେ ଅନେକ ଫୁଟବଲ କ୍ରୀଡା ପ୍ରେମୀ ଅଛନ୍ତି। ଯେଉଁମାନେ ସେମାନଙ୍କର ପ୍ରିୟ ଖେଳାଳିଙ୍କ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି। ରୋମାଞ୍ଚକର ଫାଇନାଲ ମୁକାବିଲାରେ ଫ୍ରାନ୍ସକୁ ହରାଇ ଚମ୍ପିଅନ ହୋଇଛି ଆର୍ଜେଣ୍ଟିନା । ଏନେଇ ସବୁଠି ସେଲିବ୍ରେସନ ଚାଲିଛି। ବର୍ତ୍ତମାନ ଜଣେ ଫୁଟବଲ ଫ୍ୟାନ୍ସଙ୍କର ଫଟୋ ସୋସିଆଲ ମିଡିଆରେ ଆତଙ୍କ ସୃଷ୍ଟି କରୁଛି। କେରଳର ଜଣେ ଦମ୍ପତି ଏହି ସେଲିବ୍ରେସନକୁ ଅନନ୍ୟ ରୂପରେ ପାଳିଛନ୍ତି। ଆର୍ଜେଣ୍ଟିନା ଓ ଫ୍ରାନ୍ସ ଜର୍ସି ପିନ୍ଧି ବିବାହ କରିଛନ୍ତି ଦମ୍ପତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ରବିବାର ଅର୍ଥାତ ୧୮ ଡିସେମ୍ବରରେ ଫିଫା ବିଶ୍ବକପ ଫାଇନାଲ ମ୍ୟାଚ ଥିଲା । କୁହାଯାଉଛି ଯେ କେରଳର ସଚିନ୍ ଆର ଏବଂ ଆର ଆଥିରା ଚାହୁଁ ନଥିଲେ ଯେ ସେମାନଙ୍କ ବିବାହ ଦିନ ଫୁଟବଲ ପ୍ରତି ଥିବା ଭଲ ପାଇବା ଅନ୍ତରାୟ ସାଜୁ । ବିବାହରେ ଦୁହେଁ ତାଙ୍କ ପ୍ରିୟ ଦଳକୁ ସମର୍ଥନ କରିବାରେ କୌଣସି ପ୍ରକାର ସାଲିସ କରିନଥିଲେ । ଏହି କାରଣରୁ ବିବାହ ଦିନ ଦୁହେଁ ନିଜ ପସନ୍ଦର ଦଳର ଜର୍ସି ପିନ୍ଧିଥିଲେ। ରବିବାର କତାର ଲୁସେଲ ଷ୍ଟାଡିୟମରେ ଫାଇନାଲ ମୁକାବିଲା ଚାଲିଥିବା ବେଳେ କୋଚିରେ ଏହି ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ପାରମ୍ପରିକ ବିବାହ ପୋଷାକ, ଅଳଙ୍କାର ପିନ୍ଧିବା ସହ ଉଭୟ ପରସ୍ପର ପ୍ରିୟ ଦଳର ଜର୍ସି ପିନ୍ଧିଥିଲେ । ଆଥିରା କିନିଆନ ଏନବାପ୍ପେଙ୍କ ଜର୍ସି ପିନ୍ଧିଥିବାବେଳେ ସଚିନ ଲିଓନେଲ ମେସିଙ୍କ ଜର୍ସି ପିନ୍ଧିଥିଲେ । ଏଥି ସହିତ, ବିବାହ ରୀତିନୀତି ପରେ ତୁରନ୍ତ ବର ଏବଂ କନ୍ୟା ମ୍ୟାଚ୍ ଦେଖିବା ପାଇଁ ଘରକୁ ଚାଲିଯାଇଥିଲେ।

 

 

ରିପୋର୍ଟ ଅନୁସାରେ ରବିବାର ରାତିରେ ଶେଷ ହୋଇଥିବା ରୋମାଞ୍ଚକର ଫାଇନାଲ୍‌ରେ ଆର୍ଜେଣ୍ଟିନା ସୁଟ୍‌ଆଉଟ୍‌ରେ ଫ୍ରାନ୍ସକୁ ହରାଇଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ ୨-୨ରେ ରହିଥିଲା। ପରେ ଅତିରିକ୍ତ ସମୟରେ ଗୋଟିଏ ଲେଖାଏଁ ଗୋଲ୍‌ ହେବାରୁ ଖେଳ ୩-୩ରେ ବରାବର ସ୍ଥିତିକୁ ଆସିଥିଲା। ଫ୍ରାନ୍ସ ପାଇଁ ସବୁଗୋଲ୍‌ ଏମ୍‌ବାପେ ସ୍କୋର କରିଥିଲେ। ପେନାଲ୍ଚି ସୁଟଆଉଟରେ ୪-୨ ଗୋଲରେ ଫ୍ରାନ୍ସକୁ ହରାଇ ବିଜୟ ମୁକୁଟ ପିନ୍ଧିଥିଲା ମେସିଙ୍କ ଆର୍ଜେଣ୍ଟିନା । ଦୀର୍ଘ ୩୬ ବର୍ଷ ପରେ ଦଳର ସ୍ବପ୍ନ ପୂରଣ ହୋଇଛି । ତେବେ ସଚିନଙ୍କ ଦଳ ବିଜେତା ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.