ନାମ ସଂକୀର୍ତ୍ତନରେ ଚଳଚଞ୍ଚଳ କୋରାପୁଟ ଜିଲ୍ଲା ଝଡିଗୁଡା ଗ୍ରାମ, ମାଟି ମା’ର ସନ୍ତୁଷ୍ଟି ପାଇଁ କୁମ୍ଭାର ପରିବାର ପାଳନ କରୁଛନ୍ତି କୁରାଳ ପୂଜା

କୋରାପୁଟ (କେନ୍ୟୁଜ): ଯୁଗ ବଦଳିଛି ହେଲେ ବଦିଳି ନାହିଁ ପରମ୍ପରା। କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏବେ ମଧ୍ୟ ବଞ୍ଚିଛି ରହିଛି ବିଶ୍ଵାସ ଓ ଆସ୍ଥା। କୁମ୍ଭାର ସମ୍ପ୍ରଦାୟଙ୍କ ପକ୍ଷରୁ ମାଟି ପ୍ରତିଷ୍ଠା ପାଇଁ ପାଳନ କରୁଛନ୍ତି କୁରାଳ ପୂଜା । ତିନିଦିନ ଧରି ଏହି ପୂଜା ପାଳନ କରାଯାଉ ଥିବାବେଳେ କୁମ୍ଭାର ଶାଳ ସମେତ ଶାଳରେ ବ୍ୟବହୃତ ହେଉଥିବା ସମସ୍ତ ସରଞ୍ଜାମକୁ ମଧ୍ୟ ପୂଜା କରିଥାନ୍ତି । ତେବେ ଆଜି ଆସନ୍ତୁ ଜାଣିବା କଣ ରହିଛି ଏହି ପୂଜାର ବିଶେଷତ୍ତ୍ୱ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବସୁମାତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ବ୍ରହ୍ମା, ବିଷ୍ଣ ଓ ମହେଶ୍ବରଙ୍କ ଠାରେ ପୂଜା କରନ୍ତି। ଏହି ପୂଜା କରିବା ଦ୍ବାରା କୁମ୍ଭାର ପରିବାରର ସଦସ୍ୟ ମାନେ ନିରୋଗ ରହିବା ସହ ବର୍ଷ ତମାମ ଭଲ ବ୍ୟବସାୟ ହୋଇଥାଏ ଓ ସୁଖ ଶାନ୍ତି ମିଳିଥାଏ ବୋଲି ବିଶ୍ବାସ ରହିଛି। ଏଣୁ ବହୁ କାଳ ଧରି କୁରାଳ ପୂଜା କରିଆସୁଛନ୍ତି ଏଠାରେ ରହୁଥିବା କୁମ୍ଭାର ପରିବାର। ଏବେବି ପରମ୍ପରା ଅନୁଯାୟୀ ପ୍ରକୃତିକୁ ପୂଜା କରୁଛନ୍ତି ଏହି ପରିବାର ।

ଏଭଳି ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ରହିଛି ଗଭୀର ଆସ୍ଥା ଓ ବିଶ୍ବାସ । ଆଜି ଆମେ ଆପଣଙ୍କୁ କହୁଛୁ କୋରାପୁଟ ଜିଲ୍ଲାର ଝଡିଗୁଡା ଗ୍ରାମ କଥା । ଏହି ଗ୍ରାମରେ ରହୁଛନ୍ତି ୪୫ ଟି କୁମ୍ଭାର ପରିବାର । ଏମାନଙ୍କ ମୁଖ୍ୟ ବୃତ୍ତି ମାଟିରୁ ବିଭିନ୍ନ ପ୍ରକାର ଉପକରଣ ପ୍ରସ୍ତୁତ କରିବା ଓ ପ୍ରସ୍ତୁତ ସରଞ୍ଜାମକୁ ବଜାରରେ ବିକ୍ରୟ କରି ନିଜର ପରିବାରର ପୋଷଣ କରିଥାନ୍ତି ।ଏହି ଉପକରଣରେ ରହିଥାଏ ଭଲି କି ଭଳିର ଘରୋଇ ଉପକରଣ । ଏହାକୁ ତିଆରି କରି ବଜାରରେ ବିକ୍ରୟ କରଥାନ୍ତି । କୁମ୍ଭାର ଶାଳ ପାଲଟିଛି କୁମ୍ଭକାର ପରିବାରଙ୍କ ଜୀବନ ଜୀବିକାର ମୁଖ୍ୟ ଉତ୍ସ।ବର୍ଷ ତମାମ ନିଜର ଗୁଜରାଣ ଏହିଥିରୁ ହିଁ ମେଣ୍ଟାଇ ଥାନ୍ତି। ବର୍ଷ ତମାମ ଭଲରେ ରହିବା ସକାଶେ କୁମ୍ଭକାର ସମ୍ପ୍ରଦାୟ ଏହି ପୂଜା କରିଆସୁଛନ୍ତି।

ତେବେ ମାର୍ଗଶିର ମାସ ଶୁକ୍ଳ ପଞ୍ଚମୀ ଅମାବାସ୍ୟା ତିଥିରେ ଏହି ପୂଜା ଆରମ୍ଭ କରାଯାଏ। ପୂଜାର ପ୍ରଥମ ଦିନରେ କଳଶ ପୁଜା କରନ୍ତି । ହରି ନାମ ସଂକୀର୍ତ୍ତନ କରି ତିନିଦିନ ଧରି ଏହି ପୂଜା କରଥାନ୍ତି। ସନ୍ଧ୍ୟା ସମୟରେ ଗ୍ରାମବାସୀ ଏକତ୍ରୀତ ହୋଇ କୁରାଳ ପୂରାଣ ଶ୍ରବଣ କରନ୍ତି। ଏହି ପୂଜାରେ ଠାକୁର ମାନଙ୍କ ଠାରେ ଲାଗିହୋଇଥିବା ଭୋଗକୁ କେବଳ କୁମ୍ଭାର ସମ୍ପ୍ରଦାୟର ଲୋକେ ହିଁ ସେବନ କରନ୍ତି। ତିନିଦିନ ପରେ ବିସର୍ଜନ କରି ଗ୍ରାମର ବାସ କରୁଥୁବା ସମସ୍ତ ଲୋକ ଏକତ୍ରିତ ହୋଇ ଭୋଜିରେ ସାମିଲ ହୁଅନ୍ତି । ଏଥିରେ କୁମ୍ଭାର ମାନଙ୍କ ଆଦ୍ୟ ପୁରୁଷ ରୁଦ୍ରପାଳଙ୍କୁ ପୂଜାର୍ଚ୍ଚନା କରାଯାଏ ।

ଏହାସହ ବ୍ରହ୍ମା, ବିଷ୍ଣ, ମହେଶ୍ବର, ଗଣେଶ,କାର୍ତିକଙ୍କ ମୃଣ୍ମୟ ମୂର୍ତ୍ତିଙ୍କୁ ଗୋଟାଏ ସ୍ଥାନରେ ସ୍ଥାପନ କରି ପୂଜା କରନ୍ତି । ପୁଜା ସମୟରେ କୁମ୍ଭକାରମାନେ କୁମ୍ଭାର ଚକା ସହ ସମସ୍ତ ସରଞ୍ଜାମକୁ ସଫା ସୁତୁରା କରି ଫଳ ପୁଷ୍ପ ଦେଇ ପୁଜା କରନ୍ତି। ଏହି ପୂଜା ପାଳନ ପରେ ହିଁ ମାଟି ପାତ୍ର ନିର୍ମାଣ କାମ ଆରମ୍ଭ କରିଥାନ୍ତି। ପୂର୍ବ ପରମ୍ପରା ଆନୁସାରେ ଗୋଟାଏ ଗ୍ରାମରେ କ୍ରମାଗତ ଭାବରେ ୩ବର୍ଷ ହେଲା ପୂଜା କରାଯାଉଛି । ଏହି ପୂଜା କରିବା ଦ୍ବାରା କୁମ୍ଭକାର ମାନଙ୍କ ସ୍ବାସ୍ଥ୍ୟ ସୁସ୍ଥ ରହିବା ସହ ବର୍ଷ ବ୍ୟାପି ହସ ଖୁସିରେ ରହିଥାନ୍ତି । ୩ଦିନ ବ୍ୟାପି ମହା ଆଡ଼ମ୍ବରରେ ଆନନ୍ଦ ଉଲ୍ଲାସରେ ପୂଜା କରିଥାନ୍ତି ଝଡିଗୁଡା ଗ୍ରାମର କୁମ୍ଭାର ପରିବାର । ତେବେ କୌଳିକ ବୃତ୍ତିକୁ ବଞ୍ଚାଇ ରଖି ଜିବନ ଜୀବିକା ସମୃଦ୍ଧି କରିବା ପାଇଁ କୁମ୍ଭକାର ସମ୍ପ୍ରଦାୟର କୁରାଳ ପୁଜା ପାଳନ ବାସ୍ତବରେ ଖୁବ ପ୍ରଶଂସନୀୟ।

କୋରାପୁଟରୁ ଭିଡିଓ ଗ୍ରାଫର ଜ୍ୟୋତିଙ୍କ ସହ କୀର୍ତିଚନ୍ଦ୍ର ସାହୁଙ୍କ ରିପୋର୍ଟ (କେନ୍ୟୁଜ ଓଡିଶା )

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.