ଏହି ବିଶେଷ ପ୍ରକାରର ମୁଦି ଆପଣଙ୍କୁ ମଶାଠାରୁ ରକ୍ଷା କରିବ, ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି ଜର୍ମାନ ବୈଜ୍ଞାନିକ

ମଶା ମାନଙ୍କୁ ମାରିବା ପାଇଁ ଆପଣ ଅନେକ ଉପାୟ କରୁଥିବେ। କିଛି ଲୋକ ମଶାରୀ ବ୍ୟବହାର କରନ୍ତି ତ ଆଉ କିଛି ଲୋକ ମଶାବତି। କିନ୍ତୁ ବର୍ତ୍ତମାନ ଏହି ମଶା ଠାରୁ ରକ୍ଷା ପାଇବା ପାଇଁ ଆସିଛି ଏକ ମୁଦି। ଏହା ଶୁଣି ହୁଏତ ଅପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସତ।

ଜର୍ମାନୀର ବୈଜ୍ଞାନିକମାନେ ଏକ ନୂତନ 3D- ରିଙ୍ଗ ବା ମୁଦି ତିଆରି କରିଛନ୍ତି ଯାହାକି ମଶା ଏବଂ ଛୋଟ କୀଟପତଙ୍ଗକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶରୀରଠାରୁ ଦୂରରେ ରଖେ। ଏହି ରିଙ୍ଗର ପ୍ରୋଟୋଟାଇପ୍ ତିଆରି କରିବାକୁ IR-3535 ବ୍ୟବହୃତ ହୋଇଛି। ଏହି 3D ମୁଦି ଦୀର୍ଘ ଦିନ ଧରି ମଶା ଏବଂ ଅନ୍ୟ କୀଟପତଙ୍ଗକୁ ମଣିଷ ଠାରୁ ଦୂରେଇ ରଖିବ। ଜର୍ମାନୀର ମାର୍ଟିନ୍ ଲୁଥର୍ ୟୁନିଭରସିଟି ହାଲ୍-ୱିଟେନବର୍ଗ (MLU) ର ଅନୁସନ୍ଧାନକାରୀମାନେ ଏକ ସାଧାରଣ କୀଟ ପ୍ରତିରୋଧକ “IR 3535” ବ୍ୟବହାର କରି ସେମାନଙ୍କର ପ୍ରୋଟୋଟାଇପ୍ ପ୍ରସ୍ତୁତ କରିଛନ୍ତି।
MLU ପ୍ରଫେସର ରେନେ ଆଣ୍ଡ୍ରୋଚେ କହିଛନ୍ତି ଯେ ଆଇଆର 3535 ଧାରଣ କରିଥିବା ମଶା ସ୍ପ୍ରେ ଚର୍ମ ଉପରେ ଅତ୍ୟନ୍ତ କୋମଳ ଭାବେ ରହିଥାଏ ଏବଂ ଅନେକ ବର୍ଷ ଧରି ସାରା ବିଶ୍ୱରେ ବ୍ୟବହୃତ ହୋଇ ଆସୁଛି, ତେଣୁ ଆମେ ଏହାକୁ ଆମର ପରୀକ୍ଷଣ ପାଇଁ ବ୍ୟବହାର କରୁଛୁ।

ସେ ସ୍ପଷ୍ଟ କରିଛନ୍ତି ଯେ ଏହାକୁ ସାଧାରଣତ ଏକ ସ୍ପ୍ରେ କିମ୍ବା ଲୋସନ ଆକାରରେ ପ୍ରୟୋଗ କରାଯାଏ ଏବଂ ଏହା ଅନେକ ଘଣ୍ଟା ସୁରକ୍ଷା ଯୋଗାଇଥାଏ। ସେଥିପାଇଁ ଏହାକୁ ବ୍ୟବହାର କରି ବର୍ତ୍ତମାନ ଏକ 3D ପ୍ରିଣ୍ଟେଡ ରିଙ୍ଗ ତିଆରି କରାଯାଇଛି।

କିପରି ତିଆରି କରାଗଲା ମୁଦି ?

ଇଣ୍ଟରନ୍ୟାସନାଲ ସଜର୍ଣ୍ଣାଲ ଅଫ୍ ଫାର୍ମାସ୍ୟୁଟିକାଲ୍ସରେ ପ୍ରକାଶିତ ଅନୁସନ୍ଧାନ ଅନୁଯାୟୀ, ବୈଜ୍ଞାନିକ ଦଳ ଏକ ସ୍ୱତନ୍ତ୍ର 3D- ପ୍ରିଣ୍ଟିଂଙ୍ଗ କୌଶଳ ବ୍ୟବହାର କରି ଏକ ବାୟୋଡିଗ୍ରେଡେବୁଲ୍ ପଲିମରରେ କୀଟନାଶକ ପ୍ରତିରୋଧ ଏବଂ ଇଞ୍ଜେକ୍ସନ ଦେବାପରେ ଓ ବିଭିନ୍ନ ଉପାୟରେ ପଦାର୍ଥର ମିଶ୍ରଣ ସୃଷ୍ଟି କରି ଏହି ମୁଦି ତିଆରି କରାଯାଇଛି।

ଏମଏଲୟୁ ଡକ୍ଟରେଟ ପ୍ରାର୍ଥୀ ଫେନଫାନ ଡୁ କହିଛନ୍ତି ଯେ ଏହି ମୁଦିରୁ ବାହାରୁଥିବା ବାଷ୍ପ ମଶା ଓ ଅନ୍ୟ କୌଣସି କିଟକୁ ମଣିଷ ପାଖକୁ ଆସିବାକୁ ଦିଏନି। ତେବେ ଏହି ମୁଦିକୁ ନେଇ ଆହୁରି ମଧ୍ୟ ଅଧିକ ଅନୁସନ୍ଧାନ ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି।

ବିଭିନ୍ନ ପରୀକ୍ଷଣ ଏବଂ ଅନୁକରଣ କରିବା ପରେ, ଦଳ ଆକଳନ କରିଛି ଯେ ମଶା ବିରୋଧୀ ତରଳ ପଦାର୍ଥ 37 ° C ଶରୀରର ତାପମାତ୍ରାରେ ବିସ୍ତାର ହେବାକୁ ଏକ ସପ୍ତାହରୁ ଅଧିକ ସମୟ ଲାଗିବ। ଏଥିରେ ବ୍ୟବହୃତ ବସ୍ତୁଗୁଡ଼ିକର ବିକଳ୍ପଗୁଡ଼ିକ ମଧ୍ୟ ଅନୁସନ୍ଧାନ କରାଯାଇପାରିବ।

ତଥାପି, ମୁଦିଗୁଡିକ ପ୍ରକୃତ ଅବସ୍ଥାରେ କେତେ ଭଲ କାମ କରେ ତାହା ନିର୍ଣ୍ଣୟ କରିବା ପାଇଁ ଅଧିକ ଅଧ୍ୟୟନ ଆବଶ୍ୟକ ବୋଲି ଗବେଷକମାନେ କହିଛନ୍ତି। ତେବେ ଏହି ମୁଦି ମାର୍କେଟକୁ ଆସିବା ପରେ ହୁଏତ ଏହା ବହୁତ୍ ସାହାଯ୍ୟକାରୀ ହେବ। କିନ୍ତୁ ଏହାର ମୂଲ୍ୟ ବିଷୟରେ କିଛି ଜଣା ପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.