ଇଣ୍ଟରନେଟରୁ ଶିଖି ପଦ୍ମନାଡରୁ ମାସ୍କ ପ୍ରସ୍ତୁତ କରୁଛନ୍ତି ବିଜୟଶାନ୍ତି, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କରିସାରିଛନ୍ତି ପ୍ରଶଂସା

କରୋନା ମହାମାରୀ ଯୋଗୁଁ ବିଶ୍ୱର ସମସ୍ତ ଦେଶ ପ୍ରଭାବିତ। ଏହି ଘାତକ ଭାଇରସ ସଂକ୍ରମଣରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକ ଘରେ ରହୁଛନ୍ତି ଏବଂ ମାସ୍କ ବ୍ୟବହାର କରୁଛନ୍ତି। ଯଦି ଲୋକ କୌଣସି ଜରୁରୀ କାମ ପାଇଁ ଘରୁ ବାହାରୁଛନ୍ତି, ତେବେ ସୋସିଆଲ ଡିଷ୍ଟାସିଂ ପାଳନ କରିବା ସହିତ ଫେସମାସ୍କ ଏବଂ ଫେସ ସିଲ୍ଡ ବ୍ୟବହାର କରୁଛନ୍ତି। ଏହା ମଧ୍ୟରେ ମଣିପୁର ଜଣେ ଝିଅ ପଦ୍ମର ନାଡରୁ ମାସ୍କ ବନାଇ ଏବେ ଚର୍ଚ୍ଚାରେ ରହିଛନ୍ତି।
ସୂଚନାଯୋଗ୍ୟ, ମଣିପୁରର ବିସେନପୁର ଜିଲ୍ଲାରେ ରହୁଥିବା ୨୭ ବର୍ଷୀୟ ଟୋଙ୍ଗବ୍ରମ ବିଜୟଶାନ୍ତି ପଦ୍ମ ନାଡରୁ ସୂତା ଏବଂ କପଡା ପ୍ରସ୍ତୁତ କରୁଛନ୍ତି। ତାଙ୍କ ସହିତ ଏହି କାମରେ ୧୫ ଜଣ ମହିଳା କାମ କରନ୍ତି। ଏହାସହିତ ୨୦ ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ବିଜୟଶାନ୍ତି ମଣିପୁରର ପ୍ରସିଦ୍ଧ ଲୋକତକ ହ୍ରଦ ପାଖରେ ଥଙ୍ଗା ଟାଙ୍ଗେବ୍ରମ ଅଞ୍ଚଳରେ ରହୁଛନ୍ତି।
ଏହି ହ୍ରଦରେ ପ୍ରଚୁରମାତ୍ରାରେ ପଦ୍ମଫୁଲ ଫୁଟେ। ୨୦୧୮-୧୯ରେ ବିଜୟଶାନ୍ତି ପଦ୍ମ ନାଡରୁ ସୂତା ଏବଂ କପଡା ପ୍ରସ୍ତୁତ କରିବାର କାମ ଆରମ୍ଭ କରିଥିଲେ। ତା’ ପରେ ତାଙ୍କ ପ୍ରଡକ୍ଟକୁ ଗୁଜରାଟର ପ୍ରୟୋଗଶାଳାକୁ ପଠା ଯାଇଥିଲା। ଯାହା ପରେ ତାଙ୍କ କାର୍ଯ୍ୟକୁ ସ୍ୱୀକୃତି ମିଳିଥିଲା। ବନସ୍ପତି ବିଜ୍ଞାନରେ ସ୍ନାତକ କରିଥିବା ଶାନ୍ତି ଇଣ୍ଟରନେଟରୁ ଏହା ବିଷୟରେ ଶିକ୍ଷା ଲାଭ କରି କାମ ଆରମ୍ଭ କରିଥିଲେ।
ପଦ୍ମ ନାଡରୁ ପ୍ରସ୍ତୁତ କପଡା ବିଦେଶରେ ବହୁତ ପ୍ରଚଳିତ। ପ୍ରଧାନମନ୍ତ୍ରୀ ମୋଦି ନିଜର ରେଡିଓ କାର୍ଯ୍ୟକ୍ରମରେ ମଧ୍ୟ ବିଜୟଶାନ୍ତିଙ୍କ ଏଭଳି କାମକୁ ପ୍ରଶଂସା କରିଛନ୍ତି । ମଣିପୁରର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ ଟ୍ଵିଟ୍ କରି ବିଜୟଶାନ୍ତିଙ୍କ ଏଭଳି କାମକୁ ବହୁତ ପ୍ରଶଂସା କରିଛନ୍ତି।