ମନ୍ଦିର ଖୋଲିବା ଓ ସେବାୟତଙ୍କୁ ଆର୍ଥିକ ସହାୟତା ମାମଲାରେ ୮ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ: ହାଇକୋର୍ଟ

କଟକ: ରାଜ୍ୟରେ ମନ୍ଦିର ଖୋଲିବା ଓ ସେବାୟତଙ୍କୁ ଆର୍ଥିକ ସହାୟତା ଦାବିରେ ୮ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇ କୋର୍ଟ । ରାଜ୍ୟ ସରକାର ଓ ଦେବୋତ୍ତର କମିଶନ ମିଳିତ ଭାବରେ ୮ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର ହାଇକୋର୍ଟ । ଓଡ଼ିଶା ସେବାୟତ ମହାସଂଘ ପକ୍ଷରୁ ଘନଶ୍ୟାମ ପଣ୍ଡା ଓ ନୟାଗଡ଼ର ଶିବଶକ୍ତି ପୂଜକ ସମାଜ ପକ୍ଷରୁ ଆଗତ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶନାମା ଦେଇଛନ୍ତି । ଭାରତୀୟ ସମ୍ବିଧାନ ଧାରା-୨୭ ଅନୁଯାୟୀ ରାଜ୍ୟ ସରକାର ସେବାୟତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିପାରିବେ ନାହିଁ ବୋଲି ଅଦାଲତରେ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ।

ବର୍ତ୍ତମାନ ସମୟରେ ରାଜ୍ୟରେ ୧୪ହଜାର ମନ୍ଦିର ଦେବୋତ୍ତର କମିଶନଙ୍କ ଅଧୀନରେ ପଞ୍ଜୀକୃତ ରହିଥିବାବେଳେ ସମସ୍ତ ମନ୍ଦିରର ସେବାୟତଙ୍କୁ ସହାୟତା ଯୋଗାଇ ଦେବାକୁ ଏହି ଆବେଦନ ପତ୍ରରେ ଦର୍ଶାଯାଇଛି । ଆବେଦନକାରୀଙ୍କ ଅଭିଯୋଗ ଶୁଣି ରାଜ୍ୟ ସରକାର ଓ ଦେବୋତ୍ତର କମିଶନର ୮ସପ୍ତାହ ମଧ୍ୟରେ ମନ୍ଦିର ଖୋଲିବା, ସେବାୟତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ସେମାନଙ୍କୁ ଆବଶ୍ୟକ ପରିମାଣରେ ରାସନ ସାମଗ୍ରୀ ଯୋଗାଇ ଦେବା କିମ୍ବା ସେମାନଙ୍କ ପାଇଁ ଅନ୍ୟ କୌଣସି ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।