ଧୀରେ ଧୀରେ ଓଳାଶୁଣୀ ମୁହାଁ ହେଉଛନ୍ତି ପର୍ଯ୍ୟଟକ, ମନମୋହୁଛି ପୋଡ ପିଠାକୁ ଶୁଖୁଆ ଭୋଗ

ମାହାଙ୍ଗା(କେନ୍ୟୁଜ୍): କଟକ ,କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ସଙ୍ଗମ ସ୍ଥଳୀ ସନ୍ଥ ଅରକ୍ଷିତ ଦାସଙ୍କ ପୀଠ ଓଳାଶୁଣୀରେ ଏବେ ପର୍ଯ୍ଯଟନ ଋତୁରେ ପର୍ଯ୍ଯଟକଙ୍କ ଭିଡ଼ ଲାଗୁଛି । ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ଯଟକମାନେ ଏହି ଓଳାଶୁଣୀ ପୀଠକୁ ବୁଲିବା ପାଇଁ ଆସିଥାନ୍ତି । ଏଠାରେ ଭୋଜିଭାତ ସହିତ ଓଳାଶୁଣିର ପ୍ରାକୃତିକ ସୌନ୍ଦର୍ଯ୍ଯକୁ ବେଶ ମନଭରି ଉପଭୋଗ କରିଥାନ୍ତି ପର୍ଯ୍ୟଟକ।
ନଭେମ୍ବର ମାସ ଠାରୁ ଆରମ୍ଭ କରି ମାର୍ଚ୍ଚ ମାସ ପର୍ଯ୍ଯନ୍ତ ଏଠାକୁ ପର୍ଯ୍ଯଟକମାନେ ହଜାର ହଜାର ସଂଖ୍ଯାରେ ଆସିଥାନ୍ତି । ମାତ୍ର ଚଳିତ ବର୍ଷ କୋଭିଡ୍ କଟକଣା ପାଇଁ କାଁ ଭାଁ ପର୍ଯ୍ଯଟକ ଏହି ପୀଠକୁ ଆସୁଛନ୍ତି । ବିଶେଷ କରି କଟକ ,କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, କେନ୍ଦୁଝର, ଜଗସିଂହ ପୁର, ବାଲେଶ୍ୱର, ମୟରଭଞ୍ଜ, ଢେଙ୍କାନାଳ ଆଦି ଜିଲ୍ଲାର ପର୍ଯ୍ଯଟକମାନେ ପ୍ରତିବର୍ଷ ଏହି ଓଳାଶୁଣୀ ପୀଠକୁ ଆସନ୍ତି । ଏଠାରେ ଓଳାଶୁଣି ପୀଠ କମିଟି ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ଯବସ୍ଥା କରାଯାଇଛି।
ସନ୍ଥ ଅରକ୍ଷିତ ଦାସ ଙ୍କ ନିକଟରେ ପୋଡପିଠା ଏବଂ ଶୁଖୁଆ ଭୋଗର ସ୍ୱତନ୍ତ୍ରତା ରହିଛି। ପର୍ଯ୍ୟଟକମାନେ ଏଠାକୁ ଆସି ସନ୍ଥଙ୍କ ନିକଟରେ ପୋଡପିଠା ଏବଂ ଶୁଖୁଆ ଭୋଗ କରିଥାନ୍ତି। ଏହାପରେ ନିକଟରେ ଥିବା ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଓ ରତ୍ନଗିରିକୁ ଯାଇ ଭଗବାନ ବୁଦ୍ଧ ଦେବଙ୍କ ଦର୍ଶନ କରିଥାନ୍ତି। ୫ ନମ୍ବର କ ଜାତୀୟ ରାଜପଥ ରୁ ମାତ୍ର ଡାହାଣ ପାର୍ଶ୍ୱର ୩ କିଲୋମିଟର ଦୂରରେ ଓଳାଶୁଣି ଓ ପ୍ରାଚୀନ ବୌଦ୍ଧ ବିହାର ଲଳିତଗିରି ଥିବାରୁ ପ୍ରତିବର୍ଷ ଏଠାରେ ଓଡ଼ିଶାର କୋଣ ଅନୁକୋଣରୁ ପର୍ଯ୍ଯଟକଙ୍କ ଭିଡ ଜମିଥାଏ।