ଗଞ୍ଜାମର ଦଣ୍ଡନାଚ ପରମ୍ପରା, ଅନେକ ସ୍ୱାତନ୍ତ୍ର୍ୟ ରହିଛି ଏହି ଐତିହାସିକ ଯାତ୍ରାର

ବ୍ରହ୍ମପୁର (କେ ନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲାର ଐତିହାସିକ ଓ ଆଧ୍ୟାତ୍ମିକ ଲୋକ ନୃତ୍ୟ କହିଲେ ଦଣ୍ଡନାଚକୁ ବୁଝାଇଥାଏ। ପ୍ରତି ବର୍ଷ ବିଷୁବ ସଂକ୍ରାନ୍ତିର ୨୧, ୧୮ କିମ୍ବା ୧୩ ଦିନ ପୂର୍ବରୁ ମାନସିକଧାରୀ ଦଣ୍ଡୁଆମାନେ ପାଟଭୁକ୍ତାଙ୍କ ନେତୃତ୍ୱରେ ଦଳ ଦଳ ହୋଇ ବାହାରିଥାନ୍ତି ଏହି ନାଚରେ। ଗେରୁଆ ବସ୍ତ୍ର ପରିଧାନ କରି ହାତରେ ମୟୁର ପିଛ ଓ ପତାକା ଧରି ଗୋଟାଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଘୂରି ବୁଲିଥାନ୍ତି। ନିଜ ନିଜ ଅଂଚଳର କାଳୀ ମନ୍ଦିରରୁ ପୂଜାର୍ଚ୍ଚନା କରି ପାଟଭୁକ୍ତାଙ୍କ ନେତୃତ୍ୱରେ ବାହାରି ଥାନ୍ତି ମାନସିକଧାରୀ। ପୂଜାରେ ଶିବ ଓ କାଳୀଙ୍କୁ ଏକାଠି ପୂଜା କରାଯାଇଥାଏ।

DANDA-1

ପ୍ରତିଦିନ ପୂର୍ବାହ୍ନରେ ମାନସିକଧାରୀଙ୍କ ଘର ଆଗରେ କଳସ ପାଣି ଢଳା ଯାଇ ପୂଜାର୍ଚ୍ଚନା କରାଯାଇ ଦଣ୍ଡନାଚର ପ୍ରକ୍ରିୟା ଆରମ୍ଭ ହୋଇଥାଏ। ମା’ଙ୍କ ପ୍ରିୟ ଢୋଲ, ମହୁରୀ ଓ ଗିନିର ବାଜଣା ଭିତରେ ହାଇଥାଏ ପୂଜାର୍ଚ୍ଚନା। ମନ୍ଦିରରୁ ବାହାରିବା ବେଳେ ପାଳରେ ନିର୍ମିତ ଦଉଡ଼ିରେ ଦୀପରୁ ନିଆଁ ଲଗାଇ ଦଣ୍ଡୁଆ ଦଳ ବାହାରିଥାନ୍ତି। ଦିନ ତମାମ୍‌ ମା’ଙ୍କ ପୂଜାର୍ଚ୍ଚନା ସହ ରାତିରେ ଚୁଲି ଲଗାଇବାଠାରୁ ଦୀପ ଜଳାଇବା ପଯ୍ୟର୍ନ୍ତ ସବୁକିଛିରେ ବ୍ୟବହାର ହୋଇଥାଏ ସେହି ଅଗ୍ନି। ଏହି ସମୟରେ ଘର ସହ କେହି ବି ସମ୍ପର୍କ ରଖିନଥାନ୍ତି । ସଂକ୍ରାନ୍ତିରେ ଯାତ୍ରା ଉଦଯାପିତ ହେବା ପରେ ତା ପରଦିନ ଘରକୁ ଫେରିଥାନ୍ତି ଦଣ୍ଡୁଆ। ପାଟଭୁକ୍ତାଠାରୁ ଆରମ୍ଭ କରି ବୀଣାକାର ଓ ଢୋଲ ବାଦକ ଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି।

DANDA-2

ମାନସିକଧାରୀଙ୍କ ଘର ଆଗରେ ପୂଜାର୍ଚ୍ଚନା ପରେ ଘର ଦାଣ୍ଡରେ ଧୂ ଧୂ ଖରାରେ ଦଣ୍ଡୁଆମାନେ ଧୂଳି ଦଣ୍ଡ ଖେଳିଥାନ୍ତି। ଗଞ୍ଜାମ ଏକ କୃଷି ପ୍ରବଣ ଜିଲ୍ଲା ହୋଇଥିବାରୁ ଅନେକ ଚାଷୀ ଧାନ କଟା ପରେ ଗ୍ରୀଷ୍ମ ଋତୁରେ ନିଜ ନିଜର ମାନସିକ ଅନୁଯାୟୀ ଏହି ଯାତ୍ରାରେ ସାମିଲ୍‌ ହୋଇଥାନ୍ତି। ଗୋଟାଏ ପଟେ ଦଣ୍ଡୁଆମାନେ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ଖେଳିଥାନ୍ତି। ଅନ୍ୟପଟେ କିଛି ମାନସିକଧାରୀ କିପରି ଚାଷ କରାଯାଏ କିପରି ବିହନ ରୋପଣ କରାଯାଏ ତାହାର ଦୃଶ୍ୟ ସଂଗୀତ ଓ ଅଭିନୟ ମାଧ୍ୟମରେ ପରିବେଷଣ କରିଥାନ୍ତି। ଅନ୍ୟପଟେ ମାଁଙ୍କ ଅପାର କରୁଣା ଯୋଗୁଁ ଧୂ ଧୂ ଖରାରେ ମଧ୍ୟ ଦଣ୍ଡୁଆ ଓ କଳାକାରମାନେ ଶରୀରରେ କଷ୍ଟ ଅନୁଭବ କରିନଥାନ୍ତି। ଏଥିରେ ସାମିଲ୍‌ ହୋଇ ସେମାନଙ୍କ ମାନସିକ ପୂର୍ଣ୍ଣ ହେଉଥିବା କହିଛନ୍ତି ଦଣ୍ଡୁଆ।

DANDA-4

ଗଞ୍ଜାମ ଜିଲ୍ଲାରେ ବହୁ ପୁରାତନ ଏହି ଦଣ୍ଡନାଚର ପରମ୍ପରା। ମୁନୀ ଋଷିଙ୍କ ହଟଯୋଗ ପରମ୍ପରାରୁ ସୃଷ୍ଟ ଏହି ଦଣ୍ଡଯାତ୍ରା। ଶରୀରକୁ ପୀଡ଼ା ଦେଇ ମାନସିକଧାରୀମାନେ ମୁନୀ ଋଷି ରୂପେ ଜୀବନ ଧାରଣ କରିଥାନ୍ତି ଏହି ସମୟରେ। ଦିନ ତମାମ୍‌ ଦଣ୍ଡୁଆମାନେ ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ପରି ବିଭିନ୍ନ ପ୍ରକ୍ରିୟା କରିଥାନ୍ତି। ରାତିରେ ସେମାନଙ୍କର ମନୋରଞ୍ଜନ ପାଇଁ ସାଂସ୍କୃତିକ କାଯ୍ୟର୍କ୍ରମର ଆୟୋଜନ ହୋଇଥାଏ। ପରମ୍ପରା ଅନୁଯାୟୀ ରାତିରେ ପାଟଭୁକ୍ତା ପରଭା ଧରି କାଳିସୀ ନୃତ୍ୟ କରିବା ପରେ ମଂଚ ଉପରେ ଚଢ଼େଇ ଚଢ଼େୟା ନୃତ୍ୟ, ଗଣେଶ ନୃତ୍ୟ ଏବଂ ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନୃତ୍ୟ ସଂଗୀତ ଆଦି କାଯ୍ୟର୍କ୍ରମ ପରିବେଷଣ ହୋଇଥାଏ। ପରେ କଳାକାରମାନେ ପୌରାଣିକ ନାଟକ ପରିବେଷଣ କରିଥାନ୍ତି। ଦୀର୍ଘ ବର୍ଷ ହେଲା ପୌରାଣିକ ନାଟକର ସ୍ଥାନ ନେଇଛି ସାମାଜିକ ନାଟକ ଓ ଅପେରା। ତେବେ ଚଳିତ ବର୍ଷ କୋଭିଡ୍‌ ବିପଦ ଯୋଗୁଁ ଅପେରା ଓ ସାମାଜିକ ନାଟକକୁ ବାରଣ କରିଛି ଜିଲ୍ଲା ପ୍ରଶାସନ। ପୂର୍ବ ପରି ଚଢ଼େଇ ଚଢ଼େୟା ନୃତ୍ୟ ଓ ପୌରାଣିକ କଥାବସ୍ତୁକୁ ନେଇ ନାଚ ଗୀତରେ ସମାପ୍ତ ହେଉଛି ସାଂସ୍କୃତିକ କାଯ୍ୟର୍କ୍ରମ। ଗତ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ଦଣ୍ଡନାଚ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଚଳିତ ବର୍ଷ ଦଣ୍ଡନାଚକୁ ଅନୁମତି ଦିଆଯାଇଥିଲେ ବି ସାମାଜିକ ନାଟକ ଓ ଅପେରା କରିବା ପାଇଁ ଅନୁମତି ମିଳି ନଥିବାରୁ କଳାକାରମାନେ ମନ ଊଣା କରିଛନ୍ତି। ଅନ୍ୟପଟେ ପୌରାଣିକ କଥାବସ୍ତୁକୁ ନେଇ ନାଟକ କରୁଥିବାରୁ ଆଉ କିଛି କଳାକାର ଖୁସି ବ୍ୟକ୍ତ କରିଛନ୍ତି।

DANDA-3

କଥାରେ ଅଛି ବିଶ୍ୱାସ ହିଁ ସବୁକିଛି। ଦିଅଁଙ୍କୁ ଯେମିତି ପୂଜିବା ସେମିତି ଫଳ ବି ପାଇବା। ଏମିତି ବିଶ୍ୱାସକୁ ନେଇ ବାର ମାସରେ ତେର ପୂଜା ହୋଇଥାଏ। ଆଉ ଦଣ୍ଡ ଯାତ୍ରା ସେସବୁ ଭିତରେ ଅନ୍ୟତମ। ଗତ ବର୍ଷ କୋଭିଡ୍‌ କଟକଣା ଯୋଗୁଁ ଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଚଳିତ ବର୍ଷ ଯାତ୍ରା ପାଇଁ ଅନୁମତି ମିଳିଥିବାରୁ ଭକ୍ତ, ଶ୍ରଦ୍ଧାଳୁ ଓ ମାନସିକଧାରୀ ବେଶ ଖୁସି ଅଛନ୍ତି। ଦଣ୍ଡୁଆମାନେ ଯେପରି ନିଷ୍ଠାର ସହ ଏହାକୁ ପାଳନ କରିଥାନ୍ତି ଠିକ୍‌ ସେହିପରି ମାନସିକଧାରୀ ପରିବାରର ସଦସ୍ୟମାନେ ନିଷ୍ଠାର ସହ ଉପବାସ ରହି ଏହି ବ୍ରତକୁ ପାଳନ କରନ୍ତି। ସେପଟେ ନିଜ ଗ୍ରାମ କିମ୍ବା ସହରରେ ହେଉଥିବା ଦଣ୍ଡଯାତ୍ରା ଦେଖିବା ପାଇଁ ଓ ଠାକୁରଙ୍କ ଆଶୀର୍ବାଦ ପାଇବାକୁ ବାହାର ଜିଲ୍ଲା ଓ ରାଜ୍ୟରେ ରହୁଥିବା ଲୋକମାନେ ଏହି ସମୟରେ ନିଜ ନିଜ ଘରକୁ ଫେରିଥାନ୍ତି।
ଦଣ୍ଡନାଚ ପରମ୍ପରା ଓ ସଂସ୍କୃତି ଅନ୍ୟ ପରମ୍ପରା ଠାରୁ ଅନେକ ଭିନ୍ନ ହୋଇଥିବାରୁ ଏହାର ସ୍ୱାତନ୍ତ୍ର୍ୟ ରହିଛି ।

ବ୍ରହ୍ମପୁରରୁ ପ୍ରକାଶ ପଟ୍ଟନାୟକ, କେ ନ୍ୟୁଜ୍‌ ଓଡ଼ିଶା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.