ଆଶ୍ଚର୍ଯ୍ୟ, ଆଳୁ ଗଛରେ ଫଳୁଛି ଟମାଟୋ

କଥାରେ ଅଛି ଯେଉଁ ଗଛ ଲଗେଇବ ସେ ଫଳ ଖାଇବ । କିନ୍ତୁ ଏଠି କଥା ଅଲଗା । ଆଳୁ ଗଛରେ ଫଳିଛି ଟମାଟୋ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। ଆପଣ ଭାବୁଥିବେ ଏମିତି କେମିତି ହୋଇପାରିବ, ଆଳୁ ଗଛରେ କଣ ଟମାଟୋ ଫଳିପାରିବ। ଆଳୁ ତ ମାଟି ତଳେ ହୁଏ ଆଉ ଟମାଟୋ ମାଟି ଉପରେ। ଏପରି କଣ ସତରେ ହୋଇପାରିବ। ହଁ ଏହା ସତରେ ଘଟିଛି। ଆଉ ଏହାକୁ ଦେଖିବା ପାଇଁ ଆଖପାଖ ଗାଁରୁ ଲାଗୁଛି ଲୋକଙ୍କ ଭିଡ। ପାରାଦୀପ ନିକଟସ୍ଥ କୁଜଙ୍ଗ ବ୍ଲକ ଅନ୍ତର୍ଗତ ବଗଦିଆ ଗ୍ରାମର ଶଙ୍କର ସ୍ୱାଇଁଙ୍କ ବାଡିରେ ଦେଖିବାକୁ ମିଳିଛି ଏଭଳି ବିରଳ ଦୃଶ୍ୟ।

aluଗତ କିଛି ଦିନ ତଳେ କୁଜଙ୍ଗ ହାଟରୁ ଶଙ୍କରଙ୍କ ପୁଅ ଘର ପାଇଁ ୫ କିଲୋ ଆଳୁ କିଣି ଆଣିଥିଲେ । ସେଥିରୁ କେତୋଟି ଆଳୁ ଗଜା ହୋଇଯାଇଥିଲା । ଯାହାପରେ ଏ ଗଜା ଆଳୁକୁ ସବୁ ନେଇ ବାଡିରେ ପୋତି ଦେଇଥିଲେ ଶଙ୍କର । କିଛି ଦିନ ପରେ ଦୁଇଟି ଆଳୁ ଗଛରେ ଫୁଲ ହେବା ସହିତ ଫଳ ଫଳିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଗଛରୁ ଆଳୁ ବଦଳରେ ଟମାଟୋ ପେନ୍ଥା ଦେଖାଯାଇଥିଲା । ଯାହାକୁ ଦେଖିବା ପରେ ଶଙ୍କର ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ଆଳୁ ଗଛ ମୂଳ ଖୋଳିଲା ବେଳକୁ ମୂଳରେ ଆଳୁ ତ ଦେଖାଯାଉଛି କିନ୍ତୁ ଗଛ ଡାଳରେ ଫଳିଛି ଅବିକଳ ଟମାଟୋ ସଦୃଶ ଫଳ । ତେବେ ଏହି ଘଟଣା ଚାରିଆଡେ ଖେଳିଗଲା ଯାହାପରେ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ ଶଙ୍କରଙ୍କ ବାଡିକୁ ଛୁଟୁଛି ଲୋକଙ୍କ ସୁଅ ।

alu1ପ୍ରଥମେ ଶଙ୍କରଙ୍କ ନାତି ଏହି ଫଳ ଫଳିଥିବା ଦେଖି ତା ବାପାଙ୍କ ମୋବାଇଲରେ ବିଭିନ୍ନ ଲୋକଙ୍କୁ ଫଟୋ ଉଠାଇ ପଠାଇଥିଲେ । ପ୍ରଥମେ ତ ଏହାକୁ କେହି ବିଶ୍ୱାସ କରିନଥିଲେ । ଏହାପରେ ଶଙ୍କରଙ୍କ ଘରକୁ ଆସି ବାଡିରେ ଲାଗିଥିବା ଆଳୁ ଗଛରେ ଟମାଟୋ ଫଳୁଥିବା ଦେଖି ଲୋକେ ଚକିତ ହୋଇଯାଉଛନ୍ତି । ଏମିତିକି ଲୋକ କହୁଛନ୍ତି ଏଭଳି ଘଟଣା କେବେ ଆମେ ଶୁଣି ନଥିଲୁ କି ଦେଖିନଥିଲୁ । ସତରେ ଆଳୁ ଗଛରେ ଟମାଟୋ ଫଳିବା ନିହାତି ଏକ ଅଲୌକିକ ଓ ବିରଳ ଘଟଣା । ଏହା କୌଣସି ବିଜ୍ଞାନ ସମ୍ମତ ହୋଇଥାଉ କିମ୍ବା ପ୍ରକୃତିର ଭିନ୍ନତା, ଯାହାବି ହେଉ ଏହା ଏବେ ଲୋକମାନଙ୍କୁ ଏକ ଭିନ୍ନ ଖୋରାକ ଯୋଗାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.