ବାତ୍ୟା ବେଳେ ବନ୍ଦରଗୁଡ଼ିକୁ କାହିଁକି ବିଭିନ୍ନ ପ୍ରକାର ସିଗନାଲ ଦିଆଯାଏ ଜାଣନ୍ତୁ

ଏବେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ‘ୟଶ୍‌’ ବାତ୍ୟାକୁ ନେଇ ଗଣମାଧ୍ୟମ ସବୁ ଖାଲି ଖବର ଅଜାଡ଼ି ଦେଉଛନ୍ତି । ଏହି ବାତ୍ୟା ଭୀଷଣ ରୂପ ନେଇ ପାରେ ବୋଲି ଆକଳନ କରାଯାଇଛି । ତେବେ ଏଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ରହି ସମସ୍ତ ପ୍ରାକ୍‌ ପ୍ରସ୍ତୁତି କରିଛନ୍ତି । ଆଗୁଆ ପଦକ୍ଷେପ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ କରାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ବିଭିନ୍ନ ବନ୍ଦରରେ ୧ ନମ୍ବର ସିଗନାଲ ଦିଆଯାଇଛି ।
ତେବେ ଏହି ସିଗନାଲ ବି ବିପଦ ସଂକେତ ସବୁ କଣ ? କାହିଁକି ବନ୍ଦରଗୁଡ଼ିକରେ ଏଭଳି ସିଗନାଲ ଦିଆଯାଏ ଆସନ୍ତୁ ଜାଣିବା । ସମସ୍ତେ ଜାଣନ୍ତି ଯେ ବନ୍ଦରଗୁଡ଼ିକ ସମୁଦ୍ରକୂଳରେ ହିଁ ରହିଛି । କୌଣସି ଝଡ଼ ବାତ୍ୟା ହେଲେ ଅବା ଖରାପ ପାଗ ଯୋଗୁଁ ଏସବୁ କ୍ଷତିଗ୍ରସ୍ତ ହେବାର ଅଧିକ ସମ୍ଭାବନା ରହିଥାଏ । ଜାହାଜଗୁଡ଼ିକ ମଧ୍ୟ ପ୍ରଭାବିତ ହୁଅନ୍ତି । ତେଣୁ ବାତ୍ୟାର ପ୍ରଚଣ୍ଡତାକୁ ଦୃଷ୍ଟିରେ ରଖି ବନ୍ଦରଗୁଡ଼ିକୁ ସେହି ଅନୁପାତରେ ସତର୍କତା ପାଇଁ ସିଗନାଲ ଦିଆଯାଏ ।

ସିଗନାଲ-୧ : ଏହାର ଅର୍ଥ ହେଉଛି ଏହି ବାତ୍ୟା ବେଳେ ଘଣ୍ଟାକୁ ପ୍ରାୟ ୬୦ କିମି ବେଗରେ ପବନ ବହିବ । ଏଥିରେ ବନ୍ଦରଗୁଡ଼ିକର କିଛି କ୍ଷତି ହେବ ନାହିଁ । ତେବେ ତଥାପି ସଜାଗ ରହିବାକୁ ପଡ଼ିବ ।

ସିଗନାଲ-୨ : ସମୁଦ୍ର ଭିତରେ ଅତି ଦୂରରେ ଯଦି ଘୂର୍ଣ୍ଣିବଳୟ ସୃଷ୍ଟି ହୁଏ ଏବଂ ବାତ୍ୟାର ବେଗ ଯଦି ଘଣ୍ଟା ପ୍ରତି ୬୦ରୁ ୯୦ କିଲୋମିଟର ରହିଥାଏ ତେବେ ବିପଦ ଅଛି । ତେଣୁ ବନ୍ଦର ଛାଡୁଥିବା ଜାହାଜଗୁଡ଼ିକୁ ୨ ନମ୍ବର ସଂକେତ ଦେଇ ସତର୍କ କରାଯାଏ ।

ସିଗନାଲ-୩ : ଲଘୁଚାପ ଯୋଗୁଁ ଯଦି କୁଆପଥର ଆଦି ବୃଷ୍ଟି ହେବାର ସମ୍ଭବାନା ଅଛି ଏବଂ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବାର ଆଶଙ୍କା ଅଛି ତେବେ ବିପଦ ଅଛି । ଏ ସ୍ଥିତିରେ ବନ୍ଦରକୁ ସତର୍କ ରହିବା ପାଇଁ ୩ ନମ୍ବର ବିପଦ ସଂକେତ ବା ସିଗନାଲ ଦିଆଯାଏ ।

ସିଗନାଲ-୪ : ସମୁଦ୍ରରେ ଯଦି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ଥାଏ ତେବେ ୪ ନମ୍ବର ସିଗନାଲ ଦିଆଯାଏ । ଯାହାଫଳରେ ବନ୍ଦରରେ ଥିବା ଜାହାଜଗୁଡ଼ିକ ଉପରେ ବିପଦ ରହିଛି ବୋଲି ସୂଚନା ଦିଆଯାଏ ।
ସିଗନାଲ-୫, ୬ ଓ ୭ : ବନ୍ଦରରେ ୫, ୬ ଓ ୭ ନମ୍ବର ସିଗନାଲ ସତର୍କ କରି ଦିଏ ଯେ ସାମୁଦ୍ରିକ ଝଡ଼ ବଡ଼ ଆକାରରେ ପ୍ରଭାବ ପକାଇ ପାରେ । ଏହା ବନ୍ଦର ଦେଇ ଗତି କରିବାର ଆଶଙ୍କା ରହିଛି ।

ସିଗନାଲ-୮, ୯ ଓ ୧୦ : ଏହି ତିନିଟି ସିଗନାଲ ସୂଚାଇ ଦିଏ ଯେ ବାତ୍ୟା ଅତି ଭୀଷଣ ରୂପ ନେଉଛି । ତେଣୁ ଅତ୍ୟନ୍ତ ସଜାଗ ରହିବାକୁ ହେବ । ୮ ନମ୍ବର ସଂକେତରେ ବାତ୍ୟାର ବେଗ ୯୦ରୁ ୧୨୦ ଏବଂ ୧୦ ନମ୍ବରରେ ଏହା ୨୨୦ କିମିରୁ ଊର୍ଦ୍ଧ୍ୱ ହୋଇ ପାରେ।

ସିଗନାଲ-୧୧ : ଏଗାର ନମ୍ବର ସଂକେତର ଅର୍ଥ ହେଉଛି ଶେଷ କ୍ଷଣ । ଅର୍ଥାତ୍‌ ସବୁ ଯୋଗାଯୋଗ ଠପ୍‌।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.