ଗଣପତିଙ୍କ ବାହନ କେମିତି ହେଲା ମୂଷା, ଜାଣନ୍ତୁ କ’ଣ ରହିଛି କିମ୍ବଦନ୍ତୀ

ସମସ୍ତେ ଜାଣନ୍ତି ଯେ ଭଗବାନ ଗଣେଶଙ୍କ ବାହନ ମୂଷା। ହେଲେ ମୂଷା କେମିତି ଗଣେଶଙ୍କ ବାହନ ହେଲେ ସେ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଗଣେଶ ଓ ମୂଷାର ସମ୍ପର୍କ ନେଇ ବିଭିନ୍ନ ପ୍ରକାର କାହାଣୀ ରହିଛି। ସେହି ମଧ୍ୟରୁ ଆଜି ଆମେ ଆପଣଙ୍କୁ ଦୁଇଟି କାହାଣୀ କହିବୁ ଯେଉଁଥିରୁ ଆପଣ ଜାଣି ପାରିବେ ଯେ ମୂଷା କେମିତି ଗଣେଶଙ୍କ ବାହନ ହେଲା।

ପୌରାଣିକ କଥା ଅନୁଯାୟୀ ଗଜାମୁଖାସୁର ନାମକ ଦାନବ ନିଜ ବାହୁ ବଳରେ ଦେବତାମାନଙ୍କୁ ଖୁବ୍ ହଇରାଣ କରୁଥିଲା । ଏନେଇ ସମସ୍ତ ଦେବତାଗଣ ଏକତ୍ରିତ ହୋଇ ଗଣେଶଙ୍କ ପାଖରେ ପହଞ୍ଚିଥିଲେ । ଏହାଦେଖି ପ୍ରଭୁ ଗଣେଶ ଗଜାମୁଖାସୁର କବଳରୁ ମୁକ୍ତି ଦେବା ପାଇଁ ଦେବତାଗଣଙ୍କୁ କଥା ଦେଇଥିଲେ । ଏହାପରେ ଗଣେଶ ଏବଂ ଗଜାମୁଖାସୁର ଦାନବଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା । ଯୁଦ୍ଧରେ ଗଣେଶଙ୍କର ଏକ ଦାନ୍ତ ଭାଙ୍ଗିଯାଇଥିଲା । ଏହାଦେଖି ଶ୍ରୀଗଣେଶ କ୍ରୋଧିତ ହୋଇ ଭାଙ୍ଗିଯାଇଥିବା ଦାନ୍ତରେ ଗଜାମୁଖାସୁର ଉପରକୁ ଏପରି ଆକ୍ରମଣ କରିଥିଲେ ଯେ, ଦାନବ ଗଜାମୁଖାସୁର ଡରିଯାଇ ମୂଷା ରୂପ ଧାରଣ କରି ପଳାୟନ କରିଥିଲେ । କିନ୍ତୁ ପ୍ରଭୁ ଗଣେଶ ଧରି ଦେଇଥିଲେ । ଏହାପରେ ମୃତ୍ୟୁ ଭୟରେ ଦାନବ ଗଜାମୁଖାସୁର କ୍ଷମା ମାଗିବା ପରେ ଶ୍ରୀଗଣେଶ ମୂଷା ରୂପରେ ଦାନବ ଗଜାମୁଖାସୁରକୁ ନିଜ ବାହନ କରିଥିଲେ ।

ଅନ୍ୟ ଏକ ପ୍ରଚଳିତ କଥା ଅନୁଯାୟୀ ରାଜା ଇନ୍ଦ୍ରଙ୍କ ଦରବାରରେ କ୍ରୋଞ୍ଚ ନାମକ ଜଣେ ଗନ୍ଧର୍ବ ଥିଲେ । ଥରେ ରାଜା ଇନ୍ଦ୍ର ଏକ ଗମ୍ଭୀର ବିଷୟରେ ଆଲୋଚନା କରୁଥିବା ବେଳେ କ୍ରୋଞ୍ଚ ଙ୍କର ସେଥିପ୍ରତି ଧ୍ୟାନ ନଥିଲା । ସେ ଅପ୍ସରାମାନଙ୍କସହ ବ୍ୟସ୍ତ ଥିଲେ । ଏହା ଦେଖି ଇନ୍ଦ୍ର ରାଗିଯାଇ ତାଙ୍କୁ ମୂଷା ହେବାର ଅଭିଶାପ ଦେଇଥିଲେ । ଏହାପରେ କ୍ରୋଞ୍ଚ ଏକ ବଳବାନ ମୂଷା ରୂପ ଧାରଣ କରି ପରାଶର ଋଷିଙ୍କ ଆଶ୍ରମକୁ ଆସିଥଲେ । ସେଠାରେ ସେ ଭୟଙ୍କର ଉତ୍ପାତ କରିବା ସହ ଆଶ୍ରମର ସମସ୍ତ ପାତ୍ର ଭାଙ୍ଗି ଅନ୍ନ ସମାପ୍ତ କରିଦେଇଥିଲେ । ଏହାଦେଖି ପରାଶର ଋଷି ଅତ୍ୟନ୍ତ ଦୁଃଖୀ ହେବା ସହ ପ୍ରଭୁ ଗଣେଶଙ୍କ ନିକଟକୁ ଯାଇଥିଲେ ।

ଏହାଶୁଣି ପ୍ରଭୁ ଗଣେଶ ମୂଷାକୁ ନିଜ ବାହାନ କରିବା ପାଇଁ ପରାଶର ଋଷିଙ୍କୁ କଥା ଦେଇଥିଲେ । ପରେ ଗଣେଶ ମୂଷାକୁ ଧରିବା ପାଇଁ ଏକ ଫାଶ ପକାଇଥିଲେ । ଏହି ଫାଶରେ ମୂଷାଟି ଧରା ପଡିବା ପରେ ଚେତା ହରାଇ ଦେଇଥିଲା । ଚେତା ଫେରିବା ପରେ ମୂଷାଟି ପ୍ରଭୁ ଗଣେଶଙ୍କ ପୂଜା ଆରମ୍ଭ କରିବା ସହ ଜୀବନ ରକ୍ଷା କରିବା ପାଇଁ ଭିକ୍ଷା ମାଗିଥିଲା । ମୂଷକର ସ୍ତୁତିରେ ପ୍ରଭୁ ଗଜାନନ ପ୍ରସନ୍ନ ହୋଇ ବର ମାଗିବା ପାଇଁ କହିଥିଲେ । କିନ୍ତୁ ଏହାଶୁଣି ଅହଂକାରୀ ମୂଷକ, ମତେ ଆପଣଙ୍କ ଠାରୁ କିଛି ବର ମାଗିବାର ନାହିଁ ବୋଲି କହିଥିଲା, ଆପଣ ଚାହିଁଲେ ମୋ ଠାରୁ ବର ମାଗିପାରିବେ । ଏହାଶୁଣି ଗଣେଶ କହିଥିଲେ, ଯଦି ତୁମ ବଚନ ସତ୍ୟ ହୋଇଥାଏ ତେବେ ତୁମେ ମୋର ବାହନ ହୋଇଯାଅ । ଏହାଶୁଣି ମୂଷକ ତଥାସ୍ତୁ କହିବା ମାତ୍ରେ ହିଁ ପ୍ରଭୁ ଗଣେଶ ମୂଷକ ଉପରେ ବିରାଜମାନ କରିଥିଲେ । ଏହିଭଳି ଭାବେ ପ୍ରଭୁ ଗଣେଶ ମୂଷାର ଗର୍ବ ଭାଙ୍ଗି ନିଜର ବାହନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.