Below header

ଭାରତରୁ ଏତେ ସଂଖ୍ୟକ ଛାତ୍ର ଛାତ୍ରୀ କାହିଁକି ୟୁକ୍ରେନ୍‌ରେ ମେଡିକାଲ ପଢୁଛନ୍ତି ?

ମା’ର କାନ୍ଦ ଓ ବାପାର କୋହ ଶୁଣିଲେ ଆପଣଙ୍କ ହୃଦୟ ବି ତରଳି ଯିବ । କାହିଁକି ନା ଏମାନଙ୍କର ପୁଅ ଝିଅ ଡାକ୍ତରୀ ପଢ଼ିବାକୁ ଯାଇ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍‌ରେ ଫସି ଯାଇଥିଲେ । ଅନେକ ଆଶା ଓ ଆଶଙ୍କା ଭିତରେ ଥିଲେ ପରିବାର ଲୋକେ । ରୁଷ୍‌ ଆକ୍ରମଣରେ ୟୁକ୍ରେନ୍‌ର ସହର ପରେ ସହର ଧ୍ୱସ୍ତ ହୋଇ ଯାଉଥିବା ବେଳେ ସେମାନଙ୍କ ପିଲାର ସୁରକ୍ଷା ନେଇ ଖାଇବା ପିଇବା ଛାଡ଼ି ଦେଇଥିଲେ ପରିବାର ଲୋକେ । ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିବା ପରେ ଏହି ଆଶଙ୍କା ବଢ଼ି ଯାଇଥିଲା ।… ତେବେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗ ଏବଂ ତତ୍ପରତା ଯୋଗୁଁ ସେଠାରେ ଫସି ରହିଥିବା ଭାରତୀୟମାନେ ଦେଶକୁ ଫେରିଛନ୍ତି । ତାଙ୍କ ପରିବାର ମୁହଁରେ ହସ ଫୁଟିଛି । … ତେବେ ଦେଖା ଯାଇଛି ଯେ ୟୁକ୍ରେନ୍‌ରୁ ଫେରିଥିବା ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ହେଉଛନ୍ତି ଡାକ୍ତରୀ ଛାତ୍ର । ଏମାନେ ଡାକ୍ତର ହେବାର ସ୍ୱପ୍ନ ନେଇ ସେଠାକୁ ପଢ଼ିବାକୁ ଯାଇଥିଲେ । ହେଲେ ଏଇ ଯୁଦ୍ଧ ବିଭୀଷିକା ସେମାନଙ୍କୁ ଅଧାରୁ ଫେରାଇ ଆଣିଛି । ସେମାନଙ୍କ ଅଭିଭାବକଙ୍କ ସ୍ପପ୍ନ, ସେମାନଙ୍କ ଭବିଷ୍ୟତ ଅଧାରେ ଅଟକି ଯାଇଛି । ଯଦିଓ ଏହି ଛାତ୍ର ଛାତ୍ରୀଙ୍କ ପାଇଁ ଶିକ୍ଷା ସମ୍ପୂର୍ଣ୍ଣ କରିବାକୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି । ତଥାପି ସନ୍ଦେହ ଭିତରେ ଏମାନଙ୍କ ଡାକ୍ତର ବନିବାର ସ୍ୱପ୍ନ । କାରଣ ସେମାନେ ପୁଣି ୟୁକ୍ରେନ୍‌କୁ ନିକଟ ଭବିଷ୍ୟତରେ ଫେରିବା ବି ସମ୍ଭବ ଲାଗୁନି ।
ଆସନ୍ତୁ ଜାଣିବା ଆମ ଦେଶ ତଥା ରାଜ୍ୟରେ ଏତେ ଛାତ୍ର ଛାତ୍ରୀ ଭାରତ ଛାଡ଼ି କାହିଁକି ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ିବାକୁ ଆଗ୍ରହୀ ହେଲେ ? ପ୍ରକୃତ କଥା ହେଉଛି, ପ୍ରତ୍ୟେକ ବାପା ମା ଚାହାନ୍ତି ତାଙ୍କ ପିଲା ଡାକ୍ତର କିମ୍ବା ଇଞ୍ଜିନିୟର ହୁଅନ୍ତୁ । ଏହି ଆଶା ଓ ସ୍ୱପ୍ନ ମଧ୍ୟ ପିଲାମାନେ ଦେଖିଥାନ୍ତି । ହେଲେ ଦେଶରେ ମେଡିକାଲ ଆଡମିଶନ୍‌ ପାଇଁ କଷ୍ଟକର ପାଠ ଏବଂ ଏଣ୍ଟ୍ରାନ୍ସ ସର୍ବୋପରି ମେଡିକାଲ କଲେଜରେ ସିଟ୍‌ର ଅଭାବ ସେମାନଙ୍କ ସ୍ୱପ୍ନ ପୂରଣ କରିବାରେ ବାଧକ ସାଜେ । ତେଣୁ ସେମାନେ ବିକଳ୍ପ ଭାବେ ଖୋଜିଥାନ୍ତି ବିଦେଶକୁ । ଆଉ ୟୁକ୍ରେନ୍‌ ହେଉଛି ସବୁଠାରୁ ଭଲ ବିକଳ୍ପ । କାରଣ ଏଠି ମେଡିକାଲ ପଢ଼ିବା ପାଇଁ ନା ଅଛି ଏଣ୍ଟ୍ରାନ୍ସ ନା ଅଧିକ ଖର୍ଚ୍ଚ ମଧ୍ୟ ହୁଏ । ଏଠାରେ ଛଅ ବର୍ଷ ରହି ଡିଗ୍ରୀ ହାସଲ କରି ନେଲେ ବନିଗଲ ଡାକ୍ତର ।
ଗତ ପ୍ରାୟ ୩୦ ବର୍ଷ ହେଲା ୟୁକ୍ରେନ୍‌ ରହିଛି ଭାରତୀୟ ଛାତ୍ର ଛାତ୍ରୀଙ୍କ ଟାର୍ଗେଟ୍‌ରେ । ବିଶେଷ କରି ମେଡିସିନ, ଡେଣ୍ଟିଷ୍ଟ ଏବଂ ନର୍ସିଂ ପାଠ ପାଇଁ ଏହି ସ୍ଥାନଟି ଖୁବ୍‌ ସହଜ ଓ ଭଲ ବୋଲି ବିବେଚନା କରାଯାଉଛି । ଆଉ ଏହାର ପ୍ରଥମ କାରଣ ହେଉଛି ଡାକ୍ତରୀ ପଢ଼ିବା ପାଇଁ ଏଠାରେ ଖର୍ଚ୍ଚ କମ୍‌ ହେଉଛି । ଏଠାରେ ୬ ବର୍ଷର କୋର୍ସ ପାଇଁ ପ୍ରାୟ ୩୫ ହଜାର ଡଲାର ଖର୍ଚ୍ଚ ହେଉଥିବା ବେଳେ ଭାରତରେ ଏହାର ଚାରି ଗୁଣ ଅଧିକ ଖର୍ଚ୍ଚ ହୁଏ । ଭାରତ ଭଳି ସେଠାରେ ଏଣ୍ଟ୍ରାନ୍ସ ଓ ପରୀକ୍ଷାଗୁଡ଼ିକ ମଧ୍ୟ ଏତେ କଷ୍ଟକର ନୁହେଁ । ସେହିପରି ଭାରତରେ ଯେଭଳି ବେସରକାରୀ ମେଡିକାଲ କଲେଜରେ ଅଧିକ ଡୋନେସନ୍‌ ନିଅନ୍ତି ସେଠାରେ ନିଆଯାଏ ନାହିଁ ।
ସେଠାରୁ ଏମ୍‌୍‌ବିବିଏସ୍‌ ପାସ୍‌ କରିବା ପରେ ଏମାନଙ୍କୁ ଭାରତରେ ଏକ ଏଣ୍ଟ୍ରାନ୍ସ ଦେବାକୁ ହୁଏ । ଯାହାକୁ ଫରେନ ମେଡିକାଲ ଗ୍ରାଜୁଏଟ୍‌ ଏକ୍‌ଜମିନେସନ୍‌ ବୋଲି କୁହାଯାଏ । ନେସନାଲ ବୋର୍ଡ଼ ଅଫ୍‌ ଏକଜାମିନେସନ୍‌ ଏହି ପରୀକ୍ଷା କରାଇଥାଏ । ଏଥିରେ ଉତ୍ତୀର୍ଣ୍ଣ ହେଲେ ସେମାନଙ୍କ ଡାକ୍ତରୀ ପ୍ରାକଟିସ୍‌ ପାଇଁ ଲାଇସେନ୍‌ସ ମିଳିଯାଏ । ଯାହା ସୂଚନା ରହିଛି ପ୍ରତି ବର୍ଷ ପ୍ରାୟ ୪ ହଜାର ଛାତ୍ର ଛାତ୍ରୀ ୟୁକ୍ରେନ୍‌ରୁ ଡାକ୍ତରୀ ପାସ୍‌ କରି ଭାରତରେ ଏଣ୍ଟ୍ରାନ୍ସ ଦିଅନ୍ତି । ତେବେ ଏମାନଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣ ହୁଅନ୍ତି ହାରାହାରି ୭ ଶହ ଜଣ । ହେଲେ ୟୁକ୍ରେନ୍‌ ପାସ୍‌ ଆଉଟ୍‌ଙ୍କୁ ବିଶ୍ୱର ଅନ୍ୟ ସବୁ ସ୍ଥାନରେ ଅନୁମତି ରହିଛି । ସେମାନେ ନିର୍ଦ୍ଦ୍ଵନ୍ଦ୍ୱରେ ପ୍ରାକ୍ଟିସ୍‌ କରି ପାରିବେ । କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ଡବଲ୍ୟୁଏଚ୍‌ଓ’, ୟୁରୋପିଆନ୍‌ କାଉନସିଲ ଏବଂ ଅନ୍ୟ ସଂଗଠନ ଏମାନଙ୍କୁ ମାନ୍ୟତା ଦେଇଛି । ତେଣୁ ଏମାନେ ଅନ୍ୟ କୌଣସି ଦେଶରେ ମଧ୍ୟ ଡାକ୍ତରୀ ପ୍ରାକ୍‌ଟିସ୍‌ କରି ପାରୁଛନ୍ତି ।

ସେଥିଲାଗି ୟୁରୋପରେ ସର୍ବାଧିକ ଡାକ୍ତରୀ ଛାତ୍ର ବାହାର କରିବାରେ ୟୁକ୍ରେନ୍‌ ଚତୁର୍ଥ ସ୍ଥାନରେ ରହିଛି । ଯଦିଓ ୟୁକ୍ରେନ୍‌ରେ ଲୋକେ ରୁଷୀୟ ଭାଷା ବ୍ୟବହାର କରନ୍ତି ଏବଂ ଏହା ଆମ ଦେଶର ଲୋକଙ୍କ ପାଇଁ ସମସ୍ୟା ହୁଏ ତଥାପି ଏସବୁ କାରଣରୁ ସେମାନେ ୟୁକ୍ରେନ୍‌ରେ ଡାକ୍ତରୀ ପଢ଼ିବାକୁ ପସନ୍ଦ କରନ୍ତି । ଅବଶ୍ୟ ଏମିତି ବି ହୋଇଛି ଭଲ ମାର୍କ ରଖି ପିଲା ଏଣ୍ଟ୍ରାନ୍‌ସରେ ଫେଲ୍‌ ହୋଇଛନ୍ତି । ତେଣୁ ସେମାନଙ୍କୁ ସରକାରୀ ମେଡିକାଲ କଲେଜରେ ଆଡମିଶନ ମିଳି ନାହିଁ । ଏପଟେ ପ୍ରାଇଭେଟ କଳେଜରେ ଆକାଶ ଛୁଆଁ ଡୋନେସନ୍‌ ଯୋଗୁଁ ଡାକ୍ତରୀ ସ୍ୱପ୍ନ ପୂରଣ କରିବାକୁ ବିଦେଶ ଯିବାକୁ ବାଧ୍ୟ ହୋଇଛନ୍ତି । ଆହୁରି ମଧ୍ୟ ଏନ୍‌ଇଇଟି ଏଣ୍ଟ୍ରାନ୍ସ ବ୍ୟବସ୍ଥାକୁ ଅନେକେ ବିରୋଧ ମଧ୍ୟ କରିଛନ୍ତି ।
ତେବେ ବର୍ତ୍ତମାନର ଯୁଦ୍ଧ ପରିସ୍ଥିତି ଉଭୟ ଅଭିଭାବକ, ଛାତ୍ର ଛାତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ପାଇଁ ଏକ ଆହ୍ଵାନ ଆଣିଛି । ଆମର ମେଡିକାଲ ପଢ଼ିବାକୁ ଆଗ୍ରହୀ ଥିବା ପିଲାମାନଙ୍କ ପାଇଁ ଏଭଳି କିଛି ବ୍ୟବସ୍ଥା ହେବା ଦରକାର ଯାହାଫଳରେ ଆମର ପିଲାମନେ ଦେଶରେ ହିଁ ପଢ଼ିବେ ଓ ଦେଶରେ ହିଁ ରହିବେ । ଆଉ ଦେଶରେ ଅଭାବ ଥିବା ଡାକ୍ତର ସମସ୍ୟା ପୂରଣ ହୋଇ ପାରିବ । ସେଥିଲାଗି ଅନେକ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ଭାରତୀୟ ମେଡିକାଲ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଦାବି କରିଛନ୍ତି ।

ଯଦିଓ ୨୦୧୪ ମସିହା ପରେ ଭାରତରେ ମେଡିକାଲ କଲେଜଗୁଡ଼ିକରେ ସିଟ୍‌ ସଂଖ୍ୟା ବଢ଼ିଛି । ତାକୁ ମଧ୍ୟ ଆହୁରି ବଢ଼ାଇବାର ଆବଶ୍ୟକତା ରହିଛି । ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଗରିବ ଓ ମଧ୍ୟବିତ୍ତ ଛାତ୍ର ଛାତ୍ରୀଙ୍କ ମେଡିକାଲ ପଢ଼ିବା ସ୍ୱପ୍ନ ପୂରଣ ହୋଇ ପାରିବ । ବେସରକାରୀ ମେଡିକାଲ କଲେଜର ୫୦ ପ୍ରତିଶତ ସିଟ୍‌ରେ ସରକାରୀ କଲେଜ ଦରରେ ଫି ନିଆଗଲେ ସେମାନେ ବହୁତ ଉପକୃତ ହେବେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.