କାହିଁକି କୁରୁକ୍ଷେତ୍ରକୁ ହିଁ ମହାଭାରତ ଯୁଦ୍ଧ ପାଇଁ ଚୟନ କରାଯାଇଥିଲା, ଆସନ୍ତୁ ଜାଣିବେ ଏହା ପଛର ରହସ୍ୟ

କୁରୁକ୍ଷେତ୍ରର ନାଁ ଶୁଣିଲେ ମନରେ ଏକ ଶିହରଣ ଖେଳିଯାଏ । କାରଣ ମହାଭାରତର ମହାଯୁଦ୍ଧ ଏହି ଭୂମି ଉପରେ ହିଁ ହୋଇଥିଲା । ସେହି ୧୮ ଦିନର ଯୁଦ୍ଧରେ କେତେ ଯେ ମୁଣ୍ଡ ଗଡିଛି କେତେ ଯେ ରକ୍ତର ବନ୍ୟା ବୋହିଛି ତାର କୌଣସି ଠିକଣା ନାହିଁ । ହୁଏତ ଏହା ପୂର୍ବରୁ ଏପରି ଏକ ସାଙ୍ଘାତିକ ଯୁଦ୍ଧ କେବେ ହୋଇନଥିଲା କି ଭବିଷ୍ୟତରେ ମଧ୍ୟ ହୋଇନପାରେ । କୌରଵ ଓ ପାଣ୍ଡଵ ଉଭୟ ପକ୍ଷର ଅସଂଖ୍ୟ ଯୋଦ୍ଧା ମାନଙ୍କୁ ନିଜପ୍ରାଣର ବଳି ଦେବାକୁ ପଡିଥିଲା । ଅନ୍ୟ ପକ୍ଷରେ ଶ୍ରୀକୃଷ୍ଣ ଏହି ଠାରେ ହିଁ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଇଥିଲେ । ସମୟ ଅନୁସାରେ ଏହି ଯୁଦ୍ଧ ସିନା ସରି ଯାଇଥିଲା କିନ୍ତୁ ଏ ସମ୍ବନ୍ଧୀୟ ବହୁ ରହସ୍ୟ ଆଜି ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ନିକଟରେ ପହଂଚି ପାରିନାହିଁ । ଏହି ପରି ଏକ ମହାଯୁଦ୍ଧର ପ୍ରକୃତ ନାୟକ ଥିଲେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ।

ତାଙ୍କରି ଇସାରାରେ ହିଁ ଏହି ଯୁଦ୍ଧ ହୋଇଥିଲା କହିଲେ ଚଳେ । ସଂସାରରୁ ଅଧର୍ମର ବିନାଶ ଓ ଧର୍ମର ଜୟ ପାଇଁ ହିଁ ସେ ଏପରି ଏକ ମହାଯୁଦ୍ଧର ସଂରଚନା କରିଥିଲେ । କିନ୍ତୁ ପ୍ରଶ୍ନ ଉଠେ ଏଥି ପାଇଁ ସେ କୁରୁକ୍ଷେତ୍ରର ଭୂମିକୁ ହିଁ କାହିଁକି ବାଛିଥିଲେ । ତାଙ୍କୁ କଣ ପୃଥିବୀର ଆଉ କୌଣସି ସ୍ଥାନ ଉପଯୁକ୍ତ ଲାଗିନଥିଲା । କିନ୍ତୁ ପ୍ରକୃତରେ ଏହା ପଛରେ ଏକ ରହସ୍ୟ ଅଛି । ଶାସ୍ତ୍ର ଅନୁସାରେ କୌରବ ଓ ପାଣ୍ଡବ ଙ୍କ ଭିତରେ ଯୁଦ୍ଧ ହେବା ଯେତେବେଳେ ଏକ ପ୍ରକାର ନିଶ୍ଚିତ ହେବା ପରେ ଯୁଦ୍ଧ ପାଇଁ ଉପଯୁକ୍ତ ଭୂମି ଖୋଜା ଚାଲିଥିଲା । ଶ୍ରୀକୃଷ୍ଣ ମଧ୍ୟ ଚିନ୍ତାରେ ପଡିଯାଇଥିଲେ ଯେ କେଉଁ ଠାରେ ଏହି ଯୁଦ୍ଧ ଅନୁଷ୍ଠିତ ହେବା ଉଚିତ । ତାଙ୍କର ଭୟ ଥିଲା ଯଦି ଉପଯୁକ୍ତ ସ୍ଥାନରେ ଯୁଦ୍ଧ ନହୁଏ ତେବେ ହୁଏତ ଯୁଦ୍ଧର ପ୍ରକୃତ ମାନେ ହୁଏତ ବଦଳି ଯାଇଥାନ୍ତା । ଫଳ ହୁଏତ ଓଲଟା ହୋଇଥାନ୍ତା ।

ଭାଇ ଭାଇ, ଗୁରୁ ଶିଷ୍ୟ, ପରିଜନ ମାନେ ନିଜ ଆଖି ଆଗରେ ନିଜ ପରିଜନ ମାନଙ୍କ ମୃତ୍ୟୁ ଦେଖି କୌରବ ଓ ପାଣ୍ଡବ ନିଜ ନିଜ ମଧ୍ୟରେ ସନ୍ଧି ହୋଇଯାଇଥାନ୍ତା । ପରସ୍ପର ପ୍ରତି ସହାନୁଭୂତି ସୃଷ୍ଟି ହୋଇ ଅଧାରୁ ହୁଏତ ଯୁଦ୍ଧ ଅଟକି ଯାଇଥାନ୍ତା । ନିଜ ଆଖି ଆଗରେ ନିଜ ପରିଜନଙ୍କ ବିବତ୍ସ ହତ୍ୟା ଦେଖି ନ ପାରି ଯୁଦ୍ଧରୁ ପଛଘୁଞ୍ଚା ଦେଇଥାନ୍ତେ । ତେଣୁ ଏମିତି ଏକ ଜାଗାରେ ଏହି ଯୁଦ୍ଧ ହେବା ଦରକାର ଥିଲା ଯେଉଁ ଠାରେ କି କ୍ରୋଧ ଓ ଦ୍ୱେଷ ପର୍ଯ୍ୟାପ୍ତ ପରିମାଣରେ ଥିବ । ତେଣୁ ବହୁତ ଚିନ୍ତା କରି ପୃଥିବୀର ବିଭିନ୍ନ ସ୍ଥାନ ସମ୍ପର୍କରେ ତଥ୍ୟ ଦେବା ପାଇଁ ସେ ନିଜ ଦୂତ ମାନଙ୍କୁ ବିଭିନ୍ନ ଦିଗକୁ ପ୍ରେରଣ କରୁଥିଲେ । ପ୍ରତିଦିନ ଦୂତ ମାନେ ବିଭିନ୍ନ ସ୍ଥାନ ଗୁଡିକ ସମ୍ପର୍କରେ କିଛି ତଥ୍ୟ ସଂଗ୍ରହ କରି ଶ୍ରୀକୃଷ୍ଣଙ୍କୁ ଏସମ୍ପର୍କରେ ସୂଚନା ଦେଉଥିଲେ ।

ଏହା ସହ ପଢନ୍ତୁ:

ରାମଚନ୍ଦ୍ରଙ୍କ ପାଇଁ କୈକେୟୀ କାହିଁକି ମାଗିଥିଲେ ୧୪ ବର୍ଷର ବନବାସ, କଣ ଅଛି ଏହା ପଛର ରହସ୍ୟ

ଏକଦା ଜଣେ ଦୂତ ଆସି କୁରୁକ୍ଷେତ୍ର ଭୂମି ଉପରେ ଘଟିଥିବା ଏକ ଘଟଣା ସମ୍ବନ୍ଧରେ କହିଥିଲେ । କୁରୁକ୍ଷେତ୍ରର ଏକ ଭୂମି ଉପରେ ଦୁଇ ଭାଇଙ୍କର ଏକ ଜମି ଥିଲା । ଏହି କ୍ଷେତରେ ବଡ ଭାଇ ନିଜ ସାନ ଭାଇକୁ କ୍ଷେତରେ ମାଡ଼ୁଥିବା ପାଣି ରୋକିବାକୁ କହିଥିଲେ । କିନ୍ତୁ ସାନ ଭାଇ ଜଣକ ଏହା କରିବାକୁ ସମ୍ପୂର୍ଣ ମନା କରିଦେଇଥିଲେ । ଏଥିରେ ଅତ୍ୟନ୍ତ କ୍ରୋଧିତ ହୋଇ ବଡ ଭାଇ ନିଜ ସାନ ଭାଇକୁ ଛୁରୀ ସାହାଯ୍ୟରେ ହତ୍ୟା କରିଥିଲେ । ପରେ ସାନ ଭାଇର ଶବକୁ ଘୋଷାଡ଼ି ଘୋଷାଡ଼ି ପାଣି ମାଡୁଥିବା ସ୍ଥାନକୁ ନେଇଯାଇଥିଲେ ଓ ପାଣି ଗଡୁଥିବା ସ୍ଥାନରେ ଶବ ରଖି ପାଣିକୁ ଅଟକାଇଥିଲେ । ଦୂତ ଠାରୁ ଏହି ଘଟଣାକୁ ଶୁଣି କୃଷ୍ଣ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲେ ଯେ ଏହି ଭୂମି ହିଁ ମହାଭାରତର ମହାଯୁଧ୍ୟ ପାଇଁ ଏକ ପ୍ରକୃଷ୍ଠ ସ୍ଥାନ ହୋଇପାରିବ । କେବେ ବି ଯୋଦ୍ଧାଙ୍କ ଭିତରେ ପ୍ରେମ ଜାତ ହେବା ସମ୍ଭବ ହେଵନାହିଁ । ତେଣୁ ପରିଶେଷରେ ଶ୍ରୀକୃଷ୍ଣ କୁରୁକ୍ଷେତ୍ରକୁ ଯୁଦ୍ଧ ପାଇଁ ଚୟନ କରିଥିଲେ ଓ ଏହାର ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.