ଏ ଧାନ ଚାଉଳ ଓ ପରିବା ଦର ବଢୁଛି କାହିଁକି, ଆମେ କଣ ଲକ୍ଷ୍ମୀଛଡ଼ା ହେଉଛେ କି ?

ଏବେ ଯେତିକି ଶୀତ ବଢୁଛି ଲୋକଙ୍କୁ ସେତିକି ମଜା ଲାଗୁଛି । କାରଣ ଶୀତକୁ ଉପଭୋଗ କରିବାର ନିଶା ଘାରିଛି ସମସ୍ତଙ୍କୁ । ମନେ ମନେ ଅନେକ ଆଶ କରୁଛନ୍ତି ଆମ ଓଡ଼ିଶାରେ ହିମାଚଳ ଭଳି ବରଫ ପଡ଼ନ୍ତା କି ? ସେଥିଲାଗି ସେ କନ୍ଧମାଳର ଦାରିଙ୍ଗବାଡ଼ି ହେଉ କି ସୁନ୍ଦରଗଡ଼ ଅବା ମୟୁରଭଞ୍ଜର ଶିମିଳିପାଳ, ଲୋକେ ଛୁଟି ଯାଉଛନ୍ତି ଶୀତର ମଜା ନେବାକୁ । ଘାସ କିମ୍ବା ନଡ଼ା ଉପରେ ଶିଶିର ବିନ୍ଦୁ ସବୁ ପଡ଼ି ବରଫ ଭଳି ଜମି ଯାଉଛି । ତାକୁ ବି ଦେଖି ଲୋକେ ଭାରି ଖୁସି ।
ଏପଟେ ବୁଲିବା ସାଙ୍ଗକୁ ପିକ୍‌ନିକ୍‌ର ମଜା ମଧ୍ୟ ନିଆରା । ଯଦି ବଣଭୋଜି ହେଲା ତ ଭଲ କଥା ନହେଲେ ନିଜେ ନିଜେ କିଛି ଖାଇବା ନେଇ ପ୍ରାକୃତିକ ପରିବେଶରେ ବସି ଖାଇବାର ଖୁସି କିଛି ଅଲଗା ନିଶ୍ଚୟ । ଅବଶ୍ୟ ନଭେମ୍ବରରୁ ପୂରା ଜାନୁଆରୀ ମାସ ଶେଷ ପର୍ଯ୍ୟନ୍ତ ସମୟ ହେଉଛି ବୁଲାବୁଲି, ପିକ୍‌ନିକ ଆଦି ଯିବାର ଏକଦମ ଠିକଣା ସମୟ । ଏବେ ଅନେକ ଜାଗାକୁ ଯୋଗାଯୋଗର ବ୍ୟବସ୍ଥା ହୋଇଥିବା ବେଳେ ସହଜରେ ଯାନବାହନ ମଧ୍ୟ ମିଳି ଯାଉଛି । ଆଉ ଯଦି ନିଜସ୍ୱ ଗାଡ଼ି ଅଛି ତ ପରିବାର ଧରି ବୁଲିବାକୁ ଆହୁରି ଭଲ ଲାଗେ । ଅନ୍ତତଃ ଆଗକୁ ଆସୁଥିବା ପ୍ରଚଣ୍ଡ ରୌଦ୍ରତାପର ଦୁଃଖ ପୂର୍ବରୁ ଏଇ ଶୀତଳ ସମୟଟି ମନର ଅନେକ କଷ୍ଟ ଭୁଲାଇ ଦେଉଛି ।

ହେଲେ ମଜା କରୁଥିବା ଲୋକେ ତ ଶୀତକୁ ଉପଭୋଗ କରୁଛନ୍ତି କିନ୍ତୁ ଶୀତ ଯାହା ଉପରେ ଦାଉ ସାଧୁଛି ତାଙ୍କ କଥା କେହି ଭାବୁଛି ତ ? ଗତ କିଛି ବର୍ଷ ହେଲା ଆମେ ଦେଖିଛୁ କି ବେଶ୍‌ କିଛି ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷ ବସ୍ତି, ରେଳ ଷ୍ଟେସନ୍‌, ରାସ୍ତା କଡ଼ରେ ଆଶ୍ରୟ ନେଇଥିବା ଗରିବ ଲୋକଙ୍କୁ କମ୍ବଳ ଓ ଶୀତବସ୍ତ୍ର ବାଣ୍ଟିଥାନ୍ତି । ଶୀତ ସହ ଯୁଦ୍ଧ କରୁଥିବା ଏଇ ଆଶ୍ରୟହୀନଙ୍କ ପାଇଁ ଈଶ୍ୱର ପାଲଟି ଥାନ୍ତି । ଯଦିଓ ସରକାର ଏଭଳି ଲୋକଙ୍କ ପାଇଁ ଆଶ୍ରୟସ୍ଥଳ ତିଆରି କରିଛନ୍ତି ତେବେ ଏମାନଙ୍କ ଭିତରୁ କେତେଜଣଙ୍କୁ ସେଠି ଜାଗା ମିଳେ ତାର ହିସାବ କାହା ପାଖରେ ନାହିଁ ।
ଏପଟେ ମଧ୍ୟବିତ୍ତରୁ ଗରିବ ଯାଏ ଶୀତ ସହ ଆଉ ଗୋଟିଏ ସମସ୍ୟା ସହିତ ଲଢ଼େଇ କରୁଛନ୍ତି । ତାହା ହେଉଛି ପରିବା ଦର । କାର୍ତ୍ତିକ ପରେ ମାର୍ଗଶିର ଯାଇ ପୌଷ ମାସ ହେଲାଣି । ତଥାପି ପରିବା ଦରରେ ଲଗାମ ଲାଗୁନି । ବଜାରରେ ଫୁଲ କୋବି ଗଦା ଗଦା ହେଲେ ଏବେବି ଦର ଶୁଣିଲେ ଛାତିରେ ଛନକା ପଶୁଛି । ଅନ୍ୟ ପରିବା ମୂଲ୍ୟ ଶୁଣି ଚିନ୍ତା କରିବାକୁ ହେଉଛି ଯେ ତାକୁ ଘରକୁ ନେବି ନା ନାହିଁ । ଏକଥା ଆମର ଅର୍ଥନୀତିଜ୍ଞମାନେ କହିଛନ୍ତି କି ଡିମାଣ୍ଡ ଓ ସପ୍ଲାଏ ମଧ୍ୟରେ ସମନ୍ଵୟ ନରହିଲେ ଦର ବଢ଼େି ଓ କମେ । ତେଣୁ ଲୋକ ଅଧିକକୁ ମାଲ୍‌ କମ୍‌ । ସେଥିଲାଗି ପରିବା ଦର ବଢ଼ିବା ସ୍ୱାଭାବିକ । ପ୍ରଥମରେ ତ ଚାଷ କମ୍‌ ହେଉଛି, ଦ୍ୱିତୀୟରେ ଅଦିନିଆ ବର୍ଷ ଅନେକ ଜାଗାରେ ଫସଲ ଉଜାଡ଼ି ଦେଇଛି । ଆଉ ତୃତୀୟରେ ହେଉଛି ବାହାଘର ଓ ପିକ୍‌ନିକ । ଯିଏ ଏହି ପରିବା ଦର ବଢ଼ାଇବାରେ ମୁଖ୍ୟ ଭାବେ ଦାୟୀ ।
ଆପଣମାନେ ଯଦି ବିଭିନ୍ନ ପିକ୍‌ନିକ୍‌ ସ୍ଥଳକୁ ଯାଇଥିବେ ତେବେ ଦେଖିବେ ଯେ ଅନେକ ଜାଗାରେ ଭାତ ଠାରୁ ଆରମ୍ଭ କରି ତରକାରୀ ଆଦି ଫିଙ୍ଗା ଫୋପଡ଼ା ହୋଇଛି । କେଉଁଠି ଅଧିକ ରନ୍ଧା ଯାଇ ଫିଙ୍ଗା ହୋଇଛି ତ ଆଉ କେଉଁଠି ଲୋକେ ଅଧା ଖାଇ ଦୁର୍ମୂଲ୍ୟ ଖାଦ୍ୟକୁ ଫୋପାଡ଼ି ଦେଇଛନ୍ତି । ତେଣୁ ଏହାକୁ ପିକ୍‌ନିକ୍‌ ଋତୁ ଅପେକ୍ଷା ‘ଖାଦ୍ୟଫିଙ୍ଗା’ ଋତୁ କହିଲେ ବି ଚଳିବ ।

ଏକଥା ସମସ୍ତଙ୍କୁ ଜଣା କି ଏଇ ପେଟ ପାଇଁ ସବୁ ନାଟ । ତଥାପି ସବୁ ବୁଝି କାହିଁକି ଲୋକେ ଅବୁଝା ହେଉଛନ୍ତି ? ଅଳିଆ ଗଦାରୁ ଖୁଣ୍ଟି ଖାଉଥିବା ଲୋକଙ୍କ କଥା କଣ ତାଙ୍କର ମନେ ପଡୁନି । ଭୋକିଲା ମୁହଁର ଚିତ୍ର କଣ ପାସୋରି ଯାଉଛନ୍ତି ଏମାନେ ? ମଉଜ କରିବାକୁ କାହା ଉପରେ ବାଧା ନାହିଁ । ହେଲେ ଖାଦ୍ୟ ନଷ୍ଟ କରିବାର ଅଧିକାର ମଧ୍ୟ ଆମର ନାହିଁ । ଏକଥା ପରା ଆମେ ଆମ ପୂର୍ବ ପୁରୁଷଙ୍କ ଠାରୁ ଶିଖିଛେ କି ଖାଦ୍ୟ ନଷ୍ଟ ହେଉଛି ଲକ୍ଷ୍ମୀଛଡ଼ାଙ୍କ କାମ । ତେଣୁ ଏଭଳି କରିବା କାହିଁକି ଆଉ ପରିବାରୁ ଧାନ ଚାଉଳ ଯାଏ ଖାଦ୍ୟ ସାମଗ୍ରୀର ଦର ବଢ଼ାଇବା କାହିଁକି ? ଥରେ ଚିନ୍ତା କରନ୍ତୁ ତ !

ହିମାଂଶୁ ପତିମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.