ଦୃଷ୍ଟିହୀନ ସ୍ବାମୀଙ୍କ ଆଶାବାଡି ସାଜିଛନ୍ତି ସବିତା, ନିଜେ ସ୍ବାବଲମ୍ବୀ ହେବା ସହ ଜୀବନସାଥୀଙ୍କୁ ଦେଖାଇଛନ୍ତି ଜିଇବାର ରାହା

ବାଲେଶ୍ବର(କେନ୍ୟୁଜ୍): ଜନ୍ମରୁ ସେ ଦୁନିଆକୁ ଦେଖି ନାହାନ୍ତି ହେଲେ ଜୀବନର ପ୍ରତିଟି ଘାତ ପ୍ରତିଘାତରେ ତାଙ୍କୁ ଏକାକୀ ଛାଡି ନାହାନ୍ତି ଧର୍ମପତ୍ନୀ ସବିତା। ଜଣେ ଦୃଷ୍ଟିହୀନଙ୍କୁ ସ୍ବାମୀ ଭାବେ ଗ୍ରହଣ କରି ପରିବାରର ବୋଝକୁ ନିଜେ ମୁଣ୍ଡାଇଛନ୍ତି ସବିତା । ଖାଲି ସେତିକି ନୁହେଁ ଧାର କରଜ କରି ସ୍ବାମୀଙ୍କ ପାଇଁ ଆଣି ଦେଇଛନ୍ତି ବିଭିନ୍ନ ବାଦ୍ୟଯନ୍ତ୍ର । ଯାହାଦ୍ବାରା ସେ ଅନ୍ୟ ଦୃଷ୍ଟିହୀନ ଯୁବକ ଯୁବତୀଙ୍କ ସହ ମିଶି ବିଭିନ୍ନ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରି ପେଟକୁ ଦି ମୁଠା ଦାନା ଯୋଗାଡ କରିପାରୁଛନ୍ତି ।

woman helpବାଲେଶ୍ବର ଜିଲ୍ଲା ରେମୁଣା ବ୍ଳକ୍ ଗନିପୂର ପଞ୍ଚାୟତ କୁରୁଣୀଆ ପାଟଣାର ସବିତା ବେହେରା । ସାତ ଜନ୍ମ ପାଇଁ ସ୍ବାମୀଙ୍କ ହାତ ଧରି ଥିବା ସବିତା ଭୁଲି ନାହାନ୍ତି ସ୍ବାମୀଙ୍କ ପ୍ରତି ଥିବା ତାଙ୍କ କର୍ତ୍ତବ୍ୟ । ତାଙ୍କ ଚକ ବୁଲିଲେ ପରିବାରର ୪ ପ୍ରାଣୀ କୁଟୁମ୍ବଙ୍କ ପେଟ ଚଳେ । ସେ ନିଜକୁ ଜଣେ ଉତ୍ସାହୀ ଓ ସ୍ବାବଲମ୍ବୀ ମହିଳା ଭାବେ ନିଜକୁ ପ୍ରମାଣିତ କରିପାରିଛନ୍ତି । ସିଲେଇ ମେସିନ୍ ରେ ପ୍ରତିଦିନ ବ୍ୟାଗ୍ ତିଆରି କରି ବଜାରକୁ ସପ୍ଲାଏ କରନ୍ତି । ଏହାସହ ବିଭିନ୍ନ ମେସ୍ ମାନଙ୍କରେ ରୋଷେଇ ମଧ୍ୟ କରିଥାନ୍ତି । ଆଉ ସେଥିରୁ ଯାହା ଲାଭ ମିଳେ ସେଥିରେ ନିଜ ପରିବାର ପ୍ରତିପୋଷଣ କରିଥାନ୍ତି ।

laxman 2ଜନ୍ମରୁ ସ୍ବାମୀ ଲକ୍ଷ୍ମଣ ଆଖି ହରାଇଥିଲେ ମଧ୍ୟ ପତ୍ନୀ ସବିତା ତାଙ୍କର ଦୁଇ ଆଖି ସାଜିଛନ୍ତି । ନିଜ ପରିଶ୍ରମରେ ସ୍ବାମୀଙ୍କ ପାଇଁ ବିଭିନ୍ନ ବାଦ୍ୟଯନ୍ତ୍ର କିଣି ତାଙ୍କୁ ମଧ୍ୟ ଦୁଇ ପଇସା ଉପାର୍ଜନ କରିବାର ବାଟ ଦେଖାଇଛନ୍ତି । ଲକ୍ଷ୍ମଣଙ୍କର ଅନ୍ୟ ଦୁଇ ଭାଇ ମଧ୍ୟ ଦୃଷ୍ଟିହୀନ । ଜଣେ ଟ୍ରେନରେ ବୁଲି ଛୋଟ ମୋଟ ବେପାର କରୁଥିବା ବେଳେ ଆଉ ଜଣେ କୋଲକାତାରେ ରହୁଛନ୍ତି । ୧୯୯୮ମସିହାରେ ନିମାପଡା ଦୃଷ୍ଟିହୀନ ବିଦ୍ୟାଳୟରୁ ଲକ୍ଷ୍ମଣ ମାଟ୍ରିକ୍ ପାସ୍ କରିଥିଲେ । ଏହାପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସଙ୍ଗୀତ ଶିକ୍ଷା ଲାଭ କଲେ । ପିଲାଟି ବେଳୁ ସଙ୍ଗୀତ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା । ଆଉ ସେଥିପାଇଁ ପତ୍ନୀ ଦିନ ରାତି ପରିଶ୍ରମ କରି ତାଙ୍କ ପାଇଁ ବାଦ୍ୟ ଯନ୍ତ୍ର ଆଣି ଦେଇଥିଲେ । ଯାହାଦ୍ବାରା ସେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ୬ଜଣ ଦୃଷ୍ଟିହୀନ ଯୁବକ ଯୁବତୀ ସହ ମିଶି ସଙ୍ଗୀତ ପରିବେଷଣ କରିଥାନ୍ତି । ସେଥିରୁ ଯାହା ମିଳେ ସମସ୍ତଙ୍କୁ ବାଣ୍ଟିବା ପରେ ଶେଷରେ ନିଜେ ରଖିଥାନ୍ତି ।

seleiତେବେ ଦୃଷ୍ଟିହୀନ ସ୍ବାମୀଙ୍କୁ ଆଶାବାଡି ହୋଇ ଛିଡା ହୋଇଥିବା ପତ୍ନୀ ନିଜେ ସ୍ବାବଲମ୍ବୀ ହେବା ସହ ସ୍ବାମୀଙ୍କୁ ବଞ୍ଚିବାର ରାହା ଦେଖାଇଥିବାବେଳେ ଏବେ ସେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।

ବାଲେଶ୍ବରରୁ ଆଶୁତୋଷ ମଲ୍ଲିକଙ୍କ ରିପୋର୍ଟ, କେନ୍ୟୁଜ୍ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.