Below header

ଡାକ୍ତରଙ୍କ ଭୁଲ ପାଇଁ ମହିଳା ଭୋଗୁଛନ୍ତି ଯମ ଯନ୍ତ୍ରଣା, ଗର୍ଭାଶୟ ନଳୀ କାଟିବା ବଦଳରେ କାଟିଦେଲେ ଖାଦ୍ୟନଳୀ

ଭୁଲ କଲା ଜଣେ ହେଲେ ଦଣ୍ଡ ପାଉଛି ଆଉ ଜଣେ । ବିଛଣାରେ ଶୋଇ ଯମ ଯନ୍ତ୍ରଣା ଭୋଗୁଛନ୍ତି ମହିଳା ଜଣକ । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଇ ଗରିବ ମହିଳାଙ୍କ ଯନ୍ତ୍ରଣାର କାରଣ ହେଉଛନ୍ତି ଜଣେ ଡାକ୍ତର । କଣ ଚମକି ପଡିଲେ ନା ? ଛୋଟ ପରିବାର ସୁଖୀ ପରିବାର । ଏହି ଉଦ୍ଦେଶ୍ୟରେ ସରକାର ପରିବାର ନିୟୋଜନ ବନ୍ଧ୍ୟାକରଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ହେଲେ ଏହି ବନ୍ଧ୍ୟାକରଣ ଯୋଜନା ପାଇଁ ଆଜି ଜଣେ ମହିଳା ଜୀବନ ମରଣ ସ୍ଥିତିରେ । ଲଢେଇ କରୁଛନ୍ତି ମୃତ୍ୟୁ ସହ । ମହିଳାଙ୍କର ଏପରି ଅବସ୍ଥା ପାଇଁ ଦାୟୀ ହେଉଛନ୍ତି ଡାକ୍ତର । ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

ନୂଆପଡା ଜିଲ୍ଲା ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ୨୦ କିମି ଦୂର ବଣପାହାଡ ଘେରା ଅଞ୍ଚଳ ନାଗପଡା ମାଳଭଟା ଗାଁ । ଏହି ଗାଁର ବାସିନ୍ଦା ହେଉଛନ୍ତି ଗରିବ ମିନିକେତନ ମାଝି । ପତ୍ନୀ ଡୋଳାମଣି ମାଝି ଓ ତାଙ୍କ ଦୁଇ ପୁଅ ଓ ଦୁଇ ଝିଅ । ମିନିକେତନ ପ୍ରତିଦିନ ମୂଲ ମଜୁରୀ କାମ କରି ନିଜର ପରିବାର ଚଳାନ୍ତି । ମିନିକେତନଙ୍କ କହିବା ଅନୁ୍ସାରେ ସ୍ୱାସ୍ଥ୍ୟ ବଭିାଗ କର୍ମଚାରୀମାନଙ୍କ ବାରମ୍ବାର ଅନୁରୋଧ କରିବା ପରେ ଶେଷରେ ତାଙ୍କ ପତ୍ନୀ ଡୋଳାମଣିଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିବାକୁ ସେ ରାଜି ହୋଇଥିଲେ । ୬ମାସ ତଳେ ବୋଡେନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରସୂତୀ ବଭିାଗ ଡାକ୍ତର ପୂଣ୍ୟବ୍ରତ ମହାପାତ୍ର ଡୋଳାମଣିଙ୍କ ବନ୍ଧ୍ୟାକରଣ ଅପରେସନ୍‌ କରିଥିଲେ । ହେଲେ ଅପରେସନ୍‌ ବେଳେ ଡାକ୍ତରଙ୍କ ଅସାବଧାନତା ଯୋଗୁଁ ଡୋଳମଣିଙ୍କ ଗର୍ଭାଶୟ ନଳୀ କାଟିବା ବଦଳରେ ଖାଦ୍ୟନଳୀକୁ କାଟି ଦିଆଯାଇଥିବା ଅଭିଯୋଗ କରିଛନ୍ତି ସେ । ପରେ ଡୋଳାମଣିଙ୍କ ପେଟ ଫୁଲିଯିବା ସହ ପାକସ୍ଥଳୀ ପଚିବାରେ ଲାଗିଲା । ଯାହାଫଳରେ ସେ ଗୁରୁତର ଅସୁସ୍ଥ ହୋଇପଡିଲେ ।

ଏବେ ଦିନରାତି ବିଛଣାରେ ଛଟପଟ ହୋଇ କଷ୍ଟ ପାଉଛନ୍ତି । ଅବସ୍ଥା ସଂକାଟାପନ୍ନ । ଡୋଳାମଣିଙ୍କ ଚିକିତ୍ସା ପାଇଁ ନିଜର ଜମିବାଡି, ସୁନାରୂପା ଓ ଗାଈବଳଦକୁ ବିକ୍ରି କରି ସାରିଲେଣି । ନୂଆପଡା ଜିଲା ମୁଖ୍ୟ ଡାକ୍ତରଖାନାରୁ ଆରମ୍ଭ କରି ବୁର୍ଲା ପର୍ଯ୍ୟନ୍ତ ଡାକ୍ତରଙ୍କୁ ଦେଖାଇ ଥକିଗଲେଣି । ଅଥଚ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ବଗୁଡୁଛି ପଛେ ସୁଧୁରିବାର ନାଁ ନେଉନି ।
ସ୍ୱାମୀ ସ୍ତ୍ରୀ ଦୁହେଁ ମୂଲ ଲାଗିଲେ ଘରେ ଚୁଲି ଜଳେ । ଏଭଳି ପରିସ୍ଥିତିରେ ମିନିକେତନ ନିଜ ପତ୍ନୀଙ୍କ ଚିକିତ୍ସା ଓ ନିଜ କାମଧନ୍ଦାକୁ ନେଇ ବେଶ ଚିନ୍ତିତ ହୋଇ ପଡିଛନ୍ତି । ତାଙ୍କ ପରିବାରକୁ ତୁରନ୍ତ ସହାୟତା ପ୍ରଦାନ କରିବା ସହ ଡୋଳମଣିଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲାମୂଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି । ଖାଲି ସେତିକି ନୁହେଁ, ତ୍ରୁଟିପୂର୍ଣ ଅପରେସନ୍‌ କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୁଆପଡା ଜିଲ୍ଲା ଦଳିତ ଅଧିକାର ମଂଚର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.